ନୂଆଦିଲ୍ଲୀ: ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମରେ କେନ୍ଦ୍ର ସରକାର ଜମ୍ମୁ-କାଶ୍ମୀରକୁ କେନ୍ଦ୍ରୀୟ ଅର୍ଦ୍ଧ-ସାମରିକ ବାହିନୀଗୁଡିକର ୧୦ ହଜାର ଅତିରିକ୍ତ ଯବାନଙ୍କୁ ପଠାଇଛନ୍ତି । ତୁରନ୍ତ ଏହି ଯବାନମାନଙ୍କୁ ସେଠାକୁ ପଠାଯିବା ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି । ଏହାପରେ କାଶ୍ମୀରକୁ ନେଇ କେନ୍ଦ୍ର ସରକାର କିଛି ବଡ଼ ପଦକ୍ଷେପ ନେଇପାରନ୍ତି ବୋଲି ଚର୍ଚ୍ଚା ଜୋରଧରିଛି ।
ରିପୋର୍ଟ ଅନୁଯାୟୀ, କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଚଳିତ ମାସ ୨୫ ତାରିଖରେ ଅର୍ଦ୍ଧ-ସାମରିକ ବାହିନୀଗୁଡିକର ୧୦୦ କଂପାନି( ପ୍ରତି କଂପାନିରେ ୧୦୦ ଯବାନ) ଙ୍କୁ ତୁରନ୍ତ କାଶ୍ମୀରକୁ ପଠାଇବା ପାଇଁ ନିର୍ଦ୍ଦେଶ ଜାରି କରିଥିଲା । ଏହାପରେ ଏହି ଯବାନମାନଙ୍କୁ ବିମାନ ଓ ଟ୍ରେନ ଯୋଗେ ସେଠାକୁ ପଠାଯିବାର ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଦେଶର ବିଭିନ୍ନ ଭାଗରୁ ଏହି କଂପାନିଗୁଡିକୁ ସେଠାକୁ ନିଆଯାଉଛି । ଇତିମଧ୍ୟରେ କିଛି ଯବାନ ସେଠାରେ ପହଞ୍ôଚସାରିଲେଣି । ଯେଉଁ କଂପାନିଗୁଡିକୁ ସେଠାକୁ ପଠାଯାଇଛି, ସେଗୁଡିକ ମଧ୍ୟରୁ ୫୦ଟି କେବଳ ସିଆରପିଏଫର ହୋଇଥିଲାବେଳେ ୩୦ଟି ଏସଏସବିର, ୧୦ଟି ବିଏସଏଫ ଏବଂ ୧୦ଟି ଆଇଟିବିପିର ଅଟନ୍ତି ।
ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି କି ରାଜ୍ୟରେ ଆତଙ୍କବାଦୀ ବିରୋଧୀ ଅଭିଯାନକୁ ଜୋରଦାର କରିବା ପାଇଁ ଏବଂ ଆଇନଶୃଙ୍ଖଳା ପରିସ୍ଥିତିରେ ଆହୁରି ସୁଧାର ଆଣିବା ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି । ଜମ୍ମୁ-କାଶ୍ମୀରର ପୁଲିସ ମହାନିର୍ଦ୍ଦେଶକ ଦିଲବାଗ ସିଂ ମଧ୍ୟ ଅନୁରୂପ ବୟାନ ଦେଇଛନ୍ତି ।
ଡୋଭାଲଙ୍କ ଗୋପନୀୟ ଗସ୍ତ ପରେ ଏଭଳି ନିଷ୍ପତ୍ତି
କୁହାଯାଉଛି କି, ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ନିକଟରେ ଦୁଇ ଦିନ ପାଇଁ ଜମ୍ମୁ-କାଶ୍ମୀର ଗସ୍ତ କରିଥିଲେ । ହେଲେ ଏହାକୁ ଅତି ଗୋପନୀୟ ରଖାଯାଇଥିଲା । ସେ ବୁଧବାର ସେଠାରେ ପହଞ୍ôଚଥିଲେ ଏବଂ ରାଜ୍ୟର ବରିଷ୍ଠ ଅଧିକାରୀଙ୍କ ସହ ଉଚ୍ଚ ସ୍ତରୀୟ ବୈଠକ କରିଥିଲେ । ଏହି ବୈଠକରେ ରାଜ୍ୟପାଳଙ୍କ ପରାମର୍ଶଦାତା କେ ବିଜୟ କୁମାର, ମୁଖ୍ୟ ସଚିବ ବିବିଆର ସୁବ୍ରମଣ୍ୟମ , ରାଜ୍ୟର ପୁଲିସ ମହାନିର୍ଦ୍ଦେଶକ ଦିଲବାଗ ସିଂ, ଆଇଜି ଏସ ପି ପାଣି ଏବଂ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ । ଏମିତିକି ଡୋଭାଲଙ୍କ ସହ ଦିଲ୍ଲୀରୁ ଗୁଇନ୍ଦା ସଂସ୍ଥା ଇଣ୍ଟେଲିଜେନ୍ସ ବ୍ୟୁରୋ(ଆଇବି)ର କିଛି ବରିଷ୍ଠ ଅଧିକାରୀ ବି ସେଠାକୁ ଯାଇଥିଲେ । ଡୋଭାଲ ସେଠାରୁ ଫେରିବା ପରେ କେନ୍ଦ୍ର ସରକାରଙ୍କ ତରଫରୁ ତୁରନ୍ତ ଏଭଳି ଆଦେଶ ଜାରି କରାଯାଇଛି ।
ଧାରା-୩୫(କ) ହଟାଯିବା ନେଇ ଚର୍ଚ୍ଚା
ଜମ୍ମୁ-କାଶ୍ମୀରରେ ପୂର୍ବରୁ ବିପୁଳ ସଂଖ୍ୟାରେ ସେନା ଏବଂ ଅର୍ଦ୍ଧ-ସାମରିକ ବାହିନୀର ଯବାନ ମୁତୟନ ହୋଇଛନ୍ତି । ଲୋକସଭା ନିର୍ବାଚନ ପୂର୍ବରୁ ବି ସେଠାକୁ ୧୦,୦୦୦ ଅତିରିକ୍ତ ଯବାନ ପଠାଯାଇଥିଲା । ତେଣୁ ଏବେ ସେଠାକୁ ପୁଣି ୧୦,୦୦୦ ଅତିରିକ୍ତ ଯବାନ ପଠାଯିବାର ଆବଶ୍ୟକତା କ’ଣ? ଏହାକୁ ନେଇ ଏବେ ଚର୍ଚ୍ଚା ଜୋରଧରିଛି । କାଶ୍ମୀର ଘାଟିରେ ଅନେକ ବିଚ୍ଛିନ୍ନତାବାଦୀ ଚିନ୍ତାଧାରା ସମ୍ପନ୍ନ ବ୍ୟକ୍ତି ଆଶଙ୍କା ବ୍ୟକ୍ତ କରିଛନ୍ତି କି କେନ୍ଦ୍ର ସରକାର କାଶ୍ମୀରକୁ ନେଇ ବୋଧହୁଏ କିଛି ବଡ ପଦକ୍ଷେପ ନେବାକୁ ଯାଉଛନ୍ତି । ରାଜ୍ୟ ପାଇଁ ପ୍ରଣୀତ ସମ୍ବିଧାନରଧାରା ୩୭୦ ଓ ୩୫(କ)କୁ ହଟାଯିବା ନେଇ ପୂର୍ବରୁ ଆଲୋଚନା ହେଉଥିବାରୁ ସରକାର ଏବେ ଏଭଳି କିଛି ପଦକ୍ଷେପ ନେଇପାରନ୍ତି ବୋଲି ସେମାନେ ମନେ କରୁଛନ୍ତି । କାଶ୍ମୀର ଘାଟିରେ ଅଧିକାଂଶ ଲୋକ ଭାବୁଛନ୍ତି କି ମୋଦି ସରକାରଧାରା -୩୫(କ)କୁ ହଟାଇବା ପାଇଁ ମନସ୍ଥ କରିସାରିଛନ୍ତି । ତେଣୁ ଏଭଳି ଘୋଷଣା କରାଯିବା ପୂର୍ବରୁ ସୁରକ୍ଷା ବ୍ୟବସ୍ଥା ସୁଦୃଢ଼ କରିବା ପାଇଁ ଏଭଳି ପଦକ୍ଷେପ ନେଉଛନ୍ତି ।
ମେହବୁବାଙ୍କ ବିରୋଧ
ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ନେତ୍ରୀ ମେହବୁବା ମୁଫ୍ତି କେନ୍ଦ୍ର ପକ୍ଷରୁ ନିଆଯାଇଥିବା ଏହି ପଦକ୍ଷେପକୁ ବିରୋଧ କରିଛନ୍ତି । ଟୁଇଟ୍ କରି ସେ କହିଛନ୍ତି ଯେ, ‘କେନ୍ଦ୍ରର ଏଭଳି ନିଷ୍ପତ୍ତି ଯୋଗୁ ରାଜ୍ୟରେ ଭୟର ବାତାବରଣ ସୃଷ୍ଟି ହେବ । କାଶ୍ମୀରରେ ପୂର୍ବରୁ
ସୁରକ୍ଷାକର୍ମୀଙ୍କର ଅଭାବ ନଥିବାରୁ ଏହାର ଆବଶ୍ୟକ ନଥିଲା’ । ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ, ଜମ୍ମୁ-କାଶ୍ମୀରର ସମସ୍ୟା ରାଜନୈତିକ ଅଟେ । ସାମରିକ କାର୍ଯ୍ୟାନୁଷ୍ଠାନ ଜରିଆରେ ଏହାର ସମାଧାନ କରାଯାଇପାରିବ ନାହିଁ । ତେଣୁ ଭାରତ ସରକାର ନିଜ ନିଷ୍ପତ୍ତିର ପୁନର୍ବିଚାର କରନ୍ତୁ ।
Comments are closed, but trackbacks and pingbacks are open.