କର୍ଣ୍ଣାଟକ ମେଣ୍ଟ ସରକାରକୁ ଝଟ୍କା: ଇସ୍ତଫା ଦେଲେ ୨ କଂଗ୍ରେସ ବିଧାୟକ

Get real time updates directly on you device, subscribe now.

ବେଙ୍ଗାଲୁରୁ: କର୍ଣ୍ଣାଟକରେ ଆଜି ଜେଡିଏସ୍-କଂଗ୍ରେସ ମେଣ୍ଟ ସରକାରକୁ ଶକ୍ତ ଝଟ୍କା ଲାଗିଛି । କଂଗ୍ରେସର ଦୁଇଜଣ ବିଧାୟକ ଆଜି ଇସ୍ତଫା ଦେଇଛନ୍ତି । ସେମାନେ ହେଲେ ଆନନ୍ଦ ସିଂହ (ବିଜୟନଗର) ଓ ରମେଶ ଜରକିହୋଲି (ଗୋକକ) । ପୂର୍ବରୁ ଅନ୍ୟତମ କଂଗ୍ରେସ ବିଧାୟକ ଉମେଶ ଯାଦବ ମଧ୍ୟ ଇସ୍ତଫା ଦେଇସାରିଛନ୍ତି ।
ସୂଚନା ଅନୁସାରେ ପ୍ରଥମେ ସିଂହ ରାଜଭବନ ଯାଇ ରାଜ୍ୟପାଳ ବାଜୁଭାଇ ରୁଦାଭାଇ ବାଲାଙ୍କୁ ନିଜ ଇସ୍ତଫାପତ୍ର ପ୍ରଦାନ କରିଥିଲେ । ଏହାର କିଛି ସମୟ ପରେ ଜରକିହୋଲି ରାଜ୍ୟ ବିଧାନସଭା ବାଚସ୍ପତି କେ.ଆର ରମେଶ କୁମାରଙ୍କୁ ଭେଟି ଇସ୍ତଫାପତ୍ର ଦେଇଥିଲେ । କିନ୍ତୁ ବାଚସ୍ପତି କୌଣସି ଇସ୍ତଫାପତ୍ର ପାଇନଥିବା କହିଛନ୍ତି । ଉଭୟେ ବିଧାୟକ ଇସ୍ତଫା ଦେବାର କାରଣ ସମ୍ପର୍କରେ ମଧ୍ୟ କିଛି କହିନାହାନ୍ତି । ସିଂହ ବିଜେପିରେ ଯୋଗଦେବା ନେଇ ଚର୍ଚ୍ଚା ହେଉଛି । ସେହିଭଳି ଜରକିହୋଲି ଗତ ୬ମାସ ପୂର୍ବରୁ ଇସ୍ତଫା ଦେବେ ବୋଲି ଘୋଷଣା କରିଥିଲେ । ଦୁଇ ବିଧାୟକଙ୍କ ଇସ୍ତଫା ପରେ କଂଗ୍ରେସ ବିଧାୟକ ଦଳ ନେତା ସିଦ୍ଦରମୈୟା ଆଜି ତାଙ୍କ ବାସଭବନରେ ବିଧାୟକ ଦଳର ଜରୁରି ବୈଠକ ଡକାଇ ପରିସ୍ଥିତି ଉପରେ ଆଲୋଚନା କରିଥିଲେ । ଅନ୍ୟପକ୍ଷରେ ଏକ ମନ୍ଦିର ଶିଳାନ୍ୟାସ ପାଇଁ ଆମେରିକା ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ଏଚ୍.ଡି କୁମାରସ୍ୱାମୀ ରାଜ୍ୟର ଏହି ରାଜନୈତିକ ପରିସ୍ଥିତି ବିଷୟରେ ଅବଗତ ଥିବା ଟୁଇଟ କରିଛନ୍ତି । କହିଛନ୍ତି କଂଗ୍ରେସର ୨ ବିଧାୟକ ଇସ୍ତଫା ଦେବା ସେ ଶୁଣିବାକୁ ପାଇଛନ୍ତି । ଏହା ପଛରେ ବିଜେପିର ହାତ ରହିଛି । ତାଙ୍କ ସରକାରକୁ ଗାଦିଚ୍ୟୁତ କରି କ୍ଷମତା ଦଖଲ କରିବାକୁ ବିଜେପି ଦିବାସ୍ୱପ୍ନ ଦେଖୁଛି ବୋଲି ସେ କହିଛନ୍ତି ।
ଗତବର୍ଷ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ରାଜ୍ୟର ମୋଟ ୨୨୫ ଆସନରୁ କଂଗ୍ରେସ ୮୦, ଜେଡିଏସ୍ ୨୭ ଓ ବିଜେପି ୧୦୪ଟି ଆସନ ପାଇଥିଲା । କୌଣସି ଦଳକୁ ସ୍ପଷ୍ଟ ବହୁମତ ମିଳିନଥିବା ବେଳେ ବହୁ ବାଦବିବାଦ ପରେ ଶେଷରେ କଂଗ୍ରେସ ଓ ଜେଡିଏସ୍ ମିଳିତ ଭାବେ ସରକାର ଗଠନ କରିଥିଲେ । ଦୁଇ ବିଧାୟକଙ୍କ ଇସ୍ତଫା ଦେଇଥିଲେ ମଧ୍ୟ ମେଣ୍ଟ ସରକାର ପ୍ରତି କୌଣସି ବିପଦ ନାହିଁ । କାରଣ ମେଣ୍ଟ ସରକାର ନିକଟରେ ଏବେ ବି ସଂଖ୍ୟାଗରିଷ୍ଠତା ରହିଛି । ତଥାପି ଆହୁରି ୫ ଜଣ କଂଗ୍ରେସ ବିଧାୟକ ମଧ୍ୟ ଇସ୍ତଫା ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଏଭଳି ହେଲେ ମେଣ୍ଟ ସରକାର ପ୍ରତି ବିପଦ ସୃଷ୍ଟି ହେବ । ଇତିମଧ୍ୟରେ ରାଜ୍ୟର ରାଜନୈତିକ ଗତିବିଧି ଉପରେ ବିଜେପି ତୀକ୍ଷ୍ଣ ନଜର ରଖିଛି । ରାଜ୍ୟ ବିଜେପି ଶାଖା ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବି.ଏସ୍. ୟେଦୁରପ୍ପା କହିଛନ୍ତି ମେଣ୍ଟ ସରକାର ଭାଙ୍ଗିବାକୁ ବିଜେପି ଚାହୁଁନି । କିନ୍ତୁ ୫ ବର୍ଷର କାର୍ଯ୍ୟକାଳ ଶେଷ କରିବା ପୂର୍ବରୁ ଯଦି ମେଣ୍ଟ ସରକାର ଆପଣାଛାଏଁ ଭାଙ୍ଗିଯିବ ତେବେ ସେହିଭଳି କ୍ଷେତ୍ରରେ ବିଜେପି ବିକଳ୍ପ ସରକାର ଗଠନ କରିବା ଦିଗରେ ଆବଶ୍ୟକ ପଦକ୍ଷେପ ନେବ । କିନ୍ତୁ ରାଜ୍ୟରେ ସାନି ନିର୍ବାଚନ ହେବାର ପ୍ରଶ୍ନ ଉଠୁନାହିଁ ବୋଲି ସେ ସ୍ପଷ୍ଟ କରିଦେଇଛନ୍ତି ।
ସୂଚନାଯୋଗ୍ୟ ଯେ କିଛିମାସ ତଳେ ବିଜେପିର ଘୋଡା ବେପାର ଭୟରେ ସିଂହଙ୍କ ସମେତ କଂଗ୍ରେସର ସବୁ ବିଧାୟକଙ୍କୁ ବେଙ୍ଗାଲୁରୁ ସହରତଳି ବିଦାଡି ଠାରେ ଥିବା ଇଗଲଟନ ରିସୋର୍ଟରେ ରଖାଯାଇଥିଲା । ସେହି ସମୟରେ ସିଂହ ବିଜେପି ସହ ସମ୍ପର୍କରେ ଥିବା ନେଇ ଅନ୍ୟତମ କଂଗ୍ରେସ ବିଧାୟକ ଜେ.ଏନ୍ ଗଣେଷ ଅଭିଯୋଗ ଆଣିଥିଲେ । ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା ଏବଂ ଗଣେଷଙ୍କ ଆକ୍ରମଣରେ ସିଂହ ଗୁରୁତର ଭାବେ ଆହତ ହୋଇଥିଲେ । ସିଂହ ମଧ୍ୟ ବେଲାରି ଜିଲ୍ଲା ସନ୍ଦୁର ତହସିଲ ଅଞ୍ଚଳରେ ଜେଏସ୍ଡବ୍ଲ୍ୟୁ ଷ୍ଟିଲ ପ୍ଲାଣ୍ଟ ପାଇଁ ୩,୬୬୭ ଏକର ଜମି ଦେବାକୁ କୁମାରସ୍ୱାମୀ ସରକାର ନେଇଥିବା ନିଷ୍ପତ୍ତିକୁ ବିରୋଧ କରିଥିଲେ । ସେହିଭଳି ୨୦୧୮ ଡିସେମ୍ବରରେ କ୍ୟାବିନେଟରୁ ବାଦ୍ ପଡିବା ପରେ ଜରକିହୋଲି ଅନ୍ୟ କିଛି କଂଗ୍ରେସ ବିଧାୟକଙ୍କୁ ନେଇ ସରକାର ଭାଙ୍ଗିବାକୁ ପ୍ରୟାସ କରିଥିଲେ । ସେଥିପାଇଁ କିଛି କଂଗ୍ରେସ ବିଧାୟକ ଇସ୍ତଫା ଦେଇ ବିଜେପିକୁ ସରକାର ଗଠନରେ ସହଯୋଗ କରିବାକୁ ଚାହୁଁଥିଲେ । ଗତ ମାର୍ଚ୍ଚରେ କଂଗ୍ରେସ ବିଧାୟକ ଉମେଶ ଯାଦବ ଦଳ ଛାଡିଥିଲେ । ସେ ବିଜେପି ଟିକେଟରେ କାଲବୁର୍ଗି ଲୋକସଭା ଆସନରୁ ନିର୍ବାଚନ ଲଢ଼ିଥିଲେ । ନିର୍ବାଚନରେ ସେ କଂଗ୍ରେସର ବରିଷ୍ଠ ନେତା ମଲିକାର୍ଜୁନ ଖରଗେଙ୍କୁ ହରାଇଥିଲେ । ସେହିଭଳି ଚିଞ୍ଚୋଲି ବିଧାନସଭା ଉପନିର୍ବାଚନରେ ଉମେଶ ଯାଦବଙ୍କ ପୁଅ ଅବିନାଶ ଯାଦବ ବିଜେପି ଟିକେଟରେ ଲଢ଼ି ବିଜୟୀ ହୋଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons