କଳ୍ପନା ଓ ବବ୍ଲି ହତ୍ୟାକାଣ୍ଡ

Get real time updates directly on you device, subscribe now.

ଝାରସୁଗୁଡ଼ା, (ବି.ବି.ନୁ୍ୟଜ୍): କଳ୍ପନା ଦାସ ଓ ତାଙ୍କ ଝିଅ ବବ୍ଲି ହତ୍ୟାକାଣ୍ଡ ମାମଲାରେ ଆଜି ବୟାନ ରଖିବାକୁ ଥାନାରେ ପହଞ୍ଚିିଥିଲେ ମୃତାଙ୍କ ପିତା ରୁଦ୍ରାକ୍ଷ ଦାସ । ରାୟଗଡ଼ ଚକ୍ରଧରନଗର ଥାନାରେ ସେ ହାଜର ହୋଇ ପୁଲିସ ଆଗରେ କଳ୍ପନା ଓ ବବ୍ଲିଙ୍କ ନିଖୋଜ ଏବଂ ହତ୍ୟାକାଣ୍ଡକୁ ନେଇ ବୟାନ ରଖିଥିବା ଚକ୍ରଧରନଗର ପୁଲିସ କହିଛି । ହେଲେ ପୁଲିସ ତାଙ୍କ ଠାରୁ କ’ଣ ସବୁ ତଥ୍ୟ ଆଦାୟ କରିଛି ଏବଂ ହତ୍ୟାକାଣ୍ଡରେ ଅନୁପଙ୍କ ସମ୍ପୃକ୍ତି ନେଇ ସେ କ’ଣ କହିଛନ୍ତି ତାହା ଗୋପନୀୟ ରହିଛି । ପୁଲିସ ମଧ୍ୟ ଏ ଦିଗରେ ବିଶେଷ କିଛି କହିବାକୁ ମନା କରିଛି । ହେଲେ ରୁଦ୍ରାକ୍ଷଙ୍କ କଥାବାର୍ତ୍ତାରୁ ସେ କିଛି ମାନସିକ ଚାପ ଓ ଭୟରେ ରହି ତଥ୍ୟ ଲୁଚାଉଛନ୍ତି ଭଳି ଲାଗୁଛି ବୋଲି ତଦନ୍ତକାରୀ ପୁଲିସ କହିଛି । ଅନ୍ୟ ପକ୍ଷରେ ମାମଲାର ମୁଖ୍ୟ ଅଭିଯୁକ୍ତ ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଆଜି ରାୟଗଡ଼ ସିଜେଏମ୍ଙ୍କ ଅଦାଲତରେ ହାଜର କରାଯିବା ସହ ଆହୁରି ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।
ଆଜି ସକାଳେ କଳ୍ପନାଙ୍କ ପିତା ରୁଦ୍ରାକ୍ଷ ଦାସ ଏବଂ ସାବତ ମା’ ତୀର୍ଥ ଯାତ୍ରାରୁ ପୁରୀ ଦେଇ ଝାରସୁଗୁଡ଼ା ବ୍ରଜରାଜନଗରକୁ ଫେରିଥିଲେ । ଗାନ୍ଧୀଛକ ଠାରେ ଓହ୍ଲାଇବା ପରେ ଏକ ଅଟୋରେ ବସି ସେମାନେ ତରବରିଆ ଭାବେ ରାଜପୁର ସ୍ଥିତ ଘରକୁ ଚାଲିଯାଇଥିଲେ । ଗଣମାଧ୍ୟମ କର୍ମୀମାନେ ପ୍ରତିକ୍ରିୟା ନେବାକୁ ଚାହିଁଥିଲେ । ମାତ୍ର ସେ ଏକ ବଲରୋରେ ବସି ରାୟଗଡ଼ ଯାଉଛି କହି କିଛି ପ୍ରତିକ୍ରିୟା ଦେଇ ନ ଥିଲେ । ଏହି ହତ୍ୟାକାଣ୍ଡ ଘଟଣାରେ ପୁଲିସ ଅନୁପଙ୍କୁ ଗିରଫ କରିବା ପୂର୍ବରୁ ରୁଦ୍ରାକ୍ଷ ଏଠାରୁ ତୀର୍ଥରେ ବାହାରି ଯାଇଥିଲେ ବୋଲି କୁହାଯାଉଥିବା ବେଳେ ଅନେକେ ରୁଦ୍ରାକ୍ଷ ଫେରିବା ପରେ ତାଙ୍କ ପ୍ରତିକ୍ରିୟା କ’ଣ ରହିବ ବୋଲି ଅନାଇ ବସିଥିଲେ । ସ୍ଥାନୀୟ ଗଣମାଧ୍ୟମକୁ କିଛି କହିବାକୁ କୁଣ୍ଠା ପ୍ରକାଶ କରି ସେ ବାଟ ଭାଙ୍ଗି ଚାଲି ଯିବା ପରେ ଅନେକ ପ୍ରଶ୍ନ ଉଠିବାରେ ଲାଗିଛି । ସ୍ଥାନୀୟ ଗଣମାଧ୍ୟମ ଆଗରେ କିଛି କହିବାକୁ ରୁଦ୍ରାକ୍ଷ ପ୍ରସ୍ତୁତ ନ ହେବା ପଛରେ କାରଣ କ’ଣ ଥାଇ ପାରେ ବୋଲି ପ୍ରଶ୍ନ ହେଉଛି । ସେ ଗଣମାଧ୍ୟମର ଏଭଳି କିଛି ପ୍ରଶ୍ନକୁ ଏଡ଼ାଇବାକୁ ଚାହୁଁଛନ୍ତି କି ଯାହାକି ସେ ଉତ୍ତର ଦେଲେ ଆଗକୁ ଅଡ଼ୁଆ ହେବ ଅବା ତାଙ୍କ ଜୀବନ ପ୍ରତି ବିପଦ ହେବ ନା ଆଉ କିଛି କାରଣ ରହିଛି ବୋଲି ଚର୍ଚ୍ଚା ହେଉଛି । ସେ ଯାହାହେଉ ରୁଦ୍ରାକ୍ଷଙ୍କ ଏଭଳି ଆଭିମୁଖ୍ୟ ଏହି ହାଇପ୍ରୋଫାଇଲ ହତ୍ୟାକାଣ୍ଡକୁ ଚପାଇବାରେ ତାଙ୍କର ଭୂମିକାକୁ ଇଙ୍ଗିତ କରୁଛି । ଅନ୍ୟ ପକ୍ଷରେ ଅନୁପଙ୍କ ଘର ଠାରୁ ଅନତି ଦୂରରେ ରହୁଥିବା ରୁଦ୍ରାକ୍ଷ କୌଣସି ନା କୌଣସି କାରଣରୁ ଭୟ ଏବଂ ଚାପରେ ରହିଛନ୍ତି । ସେ କଳ୍ପନା ଏବଂ ଅନୁପଙ୍କ ସମ୍ପର୍କ ନେଇ ମୁହଁ ଖୋଲୁ ନ ଥିବା ସହ ହତ୍ୟାକାଣ୍ଡକୁ ନେଇ ପୁରୀ ଠାରେ ଗଣମାଧ୍ୟମକୁ ବୁଲେଇ ବଙ୍କେଇ ବୟାନ ଦେଇଥିଲେ । ଅନୁପଙ୍କୁ ସବୁବେଳେ ବଡ଼ ଲୋକ ବୋଲି ଆଖ୍ୟାୟିତ କରୁଥିବାରୁ ଅନୁପ ଅବା ତାଙ୍କ ପରିବାର ପ୍ରତି ରୁଦ୍ରାକ୍ଷଙ୍କ ଭୟ ଏବେ ବି ବଳବତ୍ତର । କଳ୍ପନା ଝିଅ ବବ୍ଲିକୁ ନେଇ ବ୍ରଜରାଜନଗର ଅଞ୍ଚଳ ଛାଡ଼ି ଚାଲିଯିବା ପରେ କେଉଁଠି ଝିଅ ଓ ନାତୁଣୀ ରହୁଛନ୍ତି ତାହାର ଖବର ସୁଦ୍ଧା ନେଇ ନଥିଲେ । ରାୟଗଡ଼ ପାଖରେ ହୋଇଥିବା ହତ୍ୟାକାଣ୍ଡରେ କଳ୍ପନା ଓ ବବ୍ଲି ଶିକାର ହୋଇଥିବା ଜାଣିବା ପରେ ବି ରୁଦ୍ରାକ୍ଷ ପିତାର ଭୂମିକା ନିର୍ବାହ କରିବା ପରିବର୍ତ୍ତେ ଚୁପ ରହିଲେ । ଥାନାରେ ନିଖୋଜ ଅବା ହତ୍ୟା ନେଇ ଏତଲା ମଧ୍ୟ ଦେଇ ନ ଥିଲେ । ଏସବୁକୁ ଦେଖିଲେ ରୁଦ୍ରାକ୍ଷ କାହାରି ଚାପ ଆଗରେ ମୁହଁ ବନ୍ଦ ରଖୁଛନ୍ତି । ସତ୍ୟକୁ ଲୁଚାଇ କହାରିକୁ ବି ଖସାଇବାରେ ସହାୟକ ହେଉଛନ୍ତି ଏଭଳି ଚର୍ଚ୍ଚା ହେବାରେ ଲାଗିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons