କଟକ,(ବି.ବି.ନୁ୍ୟଜ୍): କାର୍ଯ୍ୟବନ୍ଦ ଆନେ୍ଦାଳନରୁ ଗତ ୧ ତାରିଖରେ ଓହରିବା ଘୋଷଣା କରିବା ପରେ ଆଜି ହାଇକୋର୍ଟ ବାର୍ ଆସୋସିଏସନ୍ର ଆଇନଜୀବୀମାନେ ବିଧିବଦ୍ଧ ଭାବେ କୋର୍ଟ କାର୍ଯ୍ୟରେ ଯୋଗ ଦେଇଛନ୍ତି । ଅପରପକ୍ଷରେ ଆଜି ହାଇକୋର୍ଟର ଫୁଲ୍ ବେଞ୍ଚ୍ରେ ହାଇକୋର୍ଟ ବାର୍ ଆସୋସିଏସନ୍ ସମେତ ୬୮ ବାର୍ ବିରୋଧରେ ଅଦାଲତ ଅବମାନନା ମାମଲାର ଶୁଣାଣି ହୋଇଥିଲା । ଏଥିରେ ହାଇକୋର୍ଟ ବାର୍ ଆନେ୍ଦାଳନରୁ ଓହରି ଯାଇଥିବା ନେଇ ଫୁଲ୍ ବେଞ୍ଚ୍କୁ ଅବଗତ କରାଯିବା ପରେ ହାଇକୋର୍ଟ ବାର୍ ବିରୋଧରେ ରୁଜୁ ଅଦାଲତ ଅବମାନନା ମାମଲାଟିର ଶୁଣାଣି ଟଳିଯାଇଥିବା କୁହାଯାଉଛି । ତେବେ ଅନ୍ୟ ୬୭ଟି ବାର୍ ବିରୋଧରେ ହୋଇଥିବା ମାମଲା ଚାଲୁ ରହିବ ବୋଲି ଜଣାପଡିଛି । ଆଜି ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ କେ.ଏସ୍. ଜାଭେରୀଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ଫୁଲ୍ ବେଞ୍ଚ୍ରେ କୁମାରୀ ଜଷ୍ଟିସ୍ ସଞ୍ଜୁ ପଣ୍ଡା, ଜଷ୍ଟିସ୍ ଏସ୍.କେ. ମିଶ୍ର, ଜଷ୍ଟିସ୍ ସି.ଆର. ଦାଶ, ଡକ୍ଟର ଜଷ୍ଟିସ୍ ଏ.କେ. ରଥ, ଜଷ୍ଟିସ୍ ବିଶ୍ୱଜିତ୍ ମହାନ୍ତି, ଡକ୍ଟର ଜଷ୍ଟିସ୍ ବି.ଆର୍. ଷଡଙ୍ଗୀ, ଜଷ୍ଟିସ୍ ଦେବବ୍ରତ ଦାସ, ଜଷ୍ଟିସ୍ ଶତ୍ରୁଘ୍ନ ପୂଜାହାରୀ, ଜଷ୍ଟିସ୍ ବିଶ୍ୱନାଥ ରଥ, ଜଷ୍ଟିସ୍ ସଙ୍ଗମ କୁମାର ସାହୁ, ଜଷ୍ଟିସ୍ ପ୍ରମଥ ପ;ନାୟକ, ଜଷ୍ଟିସ୍ କେ.ଆର୍. ମହାପାତ୍ର ଏବଂ ଜଷ୍ଟିସ୍ ଏ.କେ. ମିଶ୍ରଙ୍କୁ ଗଠିତ ଫୁଲ୍ ବେଞ୍ଚ୍ ଆସନ୍ତା ୨୯ ତାରିଖକୁ ମାମଲାର ଶୁଣାଣି ପାଇଁ ଧାର୍ଯ୍ୟ କରିଛନ୍ତି । ହାଇକୋର୍ଟ ସମେତ ଅନ୍ୟାନ୍ୟ ଅଦାଲତରେ ଜଜ୍ ପଦବି ପୂରଣ ଏବଂ କଲେଜିୟମ୍ ବ୍ୟବସ୍ଥାକୁ ରଦ୍ଧ କରିବା ଦାବିରେ ହାଇକୋର୍ଟ ବାର୍ ଆସୋସିଏସନ୍ ପକ୍ଷରୁ ଗତ ମାସ ୧୪ ତାରିଖରୁ କାର୍ଯ୍ୟବନ୍ଦ ଆନେ୍ଦାଳନ ଡାକରା ଦିଆଯାଇଥିଲା । ଏହି ଆନେ୍ଦାଳନକୁ ନେଇ ହାଇକୋର୍ଟ ନିଜ ଆଡୁ ବାର୍ ଆସୋସିଏସନ୍ ସମେତ ୬୮ଟି ବାର୍ ବିରୋଧରେ ଅଦାଲତ ଅବମାନନା ମାମଲା ରୁଜୁ କରିଥିଲେ ।


Comments are closed, but trackbacks and pingbacks are open.