ଜୟପୁର: ଲମତାପୁଟ ସୀମାନ୍ତ ଅଞ୍ଚଳରୁ ଉତ୍ତରପ୍ରଦେଶ ଚାଲାଣ ବେଳେ ଧରାପଡ଼ିଛି ଗଞ୍ଜେଇ । ସଦର ପୁଲିସ ଏକ କାର ସହ ୪୧ କେଜି ୨୦୦ ଗ୍ରାମ୍ ଗଞ୍ଜେଇ ଜବତ କରିଛି । କାରବାରରେ ଲିପ୍ତ ଅଭିଯୋଗରେ ଜଣକୁ ଗିରଫ କରାଯାଇଛି । ଗିରଫ ବ୍ୟକ୍ତିଜଣଙ୍କ ହେଲେ ଉତ୍ତରପ୍ରଦେଶ ଛାପ୍ରୋଲି ଜିଲ୍ଲା ବାଗପତ୍ ହଲ୍ପୁରର ମନୋଜ କୁମାର(୪୦) । ତାଙ୍କ ଠାରୁ ଗୋଟିଏ ମୋବାଇଲ୍, ନଗଦ ୧ ହଜାର ୫୫୦ ଟଙ୍କା ଏବଂ ଅନ୍ୟାନ୍ୟ କାଗଜପତ୍ର ଜବତ କରାଯାଇଛି । ଜବତ ଗଞ୍ଜେଇର ମୂଲ୍ୟ ୪ ଲକ୍ଷ ୧୦ ହଜାର ଟଙ୍କା ହେବ ବୋଲି ପୁଲିସ ଆକଳନ କରିଛି । ଅଭିଯୁକ୍ତକୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିବା ଓଆଇସି ଆଦିତ୍ୟ ମହାକୁଡ଼ କହିଛନ୍ତି ।
ପୁଲିସ ସୂଚନା ଅନୁଯାୟୀ, ଗତ ୩ ତାରିଖ ମଧ୍ୟାହ୍ନରେ ଏକ ଧଳାରଙ୍ଗର କାର୍ରେ ଗଞ୍ଜେଇ ଚାଲାଣ ସମ୍ପର୍କରେ ଓଆଇସି ଶ୍ରୀ ମହାକୁଡ଼ଙ୍କୁ ଖବର ମିଳିଥିଲା । ଏନ୍ଏଚ୍ -୩୨୬ ବୈପାରିଗୁଡ଼ା ପଟୁ ଜୟପୁର ଅଭିମେୁଖେ ବାହାରିଥିବା କାର୍ଟି ବ୍ରାହ୍ମଣୀଗାଁ ଅତିକ୍ରମ କରିସାରିଥିବା ଜଣାପଡ଼ିଥିଲା । ତୁରନ୍ତ ଏସ୍ଆଇ ନବୀନ ଟପ୍ପୋ, ଅଜିତ ସିଂ ବରିହା, ଏଏସ୍ଆଇ ସୁରେନ୍ଦ୍ର କୁମାର ସାମଲ, ତୁଳସୀରାମ ପୂଜାରୀ ଏବଂ ଅନ୍ୟ କର୍ମଚାରୀ ବାହାରିଥିଲେ । ଏନ୍ଏଚ୍-୨୬ ଏୟାର୍ଷ୍ଟ୍ରିପ୍ ଛକ ନିକଟରେ ଛପି ରହିଥିଲେ । ଏହି ସମୟରେ ଏକ ନମ୍ବରବିହୀନ କାର୍ ଦ୍ରୁତଗତିରେ ଆସିଥିଲା । ଅଧିକାରୀମାନେ ଅଟକାଇକୁ ଚେଷ୍ଟା କରିବାରୁ ଡ୍ରାଇଭର ଗାଡ଼ି ନ ରଖି ଆମ୍ବାଗୁଡ଼ା ଦିଗରେ ଚାଲିଯାଇଥିଲା । କାର୍ ପିଛା କରି ବାଟରେ ଅଟକା ଯାଇଥିଲା । ଯାଞ୍ଚ୍ବେଳେ କାର୍ର ଏକ ସ୍ୱତନ୍ତ୍ର ଚାମ୍ବରରେ ୧୧ ପ୍ୟାକେଟ୍ ଗଞ୍ଜେଇ ଥିବା ଦେଖିବାକୁ ମିଳିଥିଲା । ପଚରାଉଚରା ବେଳେ ମାଲ୍ ଉତ୍ତରପ୍ରଦେଶ ନିଆଯାଇଥିବା ସମ୍ପର୍କରେ ଡ୍ରାଇଭର ମାନିଥିଲା । ମାଜିଷ୍ଟେ୍ରଟ୍ଙ୍କ ଉପସ୍ଥିତିରେ ଗଞ୍ଜେଇ ଓଜନ କରାଯାଇଥିଲା । ଏ ସମ୍ପର୍କରେ ଥାନାରେ ଏକ ମାମଲା ରୁଜୁ କରାଯାଇଛି । ଆଜି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିଲା । ଏସ୍ଆଇ ଶଙ୍କର ପଣ୍ଡା ମାମଲାର ତଦନ୍ତକାରୀ ଅଧିକାରୀ ଅଛନ୍ତି ।
ସୂଚନାଥାଉ କି, ଗତ ୫ ମାସରେ ସଦର ପୁଲିସ ୧୫ଟି ଗଞ୍ଜେଇ ମାମଲା ରୁଜୁ କରିଛି । ଆଜି ଅର୍ଥାତ୍ ଜୁନ୍ ୪କୁ ମିଶାଇ ୧୫ଟି ମାମଲାରେ ୩୯ ଜଣଙ୍କୁ ଗିରଫ କରାଯାଇଛି । ୪ ଟି ମାମଲାରେ କେହି ଅଭିଯୁକ୍ତ ଗିରଫ ହୋଇନାହାନ୍ତି । ଅଭିଯୁକ୍ତଙ୍କ ପାଖରୁ ୩ ହଜାର ୯୧୫ କେଜି ଗଞ୍ଜେଇ ଜବତ କରାଯାଇଛି । ୨ଟି ଟ୍ରକ, ଗୋଟିଏ କଣ୍ଟେନର, ୯ଟି କାର, ୨ଟି ଭ୍ୟାନ୍, ୪ଟି ବାଇକ୍, ଗୋଟିଏ ଲେଖାଏଁ ଅଟୋ ଓ ସ୍କୁଟି ସହ ୩୬ ଟି ମୋବାଇଲ ଫୋନ୍ ଏବଂ ନଗଦ ୭୭ ହଜାର ଟଙ୍କା ଜବତ କରାଯାଇଛି । ଜବତ ହୋଇଥିବା ଗଞ୍ଜେଇର ମୂଲ୍ୟ ପ୍ରାୟ ୩ କୋଟି ୮୦ ଲକ୍ଷ ଟଙ୍କା ହେବ ।
ରିପୋର୍ଟ: ବାସୁଦେବ ଜେନା


Comments are closed, but trackbacks and pingbacks are open.