ଭୁବନେଶ୍ୱର, (ବି.ବି.ବୁ୍ୟରୋ): ଆସନ୍ତାକାଲିଠାରୁ ସାରା ରାଜ୍ୟରେ ଚାଲିବ ଘରୋଇ ବସ୍ । ରାଜ୍ୟ ବସ୍ ଘରୋଇ ମାଲିକ ସଂଘ ସାଧାରଣ ପରିଷଦ ମିଟିଂରେ ଏନେଇ ନିଷ୍ପତ୍ତି ହୋଇଛି । ବୈଠକ ପରେ ବସ୍ ମାଲିକ ସଂଘ ସାଧାରଣ ସଂପାଦକ ଦେବେନ୍ଦ୍ର ସାହୁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ତେବେ ପ୍ରଥମ ଦଫାରେ କାଲିଠାରୁ କିଛି କିଛି ବସ୍ ଚଳାଚଳ କରିବ । ପୂରା ମାତ୍ରାରେ ବସ୍ ଚଳାଚଳ ପାଇଁ ୧୦ ଦିନ ସମୟ ଲାଗିବ ବୋଲି ଶ୍ରୀ ସାହୁ କହିଛନ୍ତି । ଏହାଛଡ଼ା ବସ୍ ଚାଳକ, ହେଲପର ଓ କଣ୍ଡକ୍ଟରଙ୍କ ବୀମା ହେବ, ମାର୍ଚ୍ଚ ମାସ ଟ୍ୟାକ୍ସ ଜୁଲାଇ ଏଡ୍ଜଷ୍ଟ ହେବ ବୋଲି ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବା ଶ୍ରୀ ସାହୁ କହିଛନ୍ତି । ରାଜ୍ୟରେ ଘରୋଇ ବସ୍ ଚଳାଚଳ ନେଇ ଗତକାଲି ଘରୋଇ ବସ୍ ମାଲିକ ସଂଘ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କୁ ଭେଟିଥିଲେ । ବୈଠକରେ ଏପ୍ରିଲ, ମେ’ ଓ ଜୁନ୍ ମାସ ପାଇଁ ରୋଡ୍ ଟ୍ୟାକ୍ସ ଛାଡ଼, ଇନ୍ସୁ୍ୟରାନ୍ସ ଦେୟ ଅବଧି ବୃଦ୍ଧି ଓ ଋଣ କିସ୍ତି ଛାଡ଼ ଉପରେ ଆଲୋଚନା ହୋଇଥିଲା । ମହାମାରୀ କରୋନା ପାଇଁ ଦିଆଯାଇଥିବା ଲକ୍ଡାଉନ୍ ଯୋଗୁଁ ରାଜ୍ୟରେ ବସ୍ ଚଳାଚଳ ବନ୍ଦ ରହିଛି । ତେବେ ତୃତୀୟ ପର୍ଯ୍ୟାୟ ଲକ୍ଡାଉନ୍ରେ ରାଜ୍ୟ ସରକାର କେତେକ ସର୍ତ୍ତରେ ବସ୍ ଚଳାଇବାକୁଅନୁମତି ଦେଇଥିଲେ । କୌଣସି ବସ୍ରେ ଯାତ୍ରୀମାନେ ଠିଆ ହୋଇଯାଇପାରିବେ ନାହିଁ । ସେହିପରି କୌଣସି ବସ୍ ରାସ୍ତାରୁ ଯାତ୍ରୀଙ୍କୁ ଉଠାଇ ପାରିବେ ନାହିଁ । ଏହାଛଡ଼ା ଅନ୍ୟାନ୍ୟ ବହୁ ସର୍ତ୍ତ ରଖିଥିଲେ । ଯାହାକୁ ବିରୋଧ କରିଥିଲା ବସ୍ ମାଲିକ ସଂଘ । ବସ୍ ଷ୍ଟାଣ୍ଡରେ ସ୍କିନିଂ ଓ ସାନିଟାଇଜିଂ ବ୍ୟବସ୍ଥା କରିବାକୁ ସଂଘ ଦାବି କରିଥିଲା । ସେହିପରି ଦୀର୍ଘ ସମୟ ଧରି ଗାଡ଼ି ଚଳାଚଳ ବନ୍ଦରହିଥିବାରୁ କ୍ଷତି ସହୁଥିବା ମାଲିକଙ୍କୁ ରୋଡ୍ ଟ୍ୟାକ୍ସ ଛାଡ଼ , ଇନ୍ସୁ୍ୟରାନ୍ସ ଦେୟ ଅବଧି ବୃଦ୍ଧି ଓ ଋଣ କିସ୍ତି ଛାନ କରିବାକୁ ସଂଘ ଦାବି କରିଛି ।
Comments are closed, but trackbacks and pingbacks are open.