କାଦୁଅ ବିଲରେ ଧାନ ରୋଇ ଶିଖାଇଲେ ଜିଲ୍ଲାପାଳ

Get real time updates directly on you device, subscribe now.

ବ୍ରହ୍ମପୁର/ଖଲିକୋଟ, (ବି.ବି.ନ୍ୟୁଜ୍): ବେଗୁନିଆପଡ଼ା ବ୍ଲକ୍ରେ ଅଭିଯୋଗ ଶୁଣାଣି ପରେ ଫେରୁଥିଲେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ । ବାଟରେ ଖଲିକୋଟ ବ୍ଲକ୍ ମଥୁରା ଗ୍ରାମ ପଞ୍ଚାୟତର ଭରସା ଗ୍ରାମ ଉପକଣ୍ଠ ରାସ୍ତାରେ ଅଟକିଗଲା ତାଙ୍କ କାର୍ । ରାସ୍ତା ପାଖ ବିଲରେ କିଛି ଗ୍ରାମବାସୀ ଚାଷକାମରେ ବ୍ୟସ୍ତ ଥିଲେ । ପାଦରୁ ଯୋତା ଖୋଲି, ଟ୍ରାଉଜର୍ସ ଉପରକୁ ମୋଡ଼ି ରାସ୍ତା ଠାରୁ ଅଳ୍ପ ଦୂରରେ ଥିବା ଧାନ ବିଲ ଭିତରେ ପଶିଗଲେ ଜିଲ୍ଲାପାଳ । ସାଥିରେ ଥିଲେ ତାଙ୍କ ସୁରକ୍ଷା କର୍ମୀ ଓ ଅନ୍ୟ ଅଧିକାରୀମାନେ । କାଦୁଅ ବିଲରେ ପଶି ଜିଲ୍ଲାପାଳ ଧାଡ଼ିରୁଆ ଧାନ କିଭଳି ହେଉଛି ତାହା ଦେଖିଥିଲେ । ଏହାପରେ ଧାଡ଼ିରୁଆ କେମିତି ହୁଏ ତାହା ସେ ନିଜେ ତଳି ରୋଇ ଦେଖାଇ ଦେଇଥିଲେ । ଏହାପରେ ଧାଡ଼ିରୁଆର ଉପକାର, ଏଥିରେ ଅଧିକ ଅମଳ ହେଉଥିବା ସଂପର୍କରେ ବୁଝାଇଥିଲେ ଗ୍ରାମବାସୀଙ୍କୁ ।
ଗଞ୍ଜାମ ଜିଲ୍ଲାପାଳ ସୋମବାର କୃଷି କ୍ଷେତ ନିଜେ ପ୍ରତ୍ୟକ୍ଷ ଅନୁଧ୍ୟାନ କରିବା ସହ କୃଷକ ଭୂମିକାରେ କାର୍ଯ୍ୟ ମଧ୍ୟ ତୁଲାଇଥିଲେ । ଖଲିକୋଟ ବ୍ଲକ୍ର ଭରସା ଗ୍ରାମରେ ଜାତୀୟ ଖାଦ୍ୟ ନିରାପତ୍ତା ମିଶନ୍ ଅନ୍ତର୍ଗତ ୫୦ ହେକ୍ଟର ଜମିରେ ଧାଡ଼ିରୁଆ ଧାନ ପାଇଁ ସହାୟତା ପ୍ରଦାନ କରିଛି ଜିଲ୍ଲା କୃଷି ବିଭାଗ । ଏଠାରେ କୃଷକଙ୍କୁ ବନ୍ୟା ସହି ପାରୁଥିବା ସ୍ୱର୍ଣ୍ଣ ସଜୁଆନ ଧାନ ମାଗଣାରେ ଚାଷ କରିବାକୁ ଦିଆଯାଇଛି । ଏଥିସହ ଧନିଚା ମଞ୍ଜି, ବିଲ ହିଡ଼ରେ ହରଡ଼ ଚାଷ କରିବାକୁ ବିହନ, ଅଗୁସାର ମଧ୍ୟ ମାଗଣାରେ ପ୍ରଦାନ କରାଯାଇଛି । ଏହାର କିଭଳି ସୁଫଳ ମିଳୁଛି ତଥା ଚାଷୀ କିପରି ଏହାର ଫାଇଦା ଉଠାଇ ଭଲ ଫସଲ କରୁଛନ୍ତି ତାହା ଅନୁଧ୍ୟାନ କରିବାକୁ ଗ୍ରାମକୁ ଯାଉଥିଲେ ଗଞ୍ଜାମ ଜିଲ୍ଲାପାଳ । ସାଥିରେ ଥିଲେ ଜିଲ୍ଲା ଓ ବ୍ଲକ୍ କୃଷି ବିଭାଗର ବରିଷ୍ଠ ଅଧିକାରୀଗଣ । ତେବେ ଚାଷ ଜମି ବିଲ ଠାରୁ କିଛି ଦୂରରେ ଥିଲା । ବର୍ଷା କାରଣରୁ ଚାଷକାମ ଆରମ୍ଭ କରି ସାରିଥିଲେ ସ୍ଥାନୀୟ କୃଷକ । ଜମିରେ ଭରି ରହିଥିଲା ପାଣି । ତେବେ ଯୋତା ବାହାର କରି ଖାଲି ପାଦରେ ବିଲ ଭିତରେ ପଶିଥିଲେ ଜିଲ୍ଲାପାଳ । ପାଣି ଓ କାଦୁଅରେ ଧିରେ ଧିରେ ପାଦ ପକାଇ ମଝି ବିଲରେ ପହଞ୍ଚିଥିଲେ । ସେଠାରେ କିଭଳି ଚାଷବାସ ହେଉଛି ବୁଝିଥିଲେ । ତା ସହ ନିଜ ଆଗ୍ରହରେ ସେ ସେଠି ଧାନ ତଳି ମଧ୍ୟ ରୋଇଥିଲେ । ଏହା ଦେଖି ସେଠାରେ କାମ କରୁଥିବା ଚାଷୀ, କୃଷି ଶ୍ରମିକ, ତାଙ୍କ ସହ ଥିବା ଅଧିକାରୀ ଓ ସୁରକ୍ଷା କର୍ମୀ ସମସ୍ତ ବିସ୍ମୟରେ ପଡ଼ି ଯାଇଥିଲେ । କିଛି ତଳିବିଡ଼ା ନିଜେ ଧରି ଏହାକୁ ଗୋଟି ଗୋଟି କରି ଶୁଖାଇଥିଲେ । ତେବେ ଏହି କାର୍ଯ୍ୟକୁ ସୂଚାରୁ ରୂପେ କରି ଆନନ୍ଦିତ ଥିଲେ ଜିଲ୍ଲାପାଳ କୁଲାଙ୍ଗେ । ଜିଲ୍ଲାପାଳଙ୍କ ସହ ଏହି ସମୟରେ ବ୍ରହ୍ମପୁର ଜୋନ୍ କୃଷି ଉପନିର୍ଦ୍ଦେଶକ ମନୋଜ କୁମାର ବେହେରା, ଖଲିକୋଟ ବ୍ଲକ୍ କୃଷି ଅଧିକାରୀ ବିଦୁରସେଠ ମାଝୀ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons