ନୂଆଦିଲ୍ଲୀ: ବଦଳିବ ଗ୍ରାମୀଣ ଭାରତ । ସଶକ୍ତ ହେବେ ଗ୍ରାମବାସୀ । ଗାଁ ଲୋକେ ହେବେ ଆତ୍ମନିର୍ଭର । ଏହି କ୍ରମରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନ୍ଫରେନ୍ସିଂରେ ‘ସ୍ୱାମୀତ୍ୱ’ ଯୋଜନା ଅନ୍ତର୍ଗତ ଭୂ-ସମ୍ପତ୍ତି ମାଲିକଙ୍କ ପାଇଁ ସମ୍ପତ୍ତି କାର୍ଡର ବିତରଣ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ସରକାରଙ୍କ ଏହି ପଦକ୍ଷେପ ଦ୍ୱାରା ଗ୍ରାମବାସୀଙ୍କ ନିକଟରେ ସେମାନଙ୍କ ସମ୍ପତ୍ତିର ଉପଯୁକ୍ତ ରେକର୍ଡ ରହିବ । ନିଜ ସମ୍ପତ୍ତିକୁ ସେମାନେ ବିତ୍ତୀୟ ପୁଞ୍ଜି ଭାବେ ବ୍ୟବହାର କରିପାରିବେ ଏବଂ ଏହା ମାଧ୍ୟମରେ ବିଭିନ୍ନ ଆର୍ଥିକ ପ୍ରତିÂାନରୁ ଋଣ ଓ ଅନ୍ୟାନ୍ୟ ବିତ୍ତୀୟ ସୁବିଧା ପାଇବେ । ଗ୍ରାମୀଣ ଭାରତ ପାଇଁ ଏହା ଏକ ଐତିହାସିକ ପଦକ୍ଷେପ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ଗ୍ରାମାଞ୍ଚଳରେ ସମ୍ପତ୍ତି ଅଧିକାରକୁ ନେଇ ଏହି ଯୋଜନା ଏକ ସ୍ପଷ୍ଟ ଚିତ୍ର ପ୍ରଦାନ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ପ୍ରାଥମିକ ଭାବେ ୬ଟି ରାଜ୍ୟର ୭୫୦ ଗ୍ରାମର ୧ ଲକ୍ଷ ଜମି ମାଲିକଙ୍କୁ ସମ୍ପତ୍ତି କାର୍ଡ ମିଳିବ । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍ଓ) ସୂତ୍ରରୁ ଜଣାଯାଇଛି ଯେ, ହିତାଧିକାରୀମାନେ ନିଜ ମୋବାଇଲ ଫୋନ୍କୁ ଯାଇଥିବା ଏସ୍ଏମ୍ଏସ୍ ଲିଙ୍କ୍ ଜରିଆରେ ସେମାନଙ୍କ ସମ୍ପତ୍ତି କାର୍ଡକୁ ଡାଉନ୍ଲୋଡ୍ କରିପାରିବେ । ଏହା ପରେ ସମ୍ପୃକ୍ତ ରାଜ୍ୟ ସମ୍ପତ୍ତି କାର୍ଡର ଭୌତିକ ବିତରଣ କରିବ । ଉତ୍ତରପ୍ରଦେଶର ୩୪୬, ହରିଆଣାର ୨୨୧, ମହାରାଷ୍ଟ୍ରର ୧୦୦, ମଧ୍ୟ ପ୍ରଦେଶର ୪୪, ଉତ୍ତରାଖଣ୍ଡର ୫୦ ଏବଂ କର୍ଣ୍ଣାଟକର ଦୁଇଟି ଗାଁକୁ ପ୍ରାଥମିକ ପର୍ଯ୍ୟାୟରେ ସାମିଲ କରାଯାଇଛି । ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ମୋଦି ସ୍ୱାମୀତ୍ୱ ଯୋଜନାର ଅନେକ ହିତାଧିକାରୀଙ୍କ ସହ ଆଲୋଚନା କରିଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦି ଏହି ଅବସରରେ କହିଛନ୍ତି ଯେ, ଗ୍ରାମାଞ୍ଚଳରେ ପରିବର୍ତ୍ତନ ଆଣିବାରେ ଏହା ଏକ ଐତିହାସିକ ପଦକ୍ଷେପ । ଦେଶର ଜନସଂଖ୍ୟାର ଦୁଇତୃତୀୟାଂଶ ଲୋକ ଗ୍ରାମାଞ୍ଚଳରେ ରୁହନ୍ତି । ଏମାନଙ୍କ ମଧ୍ୟରୁ ଖୁବ୍ କମ୍ ଲୋକଙ୍କ ପାଖରେ ସେମାନଙ୍କ ଜମିର ଉପଯୁକ୍ତ ରେକର୍ଡ ରହିଛି । ତେଣୁ ଜମି ବିବାଦ ସାଧାରଣ ମାମଲା ପାଲଟିଛି । ସ୍ୱାମୀତ୍ୱ ଯୋଜନା ଏହାର ସମାଧାନ ପାଲଟିବ । ଗ୍ରାମୀଣ ଭାରତବାସୀ ସଶକ୍ତ ହେବେ ।
ଗ୍ରାମାଞ୍ଚଳରେ ଜମିଗୁଡ଼ିକର ମାନଚିତ୍ର ପ୍ରସ୍ତୁତ କରିବା ପାଇଁ ଡ୍ରୋନ୍ ଟେକ୍ନୋଲୋଜିର ବ୍ୟବହାର କରିବା ଲାଗି ସରକାର ଯୋଜନା କରୁଛନ୍ତି । ଆସନ୍ତା ୪ ବର୍ଷରେ ୬୨୦,୦୦୦ ଗ୍ରାମକୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ, ଘର ଥାଇ ମଧ୍ୟ ବ୍ୟାଙ୍କରୁ ଋଣ ନେବା ସମୟରେ ଗ୍ରାମାଞ୍ଚଳ ଲୋକେ ଅନେକ ସମସ୍ୟାର ସାମ୍ନା କରୁଛନ୍ତି । ଏଭଳି କ୍ଷେତ୍ରରେ ସ୍ୱାମୀତ୍ୱ ଯୋଜନା ଅଧୀନରେ ପ୍ରଦାନ କରାଯାଉଥିବା ସମ୍ପତ୍ତି କାର୍ଡ ଦେଖାଇ ସେମାନେ ସହଜରେ ଋଣ ନେଇପାରିବେ ।
ଚଳିତମାସ ୬ଟି ରାଜ୍ୟର ୭୫୦ ଗ୍ରାମର ୧ ଲକ୍ଷ ଲୋକଙ୍କୁ ସମ୍ପତ୍ତି କାର୍ଡ ମିଳିବ । ପ୍ରତ୍ୟେକ କାର୍ଡରେ ଆଧାର କାର୍ଡ ଭଳି ଏକ ସ୍ୱତନ୍ତ୍ର ନମ୍ବର ରହିଥିବ । ଦେଶକୁ ଆତ୍ମନିର୍ଭର କରିବାରେ ଏହି ସ୍କିମ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ମୋଦି ଆହୁରି କହିଛନ୍ତି ଯେ, ବିଶେଷଜ୍ଞଙ୍କ ମତରେ ଏକ ଦେଶର ବିକାଶରେ ସମ୍ପତ୍ତି ଅଧିକାର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ତେଣୁ ଆମେ ଏ ଦିଗରେ ଆଗକୁ ବଢୁଛୁ ।
ଗ୍ରାମାଞ୍ଚଳରେ ରହୁଥିବା ଯୁବପିଢ଼ି ଏବେ ନିଜର ସମ୍ପତ୍ତି କାର୍ଡ ଦେଖାଇ ବ୍ୟାଙ୍କ ଋଣ ନେଇପାରିବେ ଏବଂ ବ୍ୟବସାୟ ଆରମ୍ଭ କରିପାରିବେ । ଭାରତ ଭଳି ଏକ ବିକାଶମୁଖୀ ରାଷ୍ଟ୍ର ପାଇଁ ଏହା ନିଶ୍ଚିତ ଭାବେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଏହାଦ୍ୱାରା ଭାରତରେ ବି ଏକ ସ୍ପଷ୍ଟ ଜମି ମାଲିକାନା ଆଇନ ପ୍ରଚଳନ ହେବ ବୋଲି ମୋଦି କହିଛନ୍ତି । ସୂଚନାଯୋଗ୍ୟ, ଚଳିତବର୍ଷ ଏପ୍ରିଲ ୨୪ରେ ପଞ୍ଚାୟତିରାଜ ମନ୍ତ୍ରାଳୟ ଦ୍ୱାରା ସ୍ୱାମୀତ୍ୱ ଯୋଜନାର ଶୁଭାରମ୍ଭ କରାଯାଇଥିଲା ।
Comments are closed, but trackbacks and pingbacks are open.