
ଭବାନୀପାଟଣା,(ବି.ବି.ନୁ୍ୟଜ): କଳାହାଣ୍ଡି ବିଶ୍ୱବିଦ୍ୟାଳୟର ନୂତନ କୁଳପତି ଭାବେ ଶୁକ୍ରବାର ଯୋଗ ଦେଇଛନ୍ତି ପ୍ରଫେସର ସଞ୍ଜୟ ଶତପଥୀ । ବିଶ୍ୱବିଦ୍ୟାଳୟକୁ ଆଗାମୀ ଦିନରେ ଏକ ପୂର୍ଣ୍ଣାଙ୍ଗ ବିଶ୍ୱବିଦ୍ୟାଳୟରେ ପରବର୍ତ୍ତିତ କରିବା ପାଇଁ ଆଠ ସୂତ୍ରୀ ଚିଠା ପ୍ରସ୍ତୁତ କରାଯାଇଥିବା ନେଇ କୁଳପତି ପ୍ରଫେସର ଶତପଥୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏହି ଅବସରରେ ଶ୍ରୀ ଶତପଥୀ ଦୁଇଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ପ୍ରାଧାନ୍ୟ ଦେଇଛନ୍ତି । ଐତିହ୍ୟପୂର୍ଣ୍ଣ କଳାହାଣ୍ଡିର ହଜାର ହଜାର ବର୍ଷ ପୁରୁଣା ଅନନ୍ୟ କିମ୍ବଦନ୍ତୀ ଗୁଡ଼ହାଣ୍ଡିର ଗବେଷଣା ଏବଂ ଭବାନୀପାଟଣାସ୍ଥିତ ପୁରାତନ ଜଳଉତ୍ସ ଆଶାସାଗରକୁ ବିଶ୍ୱବିଦ୍ୟାଳୟ ପୌଷ୍ୟ ଭାବେ ଗ୍ରହଣ କରିବ ବୋଲି ପ୍ରଫେସର ଶତପଥୀ ସୂଚନା ଦେଇଛନ୍ତି ।
ଏକ ବିଶ୍ୱବିଦ୍ୟାଳୟ କେବଳ ଶିକ୍ଷା ତଥା ପାଠ୍ୟକ୍ରମ ମଧ୍ୟରେ ସୀମିତ ନୁହେଁ, ବରଂ କୌଣସି ଏକ ଅଞ୍ଚଳକୁ ସମଗ୍ର ବିଶ୍ୱ ସହ ଯୋଡ଼ି ଦେଇପାରେ । ଶିକ୍ଷାର ବିକାଶ ସାଙ୍ଗକୁ ଅଞ୍ଚଳର ଆନୁଷଙ୍ଗିକ ବିକାଶ ପ୍ରତି ଗୁରୁତ୍ୱ ଦେଲେ ଅଞ୍ଚଳର ସାମଗ୍ରିକ ବିକାଶ ସାଧିତ ହେବ । କାର୍ଯ୍ୟରେ ଯୋଗ ଦେବା ଅବସରରେ ପରିତ୍ୟକ୍ତ ଆଶା ସାଗରକୁ ବିଶ୍ୱବିଦ୍ୟାଳୟର ପୋଷ୍ୟ ଗ୍ରହଣ ଘୋଷଣା କରି ଏଭଳି କିଛି ବାର୍ତ୍ତା ଦେଇଛନ୍ତି କଳାହାଣ୍ଡି ବିଶ୍ୱବିଦ୍ୟାଳୟର ନୂଆ କୁଳପତି ।
ଆଠ ସୂତ୍ରୀ ଚିଠା ଅନୁଯାୟୀ, ବିଶ୍ୱବିଦ୍ୟାଳୟ ନୂଆ କ୍ୟାମ୍ପସ ସକାଶେ ସରକାର ଓ ଜିଲ୍ଲା ପ୍ରଶାସନର ସହଯୋଗରେ ଅନୂ୍ୟନ ଶହେ ଏକର ଜମି ଚିହ୍ନଟ କରାଯିବା ସହ ନୂଆ ପ୍ରଶାସନିକ ଓ ଏକାଡେମୀ ବିଲ୍ଡିଂ ନିର୍ମାଣ, ବିଶ୍ୱବିଦ୍ୟାଳୟ ସିଣ୍ଡିକେଟ୍, ବୋର୍ଡ ଅଫ୍ ଷ୍ଟଡିଜ୍ ଓ ଏକାଡେମୀ କାଉନସିଲ୍ ଗଠନ ଆବଶ୍ୟକ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀଙ୍କ ନିଯୁକ୍ତି, ପିଏଚ୍ଡି ପାଠ୍ୟକ୍ରମର ପ୍ରଚଳନ, ନୂଆ ପାଠ୍ୟକ୍ରମଗୁଡ଼ିକର ଆରମ୍ଭ ସହ ବିଶ୍ୱଦ୍ୟାଳୟ ନିଜସ୍ୱ ଜମି ଚିହ୍ନଟ, ଜବରଦଖଲ ଉଚ୍ଛେଦ, ପାଚେରୀ ନିର୍ମାଣ ଓ ବିଶ୍ୱବିଦ୍ୟାଳୟ ପକ୍ଷରୁ ରାଜସ୍ୱ ସୃଷ୍ଟି ଆଦି ୮ଟି ପଦକ୍ଷେପ ଯୁଦ୍ଧକାଳୀନ ଭିତ୍ତିରେ କରାଯିବ ବୋଲି ପ୍ରଫେସର ଶତପଥୀ ସୂଚନା ଦେଇଛନ୍ତି । ତେବେ ଐତିହ୍ୟପୂର୍ଣ୍ଣ କଳାହାଣ୍ଡିର ହଜାର ହଜାର ବର୍ଷ ପୁରୁଣା କିମ୍ବଦନ୍ତୀ ଥିବା ଗୁଡ଼ହାଣ୍ଡିର ଗବେଷଣା ଏବଂ ଭବାନୀପାଟଣାସ୍ଥିତ ପୁରାତନ ଜଳଉତ୍ସ ଆଶାସାଗରକୁ ବିଶ୍ୱବିଦ୍ୟାଳୟ ପୌଷ୍ୟ ଭାବେ ଗ୍ରହଣ କରି ତା’ର ରକ୍ଷଣବେକ୍ଷଣ, ଉନ୍ନତିକରଣ କରି ଉତ୍ତରଦାୟିତ୍ୱ ତୁଲାଇବ ବୋଲି ପ୍ରଫେସର ଶତପଥୀ ଦୃଢେ଼ାକ୍ତି ପ୍ରକାଶ କରିଛନ୍ତି । ଏହା ସହିତ ବିଶ୍ୱବିଦ୍ୟାଳୟରେ ଦୁଇଟି ନୂଆ ଆଡ-ଅନ୍ ପାଠ୍ୟକ୍ରମ ସେଣ୍ଟର ଫର୍ ଟ୍ରାଇବଲ୍ ଷ୍ଟଡିଜ୍ ଓ ସେଣ୍ଟର୍ ଅଫ୍ ଲେଙ୍ଗୁଆଜ୍ ଟ୍ରାନ୍ସଲେସନ୍ ବା ଭାଷା ଅନୁବାଦ ପାଠ୍ୟକ୍ରମ ଆରମ୍ଭ କରାଯିବ ବୋଲି କୁଳପତି ସୂଚନା ଦେଇଛନ୍ତି । ଏହା ସହିତ ପିଲାଙ୍କ ଏକ୍ସଟ୍ରା କରିକୁଲାର୍ ଏନ୍ସିସି, ଏନ୍ଏସ୍ଏସ୍ ଓ ଏrପୋଜର୍ ଭିଜିଟ୍କୁ ଗୁରୁତ୍ୱ ଦିଆଯିବ ବୋଲି କହିଛନ୍ତି ।
ସାମ୍ବାଦିକ ସମ୍ମିନଳୀରେ ବିଶ୍ୱବିଦ୍ୟାଳୟର ଭାରପ୍ରାପ୍ତ କୁଳସଚିବ ପଦ୍ମଲୋଚନ ଭୁଏ, ପ୍ରାଧ୍ୟାପକ କ୍ୟାପଟେନ୍ ଡ.ଜୟଦେବ ସାହୁ, ଅଖିଳ ଚନ୍ଦ୍ର ନାୟକ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ମନୋଜ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।


Comments are closed, but trackbacks and pingbacks are open.