ନୟାଗଡ଼,(ବି.ବି.ନ୍ୟୁଜ୍): ପୂର୍ବ ଶତ୍ରୃତାକୁ କେନ୍ଦ୍ର କରି ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା କଲ୍ୟାଣପୁର ଗ୍ରାମର ରବି ପ୍ରଧାନ(୨୩)ଙ୍କୁ ସେହି ଗ୍ରାମର ସରପଞ୍ଚଙ୍କ ପୁଅ ଜ୍ୟୋତିର୍ମୟ ମହାନ୍ତି (୩୫) ଓରଫ କାଳୁ ଏବଂ ତା’ର ସହଯୋଗୀମାନେ ଅପହରଣ କରିନେବା ପରେ ନିର୍ମମ ହତ୍ୟା କରିଥିଲେ । ହତ୍ୟା ପରେ ରବିଙ୍କ ଶବକୁ ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ବଡ଼ପୋଖରୀଆ ଗ୍ରାମ ନିକଟ ଜଙ୍ଗଲରେ ପୋଡ଼ି ଦେଇ ଫେରାର ହୋଇଯାଇଥିଲେ । ପୁଲିିସ୍ ତଦନ୍ତ କାଳରେ ଏମାନଙ୍କ ସହଯୋଗୀ କୁହାଯାଉଥିବା ପଡୋଶୀ ଜାମୁଝଲା ଗ୍ରାମର ବାଳକୃଷ୍ଣ ବରାଡ଼(୩୫) ଓରଫ ବୁଲୁକୁ ଗିରଫ କରି ଘଟଣାର ଖୁଲାସା କରିଥିଲା । ତେବେ ଏହି ହତ୍ୟାକାଣ୍ଡରେ ଏକାଧିକ ବ୍ୟକ୍ତି ସଂପୃକ୍ତ ରହିଥିବା ପୁଲିସ୍ ଜାଣିବା ପରେ ଅଭିଯୁକ୍ତମାନଙ୍କୁ ଖୋଜିଥିଲା । ଧରା ପଡିଯିବା ଭୟରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା କାଳୁ ମହାନ୍ତି ଓ ତା’ର ୫ଜଣ ସହଯୋଗୀ ବୁଧବାର ଓଡ଼ଗାଁ କୋର୍ଟରେ ଆତ୍ମ ସମର୍ପଣ କରିଛନ୍ତି । ସେମାନେ ହେଲେ କଲ୍ୟାଣପୁର ଗ୍ରାମର ମୁଖ୍ୟ ଅଭିଯୁକ୍ତ କାଳୁ, ଶ୍ରୀନିବାସ ପାତ୍ର(୫୧) ଓରଫ ବୁଲୁ,ଲକ୍ଷ୍ମୀଧର ନାୟକ(୩୨), ଆନନ୍ଦ ଚନ୍ଦ୍ର କାଣ୍ଡି(୨୭) ଓରଫ ମୁନା, ସୁରେନ୍ଦ୍ର ନାୟକ(୪୮) ଓରଫ କାଳିଆ ଏବଂ ନୀଳକଣ୍ଡ ପ୍ରଧାନ(୪୦) ଓରଫ ମିଟୁ । ପରେ କଡ଼ା ସୁରକ୍ଷା ଭିତରେ ସେମାନଙ୍କୁ ନୟାଗଡ଼ ଜେଲକୁ ନିଆଯାଇଥିଲା । ଏବେ ସେମାନେ ନୟାଗଡ଼ ଜେଲର ଚାରିକାନ୍ଥ ଭିତରେ ରହିଛନ୍ତି । ଏମାନଙ୍କୁ ମିଶାଇ ମୋଟ ୭ଜଣ ଅଭିଯୁକ୍ତ ଧରାପଡିଥିବା ବେଳେ ଏହି ହତ୍ୟାକାଣ୍ଡରେ ଆଉ ଅନେକ ବ୍ୟକ୍ତି ସଂପୃକ୍ତ ରହିଥିବା ପୁଲିସ୍ ସନ୍ଦେହ କରୁଛି । ତେଣୁ ଖୁବ୍ଶୀଘ୍ର ଏମାନଙ୍କୁ ରିମାଣ୍ଡରେ ଆଣି ପଚରାଉଚରା କରାଯିବ ବୋଲି ଜଣାପଡ଼ିଛି ।
Comments are closed, but trackbacks and pingbacks are open.