ନିଆଳି,(ବି.ବି.ନୁ୍ୟଜ୍): ନିଆଳି ବ୍ଲକ୍ ବରିମୁଣ୍ଡେଇ ସ୍ଥିତ ନିଆଳି- କାକଟପୁର ବ୍ରାଞ୍ଚ କେନାଲର ବାମ ପାଶ୍ୱର୍ ବନ୍ଧରେ ସୋମବାର ରାତିରେ ୧୫ ଫୁଟ ଘାଇ ସୃଷ୍ଟି ହୋଇଛି । ଏହି ଘାଇ ଫଳରେ ବରିମୁଣ୍ଡେଇ ଗାଁ ପାଟ ସାହିର ବହୁ ପରିବାର ପାଣିଘେରରେ ରହିଥିବାବେଳେ ଗାଁ ଦାଣ୍ଡରେ ପାଣି ସୁଅ ଛୁଟି ଥିବା ଦେଖିବାକୁ ମିଳିଛି । ରବିବାର ରାତିରେ ଘାଇ ସୃଷ୍ଟି ହୋଇଥିବାବଳେ ଚାହୁଁ ଚାହୁଁ ସ୍ଥାନୀୟ ଅଞ୍ଚଳ ଜଳମଗ୍ନ ହୋଇଥିଲା । ଲବଙ୍ଗ ମହାନ୍ତିଙ୍କ ଘରେ ପାଣି ପଶିଥିବାବେଳେ ବହୁ ପରିବାର ପାଣି ଘେରରେ ରହିଥିବା ଜଣାଯାଇଛି । କେତେକଙ୍କର ଗୁହାଳ ଭିତରେ ପାଣି ପଶିଯିବାରୁ ଗାଈଗୋରୁ ପାଣି ଘେରରେ ଅଛନ୍ତି । ରବିବାର ରାତିରେ ବିଭାଗୀୟ ଯନ୍ତ୍ରୀ ଜ୍ୟୋତିରଂଜନ ନାୟକ ପହଞ୍ଚି ଉକ୍ତ ଘାଇର ମରାମତି କାର୍ଯ୍ୟ କରାଇଥିଲେ ମଧ୍ୟ ପୁଣି ସୋମବାର ଭୋରରୁ ଉକ୍ତ ଘାଇ ହେବା ଫଳରେ ଗାଁରୁ କମିଥିବା ଜଳସ୍ତର ପୁଣି ବୃଦ୍ଧି ପାଇଥିଲା । ସୋମବାର ସକାଳୁ ନିଆଳି ଜଳସମ୍ପଦ ବିଭାଗ ଏସଡିଓ ଅଗଣି ଚରଣ ବେହେରା ଓ ବିଭାଗୀୟ ଯନ୍ତ୍ରୀ ପହଞ୍ଚି ଉକ୍ତ ଘାଇର ମରାମତି କାର୍ଯ୍ୟ କରିଥିବା ଜଣାଯାଇଛି । ପ୍ରଶାସନ ପକ୍ଷରୁ କେହି ଘାଇ ହେବାସ୍ଥାନରେ ପହଞ୍ଚି ନଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଘାଇ ହେବା ସ୍ଥାନରେ କେନାଲ ବନ୍ଧ ଦୁର୍ବଳ ରହିଥିବାବେଳେ ସେଥିପ୍ରତି ବିଭାଗୀୟ କର୍ମଚାରୀ ଧ୍ୟାନ ନଦେବା ଫଳରେ ଏପରି ପରିସ୍ଥିତି ସୃଷ୍ଟି ହେଲା ବୋଲି ନବନିର୍ମାଣ କୃଷକ ସଂଗଠନର ନିଆଳି ବ୍ଲକ୍ ସଂଯୋଜକ ଜଟାଧାରୀ ଲେଙ୍କାଙ୍କ ସମେତ ବହୁ ଚାଷୀ ଅଭିଯୋଗ କରିଛନ୍ତି ।
Comments are closed, but trackbacks and pingbacks are open.