କାଉଡ଼ିଆ ବେଶରେ ଗଞ୍ଜେଇ ବେପାର:୧୧ କୁଇଣ୍ଟାଲ ଗଞ୍ଜେଇ ଜବତ, ୨ ଗିରଫ

Get real time updates directly on you device, subscribe now.

କୋରୁକୋଣ୍ଡା,(ବି.ବି.ନ୍ୟୁଜ୍): ପବିତ୍ର ଶ୍ରାବଣ ମାସରେ ଜଳାଭିଷେକ ବିଭିନ୍ନ ଶୈବ ପୀଠରେ କାଉଡ଼ିଆଙ୍କ ଭିଡ଼ ଆରମ୍ଭ ହୋଇଯାଇଛି । ଏହାର ସୁଯୋଗରେ ଗଞ୍ଜେଇ ମାଫିଆ ମଧ୍ୟ ଚୋରାରେ ଗଞ୍ଜେଇ ନେବାକୁ ନୂଆ ବାଟ ଆପଣେଇଛନ୍ତି । ବିଶେଷ କରି ଅବିିଭକ୍ତ କୋରାପୁଟ ଜିଲ୍ଲାରେ କାଉଡ଼ିଆଙ୍କ ବେଶରେ ଗଞ୍ଜେଇ ମାଫିଆ ସକ୍ରିୟ ହୋଇଉଠିଛନ୍ତି । ଏପରିକି ପୁଲିସକୁ ମଧ୍ୟ ଗୁଳି କରିବାକୁ ପଛଉନାହାନ୍ତି । ଏହାର ଜ୍ୱଳନ୍ତ ଉଦାହରଣ କୋରାପୁଟ ଜିଲ୍ଲା କୋରୁକୋଣ୍ଡା ବ୍ଲକରେ ଦେଖିବାକୁ ମିଳିଛି । କୋରୁକୋଣ୍ଡା ବ୍ଲକର ଓର୍କେଲ (ବାଲିମେଳା) ପୁଲିସ ପକ୍ଷରୁ ଚଢାଉ ବେଳେ କାଉଡିଆମାନେ ୩ରାଉଣ୍ଡ ଗୁଳି ଫୁଟାଇଥିଲେ । ପରେ ପୁଲିସ ପକ୍ଷରୁ ପାଲଟା ଆକ୍ରମଣ ହେବାରୁ ସମସ୍ତେ ଛତ୍ରଭଙ୍ଗ ଦେଇଥିଲେ । ପୁଲିସ ୨ ଜଣକୁ ଗିରଫ କରିବାରେ ସଫଳ ହୋଇଛି । ସେମାନଙ୍କ ଠାରୁ ୧୧ କୁଇଣ୍ଟାଲ ୨୩କେଜି ଗଞ୍ଜେଇ ଜବତ କରାଯାଇଛି । ଗିରଫମାନେ ହେଲେ ନବରଙ୍ଗପୁର ଜିଲ୍ଲା କେଷାଗୁମୁଡା ଥାନା ଅଞ୍ଚଳର ଶୁକଦେବ ରନ୍ଧାରୀ (୩୦) ଓ କୋରାପୁଟ ଜିଲ୍ଲା କୋଟପାଡ ଥାନା ଅଞ୍ଚଳର ଖଗପତି ଭତ୍ରା (୪୦) । ଅଭିଯୁକ୍ତଙ୍କୁ ଆଜି କୋର୍ଟଚାଲାଣ କରାଯାଇଥିବା ତଦନ୍ତକାରୀ ଅଧିକାରୀ ଏସ୍ଆଇ କୃତ୍ତିବାସ ବେହେରା କହିଛନ୍ତି । ଘଟଣାସ୍ଥଳରୁ ୨ଟି ଜୀବନ୍ତ ଗୁଳି, ୩ଟି ଟାଙ୍ଗିଆ, ୫ଟି ବାଉଁଶ ଲାଠି ଜବତ କରାଯାଇଥିବା ପୁଲିସ କହିଛି ।
ପୁଲିସ ସୂତ୍ରରୁ ପ୍ରକାଶ ଯେ, ଓର୍କେଲ ଥାନା ଅଧିକାରୀ ଜଗଦୀଶ ବାରାଙ୍କ ନେତୃତ୍ୱରେ ସବ୍ଇନ୍ସପେକ୍ଟର ଚନ୍ଦ୍ରକାନ୍ତ ତାଣ୍ଡି ଓ ତାଙ୍କ ଟିମ୍ ଜଣେ ଫେରାର ଆସାମୀକୁ ଗିରଫ କରିବା ପାଇଁ ଗତ ୨୧ତାରିଖ ରାତିରେ କୁଡୁମୁଲୁଗୁମ୍ମା ଫାଣ୍ଡି ଖଟାଲଗୁଡା ଜଙ୍ଗଲରେ ଜଗି ରହିଥିଲେ । ରାତି ପ୍ରାୟ ୧୦ଟାରେ କେତେକ କାଉଡିଆ ଜଙ୍ଗଲ ଭିତର ରାସ୍ତାଦେଇ ଯାଉଥିବା ପୁଲିସର ନଜରକୁ ଆସିଥିଲା । ସନ୍ଦେହ ହେବାରୁ ସେମାନଙ୍କୁ ଅଟକାଯାଇଥିଲା । ସେମାନେ ନଅଟକି ହଠାତ୍ ପୁଲିସ ଉପରକୁ ୩ ରାଉଣ୍ଡ ଫାୟାରିଂ କରିଥିଲେ । ପୁଲିସ ମଧ୍ୟ ପାଲଟା ୨ ରାଉଣ୍ଡ ଗୁଳି ଫାୟାର କରିଥିଲା । ଏହା ପରେ କାଉଡିଆମାନେ ଛତ୍ରଭଙ୍ଗ ଦେଇ ଜଙ୍ଗଲ ଭିତରକୁ ଦୌଡି ପଳାଇଥିଲେ । ପୁଲିସ ସେମାନଙ୍କ ମଧ୍ୟରୁ ମାତ୍ର ୨ଜଣକୁ କାବୁ କରିବାରେ ସକ୍ଷମ ହୋଇଥିଲା । ଏଥିସହ ସମସ୍ତ ୪୭ଟି କାଉଡି ଭାର ଜବତ କରାଯାଇଥିଲା । ଯାଞ୍ଚ ବେଳେ କାଉଡିରେ ଗଞ୍ଜେଇ ଥିବା ଜଣାପଡିଥିଲା । ଧରାପଡିଥିବା ଶୁକଦେବ ଓ ଖଗପତିଙ୍କୁ ଗିରଫ କରାଯାଇ ଥାନାକୁ ଅଣାଯାଇଥିଲା । ଏହି ଗଞ୍ଜେଇ ଚାଲାଣ ଗୋଷ୍ଠୀରେ ୬୦ରୁ ଅଧିକ କାଉଡିଆ ଥିବା ବେଳେ ସେମାନଙ୍କ ପାଖରେ ୩ଟି ପିସ୍ତଲ, ୨ଟି ଦେଶି ବନ୍ଧୁକ ଓ ବିଭିନ୍ନ ମାରଣାସ୍ତ୍ର ରହିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଥିଲା । ଘଟଣାସ୍ଥଳରୁ ୨ଟି ଜୀବନ୍ତ ଗୁଳି, ୩ଟି ଟାଙ୍ଗିଆ, ୫ଟି ବାଉଁଶ ଲାଠି ଜବତ କରାଯାଇଥିବା ପୁଲିସ କହିଛି । ମାଲକାନଗିରି ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳରୁ ପଡୋଶୀ ଛତିଶଗଡକୁ କାଉଡି ଭାରରେ ବୁହାହୋଇ ଗଞ୍ଜେଇ ଚାଲାଣ ହେଉଥିବା ଅଭିଯୁକ୍ତମାନେ ସ୍ୱୀକାର କରିଥିବା ପୁଲିସ କହିଛି । ଗଞ୍ଜେଇ ମାଫିଆମାନେ ଚିତ୍ରକୋଣ୍ଡାରୁ ଗୁପ୍ତେଶ୍ୱର ପର୍ଯ୍ୟନ୍ତ କାଉଡିରେ ଗଞ୍ଜେଇ ବୋହି ନେବା ପାଇଁ ମୁଣ୍ଡ ପିଛା ୫ହଜାର ଟଙ୍କା ଦେଉଥିଲେ ବୋଲି ଗିରଫ ବ୍ୟକ୍ତିମାନେ କହିଛନ୍ତି । ଏନେଇ ଓର୍କେଲ ଥାନା କେସ ନଂ ୧୧୦/୧୯ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଥିବା ଏସଆଇ ଶ୍ରୀ ବେହେରା କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons