କାର୍ ଦୁର୍ଘଟଣାରେ ବୌଦ୍ଧ ଅତିରିକ୍ତ ଜିଲ୍ଲାପାଳ ମୃତ

Get real time updates directly on you device, subscribe now.

ବୌଦ୍ଧ,(ବି.ବି.ନ୍ୟୁଜ୍): ବୌଦ୍ଧ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ରମାକାନ୍ତ ସେଠୀ ଆଜି ସକାଳେ ଏକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ପୁରୁଣାକଟକ ଥାନା ଚାରିଛକ କରଡ଼ାକୋଠାରେ ଓଡି ୨୭ ଏ ୫୨୫୧ ନମ୍ବର କାରଟି ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଗଛରେ ପିଟି ହୋଇଯିବାରୁ ଏଥିରେ ତାଙ୍କର ମୃତ୍ୟୁ ଘଟିଛି । ପ୍ରକାଶ ଯେ ଆଜି ପ୍ରାତଃରୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସେଠୀ ଏକ କାର୍ରେ ଭୁବନେଶ୍ୱରରୁ ବୌଦ୍ଧ ଅଭିମୁଖେ ଆସୁଥିବା ବେଳେ ଚାରିଛକ କରଡ଼ାକୋଠାରେ କାରଟି ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଥିଲା । ତାଙ୍କୁ ଗୁରୁତର ଆହତ ଅବସ୍ଥାରେ ସ୍ଥାନୀୟ ଲୋକଙ୍କ ସହାୟତାରେ ୧୦୮ ଆମ୍ବୁଲାନ୍ସରେ ପ୍ରଥମେ ପୁରୁଣାକଟକ ଡାକ୍ତରଖାନାକୁ ଅଣାଯାଇଥିଲା । ସେଠାରେ ଅବସ୍ଥା ଗୁରୁତର ହେବାରୁ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା । ବୌଦ୍ଧରେ ପହଞ୍ଚିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଦୁର୍ଘଟଣା ଖବର ପାଇବା ମାତ୍ରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର, ଉପଜିଲ୍ଲାପାଳ ଏନ୍ସି ଜ୍ୟୋତିରଞ୍ଜନ ନାୟକ, ଜିଲ୍ଲାର ବିଭିନ୍ନ ଅଧିକାରୀ କର୍ମଚାରୀ ଡାକ୍ତରଖାନାରେ ପହଞ୍ଚିଥିଲେ । ଦୁର୍ଘଟଣାରେ କାର୍ ଡ୍ରାଇଭର ସୁଶାନ୍ତ ପ୍ରଧାନ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସେଠୀ ଜଣେ ମେଳାପୀ ଓ ଦକ୍ଷ ପ୍ରଶାସକ ଥିବାରୁ ତାଙ୍କ ମୃତ୍ୟୁରେ ବୌଦ୍ଧ ଜିଲ୍ଲାର ଅଧିକାରୀ, କର୍ମଚାରୀ ଓ ଜନସାଧାରଣ ମହଲରେ ଶୋକର ଛାୟା ଖେଳିଯାଇଛି । ଶ୍ରୀ ସେଠୀ ଗତ ନଭେମ୍ବର ୯ ତାରିଖ ବୌଦ୍ଧରେ ଅତିରିକ୍ତ ଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ପୂର୍ବରୁ ୨୦୦୨-୦୩ ମସିହାରେ ବୌଦ୍ଧରେ ନିଜାରତ ଅଫିସର ଭାବେ କାର୍ଯ୍ୟ କରି ସେତେବେଳେ ମଧ୍ୟ ଲୋକଙ୍କ ପ୍ରିୟପାତ୍ର ହୋଇପାରିଥିଲେ । ସ୍ୱର୍ଗତ ସେଠୀଙ୍କ ଘର ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳରେ ବୋଲି ଜଣାପଡ଼ିିଛି । ଶେଷ ଦର୍ଶନ ପାଇଁ ମର ଶରୀର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଅଣାଯାଇଥିଲା । ସେଠାରେ ଅଧିକାରୀ, କର୍ମଚାରୀ, ବୁଦ୍ଧିଜୀବୀ ଉପସ୍ଥିତ ରହି ଶେଷ ଦର୍ଶନ କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons