କର୍ଣ୍ଣାଟକରେ ଇସ୍ତଫା ଦେଲେ ୩୧ ମନ୍ତ୍ରୀ

Get real time updates directly on you device, subscribe now.

ବେଙ୍ଗାଲୁରୁ: କର୍ଣ୍ଣାଟକ ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି । ୧୪ ବିଧାୟକ ଇସ୍ତଫା ଦେବା ପରେ ରାଜ୍ୟର କଂଗ୍ରେସ-ଜେଡିଏସ୍ ମେଣ୍ଟ ସରକାର ଦୋହଲିବାରେ ଲାଗିଛି । ଏଭଳି ପରିସ୍ଥିତିରେ ସୋମବାର କେବଳ ମୁଖ୍ୟମନ୍ତ୍ରୀ ଏଚ.ଡି କୁମାରସ୍ୱାମୀଙ୍କୁ ବାଦ୍ ଦେଲେ ଅନ୍ୟ ୩୧ ଜଣ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି । ସେମାନଙ୍କ ମଧ୍ୟରେ ଅଛନ୍ତି କଂଗ୍ରେସର ୨୨ ଏବଂ ଜେଡିଏସ୍ର ୯ ମନ୍ତ୍ରୀ । ବିଦ୍ରୋହୀ ବିଧାୟକଙ୍କୁ ସେମାନେ ଫେରାଇ ଆଣିବା ପାଇଁ ଏଭଳି ପଦକ୍ଷେପ ନେଇଛନ୍ତି । ଖୁବଶୀଘ୍ର ମନ୍ତ୍ରିମଣ୍ଡଳରେ ଅଦଳବଦଳ କରାଯାଇ ବିଦ୍ରୋହୀ ବିଧାୟକଙ୍କୁ ଥଇଥାନ କରାଯିବ ବୋଲି ସୂଚନା ମିଳିଛି ।
ରବିବାର ଆମେରିକାରୁ ଫେରିବା ପରେ ମୁଖ୍ୟମନ୍ତ୍ରୀ ଏଚ୍ ଡି କୁମାରସ୍ୱାମୀ ଏକ ଜରୁରି ବୈଠକ ଡକାଇଥିଲେ । ବୈଠକରେ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଜେଡିଏସ୍ ମୁଖ୍ୟ ଏଚ୍ ଡି ଦେବେଗୌଡ଼ାଙ୍କ ସମେତ କଂଗ୍ରେସ ଓ ଜେଡିଏସ୍ର ବରିଷ୍ଠ ନେତାମାନେ ଯୋଗଦେଇଥିଲେ । ବୈଠକର ଦିନକ ପରେ ଅର୍ଥାତ୍ ଆଜି ଉପମୁଖ୍ୟମନ୍ତ୍ରୀ ଜି. ପରମେଶ୍ୱରଙ୍କ ସମେତ କଂଗ୍ରେସର ୨୨ ମନ୍ତ୍ରୀ ପ୍ରଥମେ ଇସ୍ତଫା ଦେଇଥିଲେ । ଏହାର କିଛି ସମୟ ପରେ ଜେଡିଏସ୍ର ୯ ମନ୍ତ୍ରୀ ଇସ୍ତଫା ଦେଇଥିଲେ । ସେମାନେ ସରକାରଙ୍କୁ ବଞ୍ଚାଇବା ଓ ବିଦ୍ରୋହୀ ନେତାମାନଙ୍କୁ ଶାନ୍ତ କରି ଫେରାଇ ଆଣିବାକୁ ଏଭଳି କରିଛନ୍ତି ।
ଖୁବ୍ଶୀଘ୍ର କର୍ଣ୍ଣାଟକ କ୍ୟାବିନେଟ୍ରେ ଅଦଳବଦଳ ହେବ ବୋଲି ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ କହିଛନ୍ତି । ବିଶେଷକରି ମେଣ୍ଟର ବିଦ୍ରୋହୀ ବିଧାୟକମାନଙ୍କୁ ଫେରାଇ ଆଣି ସେମାନଙ୍କୁ କ୍ୟାବିନେଟ୍ ପାହ୍ୟା ଦେବା ଲାଗି ଯୋଜନା କରାଯାଉଛି । କୌଣସିମତେ ସରକାର ଭାଙ୍ଗିବାକୁ ଦିଆଯିବ ନାହିଁ ବୋଲି ଉଭୟ କଂଗ୍ରେସ ଏବଂ ଜେଡିଏସ୍ ଚାହୁଁଛନ୍ତି । ଇତିମଧ୍ୟରେ ମୁମ୍ବାଇ ହୋଟେଲରେ ରହୁଥିବା ବିଦ୍ରୋହୀ ବିଧାୟକମାନେ ସେମାନଙ୍କ ଇସ୍ତଫା ପ୍ରତ୍ୟାହାର କରିବେ ନାହିଁ ବୋଲି ରୋକଠୋକ୍ ଭାବେ ଜଣାଇଦେଇଛନ୍ତି । ସେମାନଙ୍କ ମଧ୍ୟରୁ ୧୧ ଜଣ ବିଧାୟକ ଆଜି ମୁମ୍ବାଇରୁ ଗୋଆ ଅଭିମୁଖେ ଚାଲିଯାଇଛନ୍ତି । ଗୋଆର ଏକ ରିସୋର୍ଟରେ ସେମାନେ ରହିବେ ବୋଲି ଜଣାପଡ଼ିଛି ।
କର୍ଣ୍ଣାଟକରେ ଏଭଳି ସ୍ଥିତି ଦେଖାଦେଇଥିବା ବେଳେ ନୂଆଦିଲ୍ଲୀରେ ଆଜି ସନ୍ଧ୍ୟା ୭ଟାରେ କଂଗ୍ରେସର ବରିଷ୍ଠ ନେତାମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଦଳର ବରିଷ୍ଠ ନେତା ଗୁଲାମନବୀ ଆଜାଦ, ଆନନ୍ଦ ଶର୍ମା, ରଣଦୀପ ସୁର୍ଜେୱାଲା, ଅହମ୍ମଦ ପଟେଲ ଏବଂ ମୋତିଲାଲ ଭୋରା ଯୋଗଦେଇ କର୍ଣ୍ଣାଟକ ସଂକଟ ବାବଦରେ ଆଲୋଚନା କରିଛନ୍ତି । ବିଜେପିକୁ କୌଣସିମତେ ସରକାର ଗଢ଼ିବା ପାଇଁ ସୁଯୋଗ ନ ଦେବା ଲାଗି ସେମାନେ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି ।
ଅନ୍ୟପକ୍ଷରେ ରାଜ୍ୟରେ ସରକାର ଗଢ଼ିବା ଲାଗି ବିଜେପି ଭିତିରିଆ ରଣନୀତି ଚଳାଇଛି । ତେବେ ବିଜେପି ବର୍ତ୍ତମାନ ‘ୱେଟ୍ ଆଣ୍ଡ୍ ୱାଚ୍’ ନୀତି ଅବଲମ୍ବନ କରିଛି । ମେଣ୍ଟ ସ୍ଥିତି ଆହୁରି ବିଗିଡ଼ିବା ଉପରେ ଏହା ନଜର ରଖିଛି । ତା’ଛଡ଼ା ରାଜ୍ୟ ବିଧାନସଭା ବାଚସ୍ପତି କେ ଆର ରମେଶ କୁମାର ଇସ୍ତଫା ଦେଇଥିବା ୧୧ କଂଗ୍ରେସ ଓ ୩ ଜେଡିଏସ୍ ବିଧାୟକଙ୍କ ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନେଇନାହାନ୍ତି । ସମ୍ଭବତଃ ଆସନ୍ତାକାଲି ସେ ନିଷ୍ପତ୍ତି ନେଇପାରନ୍ତି ବୋଲି ଆଶା କରାଯାଉଛି । ତେଣୁ ବିଜେପି ଅନ୍ତତଃ ମଙ୍ଗଳବାରକୁ ଅପେକ୍ଷା କରିବ ଏବଂ ସେହି ମୁତାବକ ରଣନୀତି ତିଆରି କରିବ । ରାଜ୍ୟ ବିଜେପି ମୁଖ୍ୟ ବି ଏସ୍ ୟେଦ୍ୟୁରପ୍ପା ଅନ୍ତରୀଣ ନିର୍ବାଚନ ବାବଦରେ ନକାରାତ୍ମକ ମନ୍ତବ୍ୟ ଦେଇଛନ୍ତି । କହିଛନ୍ତି, ମେଣ୍ଟ ସରକାର ଭାଙ୍ଗିଲେ ବିଜେପି ସରକାର ଗଢ଼ିବ । କିନ୍ତୁ ଅନ୍ତରୀଣ ନିର୍ବାଚନର ପ୍ରଶ୍ନ ଉଠୁନାହିଁ ।
ଅନ୍ୟ ଏକ ସୂତ୍ରରୁ ଜଣାପଡ଼ିଛି ଯେ ବିଜେପି ଏହାର ୧୦୫ ବିଧାୟକଙ୍କ ପାଇଁ ହୋଟେଲରେ ୩୦ ରୁମ୍ ବୁକ୍ କରିଛି । ବିଧାୟକମାନେ ସେଠାରେ କିଛିଦିନ ରହିବେ । ମେଣ୍ଟକୁ ନେଇ ସ୍ଥିତି ସ୍ପଷ୍ଟ ହେବା ପରେ ବିଜେପି ଗୋଟି ଚଳାଇବ । ଇତିମଧ୍ୟରେ ସ୍ୱାଧୀନ ବିଧାୟକ ଏଚ୍ ନାଗେଶ ମନ୍ତ୍ରୀ ପଦରୁ ଇସ୍ତଫା ଦେବା ସହ ମେଣ୍ଟ ସରକାରରୁ ସମର୍ଥନ ପ୍ରତ୍ୟାହାର କରିଛନ୍ତି । ସେ ବିଜେପିକୁ ସମର୍ଥନ ଦେବେ ବୋଲି ଘୋଷଣା କରିଛନ୍ତି । ସେ ଯଦି ବିଜେପିକୁ ସମର୍ଥନ ଦିଅନ୍ତି, ତେବେ ବିଧାନସଭାରେ ବିଜେପିର ଅଙ୍କ ୧୦୬କୁ ବୃଦ୍ଧି ପାଇବ । ରାଜ୍ୟ ବିଧାନସଭାର ମୋଟ ଆସନ ସଂଖ୍ୟା ୨୨୪ ରହିଥିବା ବେଳେ ବହୁମତ ସଂଖ୍ୟା ହେଉଛି ୧୧୩ ।
କର୍ଣ୍ଣଟକରେ ଏଭଳି ରାଜନୈତିକ ସଂକଟକୁ ନେଇ ରାଜ୍ୟ କଂଗ୍ରେସ ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ଉପରେ ପରୋକ୍ଷରେ ଅଙ୍ଗୁଳି ଉଠୁଛି । କାରଣ ମେଣ୍ଟ ଗଠନକୁ ସେ ପ୍ରଥମରୁ ବିରୋଧ କରୁଥିଲେ ଏବଂ ରାହୁଲ ଗାନ୍ଧୀଙ୍କୁ ସତର୍କ କରାଇଥିଲେ । ରାହୁଲ କିନ୍ତୁ ଶୁଣିନଥିଲେ । ଏହାକୁ ନେଇ ସରକାର ଗଠନ ହେବା ଦିନରୁ ହିଁ ବିବାଦ ଜାରି ରହିଛି । ତା’ଛଡ଼ା ଇସ୍ତଫା ଦେଇଥିବା ୧୧ ବିଦ୍ରୋହୀ କଂଗ୍ରେସ ବିଧାୟକଙ୍କ ମଧ୍ୟରେ ଅଧିକାଂଶ ସିଦ୍ଧରମୈୟାଙ୍କ ସମର୍ଥକ ବୋଲି ଜଣାପଡ଼ିଛି । ତେବେ ସିଦ୍ଧରମୈୟା ଏଭଳି ରିପୋର୍ଟକୁ ଖଣ୍ଡନ କରିବା ସବୁ ଦୋଷ ବିଜେପିକୁ ଦେଇଛନ୍ତି ।
କର୍ଣ୍ଣାଟକ ରାଜନୈତିକ ସଂକଟକୁ ନେଇ ଆଜି ସଂସଦରେ ମଧ୍ୟ ହଙ୍ଗାମା ହୋଇଛି । ଲୋକସଭାରେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ କର୍ଣ୍ଣାଟକର ସଂକଟ ପାଇଁ ବିଜେପିକୁ ଦୋଷ ଦେଇଛନ୍ତି । ଲୋକସଭାର ଶୂନ୍ୟକାଳରେ ସେ କହିଛନ୍ତି, କର୍ଣ୍ଣାଟକ ଓ ମଧ୍ୟପ୍ରଦେଶରେ କଂଗ୍ରେସ ନେତୃତ୍ୱାଧୀନ ସରକାରକୁ ଭାଙ୍ଗିବା ପାଇଁ ବିଜେପି ଅନବରତ ଷଡ଼ଯନ୍ତ୍ର ଚଳାଇ ଆସିଛି । କେନ୍ଦ୍ରର ବିଜେପି ସରକାର ଏହି ମସୁଧା ଚଳାଇଛି । ସେମାନେ ଆମର ବିଧାୟକମାନଙ୍କୁ ନେଇ ମୁମ୍ବାଇର ଏକ ପଞ୍ଚତାରକା ହୋଟେଲରେ ରଖିଛନ୍ତି । ବିଧାୟକମାନେ ରାଜ୍ୟପାଳଙ୍କୁ ଭେଟିବା ପରେ ସେମାନଙ୍କୁ ତୁରନ୍ତ ଗାଡି଼, ବିମାନ ଓ ହୋଟେଲ ରହଣି ସୁବିଧା ଯୋଗାଇ ଦିଆଯାଇଥିଲା ।
ଅନ୍ୟପକ୍ଷରେ ବିଜେପିର ବରିଷ୍ଠ ନେତା ତଥା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି, କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଥମେ ଇସ୍ତଫା ଅଭିଯାନ ଆରମ୍ଭ କରିଥିଲେ । ବଡ଼ ନେତାମାନେ ଇସ୍ତଫା ଦେଉଥିବାରୁ ଦଳର ଅନ୍ୟମାନେ ତାଙ୍କୁ ଅନୁସରଣ କରୁଛନ୍ତି । ରାଜନାଥ ଏତିକି କହିବା ପରେ କଂଗ୍ରେସ ସାଂସଦମାନେ ହୋହଲ୍ଲା ଆରମ୍ଭ କରିଥିଲେ । ‘ଗଣତନ୍ତ୍ରର ସୁରକ୍ଷା କର’ ଲେଖା ଥିବା ପ୍ଲାକାର୍ଡ ଧରି ସେମାନେ ହଙ୍ଗାମା କରିଥିଲେ । ସେମାନଙ୍କୁ ଶାନ୍ତି ରକ୍ଷା ପାଇଁ ବାଚସ୍ପତି ଓମ୍ ବିର୍ଲା ଯେତେ କହିଲେ ବି ସେମାନେ କର୍ଣ୍ଣପାତ କରିନଥିଲେ । ଏହାପରେ ବାଚସ୍ପତି ଗୃହ ମୁଲତବୀ ରଖିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons