କାଙ୍ଗୁଲା ନାବାଳିକା ବଳାକ୍ରାର ଓ ହତ୍ୟା ମାମଲା:ଅଭିଯୁକ୍ତ ଅନାମକୁ ଫାଶୀ

Get real time updates directly on you device, subscribe now.

ଅନୁଗୁଳ,(ବି.ବି.ନ୍ୟୁଜ୍): ବହୁ ଚର୍ଚ୍ଚିତ କାଙ୍ଗୁଲା ନାବାଳିକା ବଳାକ୍ରାର ଓ ହତ୍ୟା ମାମଲାର ରାୟ ଅନୁଗୁଳ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ତଥା ସ୍ୱତନ୍ତ୍ର ପୋକ୍ସୋ ଅଦାଲତରେ ବୁଧବାର ପ୍ରକାଶ ପାଇଛି । ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ସୁରେଶ ଚନ୍ଦ୍ର ପ୍ରଧାନ ଅଭିଯୁକ୍ତ ଅନାମ ଓରଫ୍ ଶ୍ରୀନିବାସ ଦେହୁରୀ (୨୩)କୁ ଦୋଷୀ ସାବ୍ୟସ୍ତ କରି ଫାଶୀ ଦଣ୍ଡାଦେଶ ପ୍ରଦାନ କରିଛନ୍ତି । ଘଟଣାର ୬ ମାସ ଓ ଚାର୍ଜସିଟ୍ ଦାଖଲ ହେବାର ମାତ୍ର ୫ ମାସ ମଧ୍ୟରେ ବିଚାର ପ୍ରକ୍ରିୟା ଶେଷ ହୋଇ ଚୂଡ଼ାନ୍ତ ରାୟ ପ୍ରକାଶ ପାଇବା ଅନୁଗୁଳ କୋର୍ଟ ଇତିହାସରେ ନୂତନ ଅଧ୍ୟାୟ ସୃଷ୍ଟି କରିଛି । ସେହିପରି ଜିଲ୍ଲା ପୋକ୍ସୋ କୋର୍ଟରେ ଏହା ପ୍ରଥମ ଓ ଜିଲ୍ଲାର ଦ୍ୱିତୀୟ ଫାଶୀ ଦଣ୍ଡାଦେଶ ବୋଲି କୁହାଯାଉଛି । ପୂର୍ବରୁ ୨୦୦୭ ମସିହାରେ ଜଣେ ନାବାଳିକା ବଳାକ୍ରାର ଓ ହତ୍ୟା ମାମଲାରେ ଜଣଙ୍କୁ ଫାଶୀ ଦଣ୍ଡାଦେଶ ହୋଇଥିଲା ।
ନାବାଳିକା ବଳାକ୍ରାର ଓ ଜଘନ୍ୟ ହତ୍ୟାକାଣ୍ଡ ଏହି ସ୍ପର୍ଶକାତର ଘଟଣାକୁ ରାଜ୍ୟ ପୁଲିସ ପକ୍ଷରୁ ଅତ୍ୟନ୍ତ ଗମ୍ଭୀରତାର (ରେଡ଼ଫ୍ଲାଗ୍) ନେଇ ତଥ୍ୟ ପ୍ରମାଣ ଯୋଗାଡ଼ କରାଯାଇଥିଲା । ବିଚାର ପ୍ରକ୍ରିୟାରେ ଯେଭଳି ପୁଲିସ ପକ୍ଷରୁ ସାମାନ୍ୟତମ ତ୍ରୁଟି ନରହିବ ସେଥିଲାଗି କ୍ରାଇମ୍ ବ୍ରାଂଚ୍ ଓ ଅନୁଗୁଳ ଏସ୍ପି ମିତ୍ରଭାନୁ ମହାପାତ୍ରଙ୍କ ନିରନ୍ତର ଭାବେ ମାମଲାର ପର୍ଯ୍ୟବେକ୍ଷଣ କରିଥିଲେ । ଆଜି ଚୂଡ଼ାନ୍ତ ରାୟ ପ୍ରକାଶ ପାଇବା ପରେ ଖୋଦ୍ ଡିଜିପି ଉଭୟଙ୍କୁ ପ୍ରଶଂସା କରିଛନ୍ତି ।
ଚଳିତ ବର୍ଷ ଜାନୁଆରି ୨୦ ତାରିଖରେ ଏହି ଲୋମଟାଙ୍କୁରା ଘଟଣା ଘଟିଥିଲା ବେଳେ ତଦନ୍ତ ତ୍ୱରାନ୍ୱିତ କରି ଫେବ୍ରୁଆରି ୧୯ ତାରିଖରେ ଅନୁଗୁଳ ଥାନା ପୁଲିସ କୋର୍ଟ୍ରେ ଚାର୍ଜସିଟ୍ ଦାଖଲ କରିଥିଲା । ମାର୍ଚ୍ଚ ୧୯ ତାରିଖରୁ ସ୍ୱତନ୍ତ୍ର ପୋକ୍ସୋ ଅଦାଲତରେ ଟ୍ରାଏଲ୍ ଆରମ୍ଭ ହୋଇଥିଲା । ମୋଟ୍ ୩୬ ଜଣଙ୍କଠାରୁ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା । ଉପଯୁକ୍ତ ସାକ୍ଷ୍ୟ, ପ୍ରମାଣକୁ ଭିତ୍ତି କରି ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ସୁରେଶ କୁମାର ପ୍ରଧାନ ଅଭିଯୁକ୍ତ ଅନାମକୁ ନାବାଳିକା ବଳାକ୍ରାର (୩୭୬ (୩), ୬ ପୋକ୍ସୋ ଆକ୍ଟ-୨୦୧୨), ନରହତ୍ୟା (୩୦୨), ପ୍ରମାଣନଷ୍ଟ (୨୦୧) ଦଫାରେ ଦୋଷୀ ସାବ୍ୟସ୍ତ କରିଥିଲେ । ନାବାଳିକା ବଳାକ୍ରାର ଅପରାଧରେ ଆଜୀବନ ଜେଲ୍, ୧୦ ହଜାର ଟଙ୍କା ଜରିମାନା ଏବଂ ଜରିମାନା ରାଶି ଅନାଦେୟ ଅଧିକ ଏକ ବର୍ଷ ଜେଲ୍ ଦଣ୍ଡ, ପ୍ରମାଣ ନଷ୍ଟ ଅପରାଧରେ ୭ ବର୍ଷ ସଶ୍ରମ କାରାଦଣ୍ଡ, ୫ ହଜାର ଟଙ୍କା ଜରିମାନା ଓ ଜରିମାନା ରାଶି ଅନାଦେୟ ଅଧିକ ୬ ମାସ ଜେଲଦଣ୍ଡ, ନରହତ୍ୟା ଅପରାଧରେ ଫାଶୀ ଦଣ୍ଡାଦେଶ ଦେଇଛନ୍ତି କୋର୍ଟ । ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପବ୍ଲିକ୍ ପ୍ରସିକ୍ୟୁଟର୍ ସରୋଜ ପ;ନାୟକ ମାମଲା ପରିଚାଳନା କରିଥିଲେ ।
ଗତ ଜାନୁଆରି ୨୦ ତାରିଖ ଦ୍ୱିପ୍ରହର ବେଳେ ଅନୁଗୁଳ ସହର ଉପକଣ୍ଠ କାଙ୍ଗୁଲା ଗ୍ରାମରେ ଏହି ଲଜ୍ଜାଜନକ ଘଟଣା କେବଳ ଅନୁଗୁଳ ଜିଲ୍ଲା ନୁହେଁ, ସମଗ୍ର ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିଲା । ଆଉ ଏହି ନାରକୀୟ କାଣ୍ଡର ଶିକାର ହୋଇଥିଲେ କାଙ୍ଗୁଲା ଗ୍ରାମର ସରୋଜ ମହାରଣାଙ୍କ କୋମଳମତି କନ୍ୟା ଷଷ୍ଠୀ ମହାରଣା (୧୩) । କାଙ୍ଗୁଲା ମୂଳ ଜନବସତିଠାରୁ ପ୍ରାୟ ୧ କିଲୋମିଟର ଦୂର ମଙ୍ଗଳାସାହିରେ ରହୁଛନ୍ତି ସରୋଜଙ୍କ ପରିବାର । ହେଲେ ଗାଁ’ ଭିତରେ ସରୋଜଙ୍କର ଏକ ତେଜରାତି ଦୋକାନ ରହିଛି । ସରୋଜଙ୍କ ପାଇଁ ପ୍ରତ୍ୟେକ ଦିନ ପରିବାରର କେହିନା କେହି ଦ୍ୱିପ୍ରହର ବେଳେ ମଧ୍ୟାହ୍ନ ଭୋଜନ ନେଇ ଆସିଥାନ୍ତି । ଘଟଣା ଦିନ (ରବିବାର) ଦ୍ୱିପ୍ରହର ୨ଟା ବେଳେ ଷଷ୍ଠୀ ବାପାଙ୍କ ପାଇଁ ଖାଇବା ଧରି ଘରୁ ବାହାରି ଥିଲେ । ହେଲେ ଘଣ୍ଟାଏ, ଦେଢ଼ ଘଣ୍ଟା ପରେ ସୁଦ୍ଧା ସେ ଦୋକାନରେ ପହଞ୍ଚି ନଥିଲେ । ଅପରାହ୍ଣ ପ୍ରାୟ ସାଢ଼େ ୩ଟା ବେଳେ ଯେଉଁ ପାଦଚଲା ରାସ୍ତାରେ ମଙ୍ଗଳା ସାହିବାସୀ ଯାଆସ କରନ୍ତି, ରାସ୍ତା ପାଖରେ ଷଷ୍ଠୀଙ୍କ ଚପଲ, ବ୍ୟାଗ୍, ଟିଫିନ୍ ବାକ୍ସ ଆଦି ଫିଙ୍ଗାଫୋପଡ଼ା ହୋଇଥିବା ବେଳେ ରକ୍ତଛିଟା ପଡ଼ିଥିବା ସ୍ଥାନୀୟ ଜଣେ ଗ୍ରାମବାସୀ ଦେଖି ଗାଁ’ରେ ଜଣାଇଥିଲେ । ସେପଟେ ଦୁଇ ଘଣ୍ଟା ଧରି ଷଷ୍ଠୀଙ୍କର କୌଣସି ଖୋଜ୍ଖବର ନଥିବାରୁ ପରିବାର ଲୋକ ଚିନ୍ତାରେ ପଡ଼ି ଯାଇଥିଲେ । ଘଟଣାସ୍ଥଳକୁ ତାଙ୍କ ମା’ ଧାଇଁ ଯାଇଥିଲେ । ହେଲେ ସେଠାରୁ ଚପଲ, ବ୍ୟାଗ୍, ଟିଫିନ୍ ବାକ୍ସ ଗାଏବ ହୋଇଥିବା ଜଣାପଡ଼ିଥିଲା । ଅପରାହ୍ଣ ୪ଟା ବେଳେ ସ୍ଥାନୀୟ ଲୋକ ଆଖପାଖରେ ଖୋଜାଖୋଜି କରିବା ପରେ ରାସ୍ତାଠାରୁ ପ୍ରାୟ ଦୁଇ ଶହ ମିଟର ଦୂରରେ ଏକ ଅରମାବଣ ମଧ୍ୟରେ ଷଷ୍ଠୀଙ୍କ ରକ୍ତ ଜୁଡ଼ୁବୁଡ଼ୁ ଶରୀର ଠାବ କରିଥିଲେ । ତାଙ୍କ ଶରୀରରେ କୌଣସି ଜାମାପଟା ନଥିଲା । ପଥରରେ ତାଙ୍କ ମୁହଁକୁ ଛେଚି ଦିଆଯାଇଥିଲା । ଘଟଣାର ସୂଚନା ପାଇବା ମାତ୍ରେ ଅନୁଗୁଳ ଥାନା ଅଧିକାରୀ ରମେଶ ଚନ୍ଦ୍ର ବିଶୋୟୀଙ୍କ ସମେତ ତକ୍ରାଳୀନ ଏସ୍ଡିପିଓ ହରିହର ପାଣି, ଏସ୍ପି ଶ୍ରୀ ମହାପାତ୍ର, ଡିଆଇଜି ନରସିଂହ ଭୋଳ ପ୍ରମୁଖ ସଦଳବଳ ଘଟଣାକୁ ଛୁଟିଥିଲେ । ତାଙ୍କ ଝିଅ ସହ ପାଶବିକ ଅତ୍ୟାଚାର ସାଙ୍ଗକୁ ମାରି ଦିଆଯାଇଛି ବୋଲି ବାପା ସରୋଜ ମହାରଣା ଥାନାରେ ଲିଖିତ ଅଭିଯୋଗ କରିଥିଲେ ।
ନାରକୀୟ କାଣ୍ଡ ଘଟାଇ ଅନାମ ଓରଫ୍ ଶ୍ରୀନିବାସ ବାଇକ୍ରେ ପରଜଙ୍ଗ ଅଞ୍ଚଳକୁ ତା’ର ଜଣେ ସମ୍ପର୍କୀୟଙ୍କ ଘରକୁ ପଳାଇ ଯାଇଥିଲା । ତେବେ ସେଠାରେ ପୁଲିସ ଚଢ଼ଉ ପୂର୍ବରୁ ଖସି ଯାଇ ରାତିରେ ଏକ କୋବି ବୋଝେଇ ଟ୍ରକ୍ରେ ବସି କୋଲକାତା ପଳାଇ ଯାଇଥିଲା । ଘଟଣା ସାରା ରାଜ୍ୟରେ ଆଲୋଡନ ସୃଷ୍ଟି କରିଥିଲା । ସବୁ ସ୍ତରରେ ଚାପ ପଡ଼ିବା ପରେ ପୁଲିସ୍ ଚାରି ଚାରିଟି ଟିମ୍ ଗଠନ କରି ୬୦ ଘଣ୍ଟାର ତନାଘନା ପରେ କୋଲକାତାର ଏକ ହୋଟେଲରୁ ଅନାମକୁ ଗିରଫ କରିବାରେ ସଫଳ ହୋଇଥିଲା । ହୋଟେଲ୍ରେ ପାଣି ବୋହିବା କାର୍ଯ୍ୟରେ ନିୟୋଜିତ ଥିଲା ଅନାମ । ପର ଦିନ ଅନାମକୁ ଘଟଣାସ୍ଥଳକୁ ନେଇଥିଲା ପୁଲିସ । ସଂପୂର୍ଣ୍ଣ ଘଟଣାର ଡେମୋ ଦେଖାଇଥିଲା ଅଭିଯୁକ୍ତ ଅନାମ । ଏବଂ ଏ ସମସ୍ତ ଘଟଣାକ୍ରମର ଭିଡିଓଗ୍ରାଫି କରିଥିଲା ପୁଲିସ । ଘଟଣାର ଚାରି ଦିନ ପରେ ଅନାମକୁ କୋର୍ଟ ଚାଲାଣ କରାଯାଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons