ନୂଆଦିଲ୍ଲୀ: ସାରା ବିଶ୍ୱରେ ଆଜି ସପ୍ତମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଛି । ଏହି ଅବସରରେ ଦେଶବାସୀଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ଯୋଗ ସେ ସହଯୋଗ ତକ୍’ର ମନ୍ତ୍ର ଦେଇଛନ୍ତି । ସେ କହିଛନ୍ତି, ଆଜି ସାରା ବିଶ୍ୱ କରୋନା ମହାମାରୀ ବିରୋଧରେ ଲଢେ଼ଇ କରୁଥିବାବେଳେ ଯୋଗ ଆଶାର କିରଣ ପାଲଟିଛି । ଏହି କଷ୍ଟକର ସମୟରେ ଏହା ଲୋକଙ୍କର ଆତ୍ମବଳକୁ ବୃଦ୍ଧି କରୁଛି । ଏହି ଦିବସ ଅବସରରେ ଯଦିଓ ଦୁଇ ବର୍ଷ ହେଲା ବିଶ୍ୱର ବଡ଼ ଦେଶ ଓ ଭାରତରେ କୌଣସି ବଡ଼ ସାର୍ବଜନିକ କାର୍ଯ୍ୟକ୍ରମ ହୋଇନାହିଁ, ତେବେ ଯୋଗ ପ୍ରତି ଉତ୍ସାହ କମିନାହିଁ । ଏଥରର ଥିମ୍ ‘ଯୋଗ ଫର୍ ୱେଲନେସ୍’ (ସୁସ୍ଥତା ପାଇଁ ଯୋଗ) ଲୋକଙ୍କ ମଧ୍ୟରେ ଯୋଗ ପ୍ରତି ଆକର୍ଷଣକୁ ଆହୁରି ବୃଦ୍ଧି କରିଛି ।
ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ ସଂଯମ ଓ ଅନୁଶାସନକୁ ଯୋଗର ପ୍ରଥମ ପର୍ଯ୍ୟାୟ କୁହାଯାଇଛି । ଲୋକେ ତାକୁ ଜୀବନରେ ପ୍ରୟୋଗ କରିବାକୁ ବି ଉଦ୍ୟମ କରୁଛନ୍ତି । କରୋନାର ଅଦୃଶ୍ୟ ଭାଇରସ ଯେତେବେଳେ ବିଶ୍ୱରେ ପ୍ରକୋପ ଦେଖାଇବା ଆରମ୍ଭ କରିଥିଲା, ସେତେବେଳେ କୌଣସି ଦେଶ ଏଥିପାଇଁ ମାନସିକ ଭାବେ ପ୍ରସ୍ତୁତ ନଥିଲେ । ଏଭଳିସ୍ଥିତିରେ ଯୋଗ ଆତ୍ମବଳର ବଡ଼ ମାଧ୍ୟମ ପାଲଟିଲା । କରୋନା ସହ ଲଢ଼ିବାକୁ ଶକ୍ତି ଯୋଗାଇଲା । ଅନେକ କ୍ଷେତ୍ରରେ ହସ୍ପିଟାଲରେ ବି ରୋଗୀମାନେ ଯୋଗ କରୁଥିବାର ଘଟଣା ଦେଖିବାକୁ ମିଳୁଛି । ସେହିପରି ଅନୁଲୋମ -ବିଲୋମ ଦ୍ୱାରା ଫୁସଫୁସକୁ କେତେ ଶକ୍ତି ମିଳୁଛି ତାକୁ ଏବେ ସାରା ଦୁନିଆର ବିଶେଷଜ୍ଞମାନେ ମାନୁଛନ୍ତି । ଯୋଗ ଉପରେ ସାରା ବିଶ୍ୱରେ ବୈଜ୍ଞାନିକ ଗବେଷଣା ବି କରାଯାଉଛି । ଯୋଗ ଆମକୁ ମାନସିକ ଚାପରୁ ଆତ୍ମବଳ ଓ ନକରାତ୍ମକତାରୁ ସୃଜନାତ୍ମକତାର ରାସ୍ତା ଦେଖାଇଥାଏ । ଅବସାଦରୁ ଉତ୍ସାହ ଯାଏ ନେଇଯାଏ । ଏହା ଆମ ପାଇଁ ସୁରକ୍ଷା କବଚ ଭଳି କାମ କରିଥାଏ । ସେଥିଲାଗି ଅଧିକାଂଶ ଦେଶରେ ଯୋଗ ଦିବସ ସେମାନଙ୍କର ପାରମ୍ପରିକ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇନଥିଲେ ବି ସେମାନେ ଏହାକୁ ଅନୁସରଣ କରୁଛନ୍ତି ।
ଭାରତ ଯେତେବେଳେ ଜାତିସଂଘରେ ଆନ୍ତର୍ଜାତିକ ଯୋଗ ଦିବସର ପ୍ରସ୍ତାବ ରଖିଥିଲା, ସେତେବେଳେ ସାରା ବିଶ୍ୱକୁ ଏହାର ଲାଭ ମିଳୁ ବୋଲି ଲକ୍ଷ୍ୟ ଥିଲା । ସେଥିଲାଗି ଭାରତ ଏବେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସହ ମିଶି ଏମ୍-ଯୋଗ ଆପ୍ର ଆରମ୍ଭ କରିବାକୁ ଯାଉଛି । ଏହି ମୋବାଇଲ୍ ଆପ୍ରୁ ଭିଡିଓ ଓ ଅଡିଓ ମାଧ୍ୟମରେ ଯୋଗର ବିଭିନ୍ନ ଆସନ ଓ ଅନ୍ୟାନ୍ୟ ବିଷୟରେ ଜାଣିବାକୁ ମିଳିବ । ତାହା ବିଭିନ୍ନ ଭାଷାରେ ମଧ୍ୟ ଉପଲବ୍ଧ ହେବ । ଗୋଟିଏ ବିଶ୍ୱ, ଗୋଟିଏ ସ୍ୱାସ୍ଥ୍ୟ ଉଦେ୍ଧଶ୍ୟ ନେଇ ଏହା ପ୍ରସ୍ତୁତ କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଏହି ଅବସରରେ ସେ ଏମ୍-ଯୋଗ ଆପ୍ର ଶୁଭାରମ୍ଭ କରିଥିଲେ । କାର୍ଯ୍ୟକ୍ରମରେ ଆୟୁଷ ରାଷ୍ଟ୍ରମନ୍ତ୍ରୀ କିରଣ ରିଜିଜୁ ଯୋଗଦେଇଥିଲେ । ପରେ ମୋରାରଜୀ ଦେଶାଇ ଜାତୀୟ ଯୋଗ ପ୍ରତିÂାନର ବିଶେଷଜ୍ଞମାନେ ଯୋଗାଭ୍ୟାସ ପ୍ରଦର୍ଶନ କରିଥିଲେ, ଯାହା ସିଧାପ୍ରସାରଣ ହୋଇଥିଲା ।
Comments are closed, but trackbacks and pingbacks are open.