ନୂଆଦିଲ୍ଲୀ: କାର୍ଗିଲ ବିଜୟ ଦିବସର ୨୦ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସନ୍ଧ୍ୟାରେ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଇନ୍ଡୋର ଷ୍ଟାଡିୟମ୍ରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଏହି ଅବସରରେ ସେ ସୈନିକଙ୍କ ସାହସ, ପରାକ୍ରମ ଓ ତ୍ୟାଗକୁ ଭୂୟସୀ ପ୍ରଶଂସା କରିଥିଲେ । କହିଥିଲେ ଯେ କାର୍ଗିଲର ବିଜୟ ଗାଥା ପିଢ଼ି ପରେ ପିଢ଼ିକୁ ପ୍ରେରଣା ଦେଉଥିବ । ଯୁଦ୍ଧ ସରକାର ଲଢ଼େ ନାହିଁ । ସମଗ୍ର ଦେଶ ଲଢ଼େ । ସରକାର ତ ଆସିବ ଓ ଯିବ । କିନ୍ତୁ ଯେଉଁମାନେ ଦେଶର ସୁରକ୍ଷା ପାଇଁ ନିଜର ଜୀବନକୁ ପାଣି ଛଡାଇ ଲଢ଼ିଥାନ୍ତି ସେମାନେ ଅଜେୟ ଓ ଅମର ହୋଇରହିବେ । ରାଷ୍ଟ୍ରୀୟ ସୁରକ୍ଷାରେ କୌଣସି ପ୍ରଭାବ, ଦବାବ ଓ ଅଭାବ ରହିବ ନାହିଁ ବୋଲି ସେ କହିଥିଲେ ।
ପ୍ରଧାନମନ୍ତ୍ରୀ କହିଲେ ଯେ ୨୦୧୪ରେ ସେ ପ୍ରଧାନମନ୍ତ୍ରୀ ହେବା ପରେ କାର୍ଗିଲ ଯିବାର ଅବସର ମିଳିଥିଲା । କିନ୍ତୁ ଯେତେବେଳେ ଆମ ସୈନିକମାନେ କାର୍ଗିଲ ଯୁଦ୍ଧ ଜିତିଲେ ସେତେବେଳେ ମଧ୍ୟ ସେ ସେଠାକୁ ଯାଇଥିଲେ । କାର୍ଗିଲ ଯୁଦ୍ଧ ଦେଶର ଯୁବକ ଯୁବତୀଙ୍କ ବାହାଦୂରୀର ବିଜୟ, ଭାରତର ତାକତ ଓ ଧୈର୍ଯ୍ୟର ବିଜୟ, ଭାରତର ପବିତ୍ରତା ଓ ଅନୁଶାସନର ବିଜୟ, ସର୍ବୋପରି ଏହା ପ୍ରତ୍ୟେକ ଭାରତୀୟଙ୍କ ଆଶାର ବିଜୟ ଥିଲା । ପାକିସ୍ତାନ ଆରମ୍ଭରୁ କାଶ୍ମୀରକୁ ନେଇ କପଟତାର ଖେଳ ଖେଳିଆସୁଛି । ୧୯୪୮, ୧୯୬୫ ଓ ୧୯୭୧ରେ ମଧ୍ୟ ଏଭଳି ଖେଳ ଖେଳିଥିଲା । କିନ୍ତୁ ୧୯୯୯ରେ ତାହାର ସେହି ଖେଳକୁ ଭାରତୀୟ ସୈନିକମାନେ ପଣ୍ଡ କରିଥିଲେ । ଆଜି ଯୁଦ୍ଧ ମହାକାଶରେ ପହଞ୍ôଚ ଗଲାଣି ଏବଂ ସାଇବର ସ୍ତରରେ ଲଢ଼େଇ ଆରମ୍ଭ ହେଲାଣି । ସେଥିପାଇଁ ସେନାର ଆଧୁନିକୀକରଣ ଆମର ପ୍ରାଥମିକତା ହେବା ଉଚିତ । ଜଳ, ସ୍ଥଳ ଓ ଆକାଶ ସବୁ କ୍ଷେତ୍ରରେ ଯେଭଳି ସେନା ଶିଖରରେ ପହଞ୍ôଚ ପାରିବେ ସେଥିପାଇଁ ଆମର ପ୍ରୟାସ ଜାରି ରହିଛି ।
ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଲେ ଯେ ଗତ ୫ ବର୍ଷ ଭିତରେ ସୈନିକ ଓ ସେମାନଙ୍କ ପରିବାରର କଲ୍ୟାଣ ପାଇଁ ଅନେକ କିଛି ପଦକ୍ଷେପ ନିଆଯାଇଛି । ସ୍ୱାଧୀନତା ପରେ ସେମାନଙ୍କର ଯେଉଁ ପ୍ରମୁଖ ଦାବି ‘ୱାନ ର୍ୟାଙ୍କ-ୱାନ ପେନ୍ସନ’ ଥିଲା ତାହା ତାଙ୍କ ସରକାର ପୂରଣ କରିଛନ୍ତି । ସହିଦ ପିଲାମାନଙ୍କ ପାଇଁ ବୃତ୍ତି ପରିସରକୁ ବୃଦ୍ଧି କରାଯାଇଛି । ଏହା ବ୍ୟତୀତ ଜାତୀୟ ଯୁଦ୍ଧ ସ୍ମାରକୀ ଯବାନଙ୍କ ବୀରତ୍ୱର ଗାଥା ବହନ କରୁଛି । ସୂଚନାଯୋଗ୍ୟ ଯେ ପ୍ରଥମ କରି କାର୍ଗିଲ ବିଜୟ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି । କାର୍ଯ୍ୟକ୍ରମରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଉପସ୍ଥିତ ଥିଲେ । ଏହି ଅବସରରେ ବିଭିନ୍ନ ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।
Comments are closed, but trackbacks and pingbacks are open.