ଆଲମାଟି: କାଜଖସ୍ତାନର ଆଲମାଟି ଠାରେ ଆରମ୍ଭ ହୋଇଥିବା କାସାନୋଭ୍ ମେମୋରିଆଲ୍ ମିଟ୍ର ପ୍ରଥମ ଦିବସରେ ଭାରତୀୟ ଆଥଲେଟ୍ ମୋଟ୍ ୬ଟି ପଦକ ହାସଲ କରିଛନ୍ତି । ଏଥିରେ ୩ଟି ସ୍ୱର୍ଣ୍ଣ, ୨ଟି ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜ ପଦକ ସାମିଲ୍ ଅଛି । ପୁରୁଷ ୮୦୦ ମିଟର ଦୌଡ଼ରେ ମହମ୍ମଦ ଅଫ୍ସଲ୍ ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ ଜିତିଥିଲେ । ସେ ନିର୍ଦ୍ଧାରିତ ଦୂରତାକୁ ଏକ ମିନିଟ୍ ୪୯.୧୨ ସେକେଣ୍ଡରେ ଶେଷ କରି ଏହି ସ୍ୱର୍ଣ୍ଣିମ ସଫଳତା ପାଇଥିଲେ । ଦ୍ୱିତୀୟ ସ୍ୱର୍ଣ୍ଣ ଜିତିଥିଲେ ପୁରୁଷ ଡିସକସ୍ ଥ୍ରୋୟର ଗଗନଦୀପ ସିଂହ । ସେ ନିଜର ଶ୍ରେଷ୍ଠ ପ୍ରଦର୍ଶନ ୫୨.୩୯ ମିଟର ଦୂର ଫିଙ୍ଗିଥିଲେ । ଅନ୍ୟତମ ଭାରତୀୟ ସେନ୍ଥିଲ୍ କୁମାର ମିତ୍ରବରୁଣ ୪୯.୫୪ ମିଟର ସହ ରୌପ୍ୟ ପଦକ ହାସଲ କରିଥିଲେ । ଦେଶ ପାଇଁ ତୃତୀୟ ସ୍ୱର୍ଣ୍ଣ ଜିଣିଥିଲେ ମହିଳା ଡିସକସ୍ ଥ୍ରୋୟର ନଭଜୀତ୍ କୌର ଧିଲନ୍ । ୨୦୧୮ ରାଜ୍ୟଗୋଷ୍ଠୀ ବ୍ରୋଞ୍ଜ ବିଜୟୀନି ନଭନୀତ୍ ୫୪.୮୦ ମିଟର ଡିସକସ୍ ଫିଙ୍ଗିଥିଲେ । ଭାରତକୁ ଆଉ ଏକ ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜ ପଦକ ମହିଳା ହାମର ଥ୍ରୋରେ ମିଳିଥିଲା । ଜ୍ୟୋତି ଝଖାର୍ ରାନ ୫୮.୬୯ ମିଟର ଫିଙ୍ଗି ରୌପ୍ୟ ଓ ଅନିତା ୫୫.୩୮ ମିଟର ସହ ବ୍ରୋଞ୍ଜ ପଦକ ଜିତିଥିଲେ ।
Comments are closed, but trackbacks and pingbacks are open.