
ଜୟପୁର,(ବାସୁଦେବ ଜେନାଙ୍କ ରିପୋର୍ଟ): ଲମତାପୁଟ ସୀମାନ୍ତ ଅଞ୍ଚଳରୁ ଛତିଶଗଡ଼ ଚାଲାଣ ବେଳେ ଧରାପଡ଼ିଛି ଗଞ୍ଜେଇ ସହ କାର୍ । ସଦର ପୁଲିସ ୫୧ କେଜି ଗଞ୍ଜେଇ ଜବତ କରିବା ସହ ୪ ଟି ମୋବାଇଲ ଏବଂ ନଗଦ ୧ ହଜାର ୯୫୦ ଟଙ୍କା ଜବତ କରିଛି । କାରବାରରେ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି । ସେମାନେ ହେଲେ ମଧ୍ୟପ୍ରଦେଶ ହରଡ଼ାର ଅଖିଳେଶ ମେଶଖେର୍(୩୧), ଅଜୟ ସୋଡ଼ି(୨୮), ତେମାଗାଁର ଦୀପକ ମାଲଭି(୨୭) ଏବଂ ହୋସଙ୍ଗାବାଦ୍ର ବଣ୍ଟି ଚନ୍ଦଲାଲ ସୋଡ଼ି(୨୩) । ଜବତ ଗଞ୍ଜେଇର ମୂଲ୍ୟ ପ୍ରାୟ ୫ ଲକ୍ଷ ଟଙ୍କା ହେବ ବୋଲି ପୁଲିସ ଆକଳନ କରିଛି । ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିଲା । ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କ ଜେଲ୍ ପଠାଇ ଦିଆଯାଇଥିବା ଓଆଇସି ଆଦିତ୍ୟ ମହାକୁଡ଼ କହିଛନ୍ତି ।
ପୁଲିସ ସୂଚନା ଅନୁଯାୟୀ, ଆଜି ସକାଳ ପ୍ରାୟ ୯ଟାରେ ଓଆଇସି ଆଦିତ୍ୟ ମହାକୁଡ଼ଙ୍କୁ ଗଞ୍ଜେଇ ଚାଲାଣ ସମ୍ପର୍କରେ ଖବର ମିଳିଥିଲା । ଏକ କାରରେ ଲମତାପୁଟରୁ ଜୟପୁର ଅଞ୍ଚଳକୁ ଗଞ୍ଜେଇ ଆସୁଥିଲା ଯାହା ବ୍ରାହ୍ମଣୀଗାଁ ଡେଇଁ ସାରିଥିଲା । ଖବର ପାଇ ଶ୍ରୀ ମହାକୁଡ଼, ଏସ୍ଆଇ ନବୀନ ଟପ୍ପୋ, ଏଏସ୍ଆଇ ରମାକାନ୍ତ ବେହେରା, ସୁରେନ୍ଦ୍ର କୁମାର ସାମଲ ଏବଂ ଅନ୍ୟ କର୍ମଚାରୀ ଏନଏଚ୍-୨୬ ଉମୁରୀ ଛକ ପାଖରେ ଛପି ରହିଥିଲେ । ଏହି ସମୟରେ କାର୍(ଏମପି ୦୯ ବିସି-୮୨୧୨) ଦ୍ରୁତ ଗତିରେ ଆସିଥିଲା । ପୁଲିସ ଅଟକାଇବାରୁ ଡ୍ରାଇଭର ଗାଡ଼ି ନରଖି ଆମ୍ବାଗୁଡ଼ା ପଟକୁ ଚାଲିଯାଉଥିଲା । ତୁରନ୍ତ କାରକ ପିଛା କରି ଅଟକା ଯାଇଥିଲା । ଯାଞ୍ଚ ବେଳେ କାରରେ ୨ଟି ଜରି ଅଖାରେ ଗଞ୍ଜେଇ ଥିବା ଦେଖିବାକୁ ମିଳିଥିଲା । ପଚରାଉଚରା ବେଳେ ଲମତାପୁଟ ଅଞ୍ଚଳରୁ କିଣି ଛତିଶଗଡ଼ ବିକ୍ରି ଲାଗି ନେଉଥିବା ଅଭିଯୁକ୍ତମାନେ ମାନିଥିଲେ । ମାଜିଷ୍ଟେ୍ରଟଙ୍କ ଉପସ୍ଥିତିରେ ଗଞ୍ଜେଇ ଓଜନ କରାଯାଇଥିଲା । ମାମଲା ରୁଜୁ କରାଯାଇ ସମସ୍ତଙ୍କୁ ଗିରଫ କରାଯାଇଥିଲା । ଏସ୍ଆଇ ପ୍ରଶାନ୍ତ କୁମାର ମହାନ୍ତି ମାମଲାର ତଦନ୍ତକାରୀ ଅଧିକାରୀ ଅଛନ୍ତି ।
ସୂଚନାଥାଉକି, ଗତ ସାଢେ ୪ ମାସରେ ସଦର ପୁଲିସ ୧୪ଟି ଗଞ୍ଜେଇ ମାମଲା ରୁଜୁ କରିଛି । ଆଜିକୁ ଅର୍ଥାତ୍ ମେ’ ୧୯ କୁ ମିଶାଇ ୧୪ ଟି ମାମଲାରେ ୩୮ ଜଣଙ୍କୁ ଗିରଫ କରାଯାଇଛି । ୪ ଟି ମାମଲାରେ କେହି ଅଭିଯୁକ୍ତ ଗିରଫ ହୋଇନାହାନ୍ତି । ଅଭିଯୁକ୍ତଙ୍କ ପାଖରୁ ୩ ହଜାର ୮୭୪ କେଜି ଗଞ୍ଜେଇ ଜବତ କରାଯାଇଛି । ୨ଟି ଟ୍ରକ, ଗୋଟିଏ କଣ୍ଟେନର, ୮ଟି କାର, ୨ଟି ଭ୍ୟାନ୍, ୪ଟି ବାଇକ୍, ଗୋଟିଏ ଲେଖାଏଁ ଅଟୋ ଓ ସ୍କୁଟି ସହ ୩୫ ଟି ମୋବାଇଲ ଫୋନ୍ ଏବଂ ନଗଦ ୭୫ ହଜାର ଟଙ୍କା ଜବତ କରାଯାଇଛି । ଜବତ ଗଞ୍ଜେଇର ମୂଲ୍ୟ ପ୍ରାୟ ୩ କୋଟି ୮୦ ଲକ୍ଷ ଟଙ୍କା ହେବ ।


Comments are closed, but trackbacks and pingbacks are open.