ବେଙ୍ଗାଲୁରୁ: କର୍ଣ୍ଣାଟକରେ ଏଚ୍ଡି କୁମାରସ୍ୱାମୀଙ୍କ ନେତୃତ୍ୱାଧୀନ କଂଗ୍ରେସ-ଜେଡିଏସ୍ ସରକାରର ପତନ ଘଟିବା ପରେ ବିକଳ୍ପ ସରକାର ଗଠନ କରିବା ଲାଗି ବିଜେପି ସଜବାଜ ହୋଇ ରହିଛି । କେବଳ ଦଳର କେନ୍ଦ୍ରୀୟ ହାଇକମାଣ୍ଡଙ୍କ ନିର୍ଦ୍ଦେଶକୁ ଅପେକ୍ଷା କରାଯାଇଛି ବୋଲି କହିଛନ୍ତି ବିଜେପି ରାଜ୍ୟ ଶାଖା ସଭାପତି ବି.ଏସ୍. ୟେଦୁରପ୍ପା ।
ବେଙ୍ଗାଲୁରୁ ଠାରେ ଥିବା ଆରଏସ୍ଏସ୍ କାର୍ଯ୍ୟାଳୟ ‘କେଶବ କୃପା’କୁ ଆଜି ୟେଦୁରପ୍ପା ପରିଦର୍ଶନରେ ଆସିଥିଲେ । ସେଠାରେ ସେ ବିଜେପିର ମାର୍ଗଦର୍ଶକ ଆରଏସ୍ଏସ୍ର ତୁଙ୍ଗ ନେତାଙ୍କ ଆଶୀର୍ବାଦ ନେଇଥିଲେ । ପରେ ସାମ୍ବାଦିକଙ୍କୁ କହିଥିଲେ ଯେ ସରକାର ଗଠନ ଲାଗି ସେ ପ୍ରସ୍ତୁତ ଅଛନ୍ତି । କେବଳ କେନ୍ଦ୍ରୀୟ ନିର୍ଦ୍ଦେଶକୁ ଅପେକ୍ଷା କରିଛନ୍ତି । ସେଠାରୁ ନିର୍ଦ୍ଦେଶ ମିଳିବା ମାତ୍ରେ ସେ ରାଜଭବନ ଯାଇ ରାଜ୍ୟପାଳ ବଜୁଭାଇ ରୁଦାଭାଇ ବାଲାଙ୍କୁ ଭେଟି ସରକାର ଗଠନ ଲାଗି ଦାବି ଜଣାଇବେ । ଏଥିସହିତ ବିଜେପି ବିଧାୟକ ଦଳ ବୈଠକ ମଧ୍ୟ ଯେକୌଣସି ମୁହୂର୍ତ୍ତରେ ସେ ଡକାଇ ନେତା ନିର୍ବାଚନ ପ୍ରକ୍ରିୟା ଶେଷ କରିବେ । ସେ କହିଛନ୍ତି ଆରଏସ୍ଏସ୍ର ଆଶୀର୍ବାଦ ଓ ସହଯୋଗ ଯୋଗୁ ସେ ଜଣେ ସାଧାରଣ ଦଳୀୟ କର୍ମୀରୁ ମୁଖ୍ୟମନ୍ତ୍ରୀ ହେବାର ସୌଭାଗ୍ୟ ଲାଭ କରିପାରିଛନ୍ତି । ସେଥିପାଇଁ ସରକାର ଗଢ଼ିବା ପୂର୍ବରୁ ସେ ଆର୍ଏସ୍ଏସ୍ ନେତାଙ୍କ ଆଶୀର୍ବାଦ ନେଇଛନ୍ତି । ଗତକାଲି ବିଧାନସଭାରେ ଆସ୍ଥା ଭୋଟରେ କୁମାରସ୍ୱାମୀ ସରକାରର ପତନ ଘଟିଥିଲା । ସରକାରଙ୍କ ସପକ୍ଷରେ ୯୯ ସଦସ୍ୟ ଭୋଟ ଦେଇଥିଲା ବେଳେ ବିପକ୍ଷରେ ୧୦୫ ସଦସ୍ୟ ଭୋଟ ଦେଇଥିଲେ । ଫଳରେ ରାଜ୍ୟରେ ୧୪ ମାସର ମେଣ୍ଟ ସରକାର ଭାଙ୍ଗି ଯାଇଥିଲା । କୁମାରସ୍ୱାମୀ ରାଜ୍ୟପାଳଙ୍କୁ ଭୋଟି ତାଙ୍କ ଇସ୍ତଫାପତ୍ର ପ୍ରଦାନ କରିଥିଲେ । ନୂଆ ସରକାର ଗଠନ ହେବା ଯାଏ ରାଜ୍ୟପାଳ ତାଙ୍କୁ କାମଚଳା ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଦେଇଛନ୍ତି ।
ସେପଟେ କୁମାରସ୍ୱାମୀ ଆଜି ତାଙ୍କ ଅଫିସ ଖାଲି କରିଛନ୍ତି । ଏହି ଅବସରରେ ସେ ମୁଖ୍ୟ ସଚିବ ଓ ସଚିବାଳୟର ଅନ୍ୟ ବରିଷ୍ଠ ଅଧିକାରୀଙ୍କୁ ଭେଟିଥିଲେ । ସେମାନଙ୍କ ସହ ଆଲୋଚନା କାଳରେ କୁମାରସ୍ୱାମୀ କହିଲେ ଯେ ରାଜ୍ୟରେ ନୂଆ ସରକାର ଗଠନ ହେଲେ ମଧ୍ୟ ଅସ୍ଥିରତା ଲାଗି ରହିବ । ଏଭଳି ସମୟରେ ଲୋକ ପ୍ରତିନିଧିଙ୍କ ଉପରେ ସେମାନେ ଅଧିକ ନିର୍ଭର କରିବା ଉଚିତ ନୁହେଁ । କାରଣ ଅସ୍ଥିରତା ବେଳେ ଲୋକ ପ୍ରତିନିଧି ନୁହନ୍ତି, ବରଂ ଅଫିସରମାନେ ହିଁ ଠିକ୍ ଭାବେ ଲୋକମାନଙ୍କ ସମସ୍ୟା ସମାଧାନ କରିପାରିବେ । ସେ ଯେତେବେଳେ ଶପଥ ନେଲେ ରାଜ୍ୟର ଚାଷୀଙ୍କ ପାଇଁ ଋଣ ଛାଡ କରିବାକୁ ନିଷ୍ପତ୍ତି ନେଲେ । ସେଥିପାଇଁ ଋଣଛାଡ ଆଇନ ଆଣିଲେ । ଯାହାଫଳରେ କୃଷକ ଓ କୃଷି ଶ୍ରମିକମାନେ ଉପକୃତ ହେବେ । ଏହି ଆଇନ ରାଷ୍ଟ୍ରପତିଙ୍କ ପାଖକୁ ଅନୁମୋଦନ ଲାଗି ପଠାଯାଇଥିଲା । ତାହା ଅନୁମୋଦନ ଲାଭ କରିଛି ଓ ସରକାରଙ୍କ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ସେଥିପାଇଁ ସେ ବହୁତ ଖୁସି । ଦୁର୍ବଳ ଶ୍ରେଣୀଙ୍କ ପାଇଁ କିଛି କରିପାରିଛନ୍ତି ।
ଅନ୍ୟପକ୍ଷରେ ଦୁଇ ସ୍ୱାଧୀନ ବିଧାୟକ ଆର ଶଙ୍କର ଓ ଏଚ ନାଗେଶଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଆଗତ ଆବେଦନର ଶୁଣାଣି ଆଜି ମଧ୍ୟ ହୋଇପାରିନାହିଁ । ପୂର୍ବରୁ ଉଭୟେ ତୁରନ୍ତ ବିଧାନସଭାରେ ଆସ୍ଥା ଭୋଟ ଲାଗି ନିର୍ଦ୍ଦେଶ ଦେବାକୁ ଅନୁରୋଧ କରିଥିଲେ । କିନ୍ତୁ ଆସ୍ଥା ଭୋଟ ଶେଷ ହୋଇସାରିଥିବାରୁ ଆଜି ସେମାନେ ନିଜ ପିଟିସନ ପ୍ରତ୍ୟାହାର କରିବା ଲାଗି ନିବେଦନ କରିଥିଲେ । କିନ୍ତୁ ସେମାନଙ୍କ ପକ୍ଷରୁ ମାମଲା ଲଢ଼ୁଥିବା ବରିଷ୍ଠ ଓକିଲ ମୁକୁଲ ରୋହତଗୀ ଓ କର୍ଣ୍ଣାଟକ ବାଚସ୍ପତି କେ. ଆର ରମେଶ କୁମାରଙ୍କ ଓକିଲ ଅଭିଷେକ ମନୁ ସିଂଘଭି ଆଜି କୋର୍ଟରେ ଉପସ୍ଥିତି ନଥିଲେ । ଯାହାଫଳରେ ଶୁଣାଣି ଗୁରୁବାରକୁ ଘୁଞ୍ôଚଯାଇଛି । ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ, ବିଚାରପତି ଦୀପକ ଗୁପ୍ତା ଓ ବିଚାରପତି ଅନିରୁଦ୍ଧ ବୋଷଙ୍କୁ ନେଇ ଗଠିତ ଖଣ୍ଡପୀଠ ପଚାରିଥିଲେ ମୁକୁଲ ରୋହତଗୀ ଓ ଏ.ଏମ୍ ସିଂଘଭି କୁଆଡେ ଗଲେ? ସେମାନେ ଆମର ବହୁ ସମୟ ନଷ୍ଟ କରିଲେଣି । ସେମାନେ କୋର୍ଟରେ ଉପସ୍ଥିତ ରହିବା ପରେ ଆମେ ରାୟ ଶୁଣାଇବୁ ।
Comments are closed, but trackbacks and pingbacks are open.