କାଶ୍ମୀର ପ୍ରସଙ୍ଗ:ଯୁଦ୍ଧ ଆଡକୁ ମୁହାଁଉଛନ୍ତି ଭାରତ, ପାକ୍

Get real time updates directly on you device, subscribe now.

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ଧୀରେ ଧୀରେ ଯୁଦ୍ଧ ଆଡକୁ ମୁହାଁଉଥିବାର ମନେ କରାଯାଉଛି । ଗତ କିଛି ଦିନ ଧରି ଏଲଓସିରେ ଯେଭଳି ବଡ଼ଧରଣର ସଂଘର୍ଷ ଚାଲିଛି ଏବଂ ଭାରତୀୟ ସେନା ଯେପରି ଭାବେ ଲଗାତର ଯୁଦ୍ଧାଭ୍ୟାସ କରୁଛି, ସେଥିରୁ ଏପରି ମନେହେଉଛି । ପାକିସ୍ତାନ ଆତଙ୍କବାଦ ଉପରେ ଲଗାମ ନକଷିବା ବି ଏହାର ଏକ କାରଣ ହୋଇପାରେ ।
ରିପୋର୍ଟ ଅନୁଯାୟୀ, ଗତ କିଛି ସପ୍ତାହ ଧରି ଏଲଓସିରେ ଭାରତୀୟ ଏବଂ ପାକିସ୍ତାନୀ ସେନା ମଧ୍ୟରେ ତୁମୁଳ ସଂଘର୍ଷ ଚାଲିଛି । ଯଦିଓ ଏଥିରେ ଭାରତର କିଛି ଯବାନ ଓ ସାଧାରଣ ଲୋକ ମୃତାହତ ହୋଇଛନ୍ତି³ କିନ୍ତୁ ପାକ୍ ସେନାର ସବୁଠାରୁ ଅଧିକ କ୍ଷତି ହୋଇଛି । ଦୁଇ ଦେଶର ସେନା ସୀମାରେ ତୋପ ଓ ମଲ୍ଟି ବ୍ୟାରେଲ ରକେଟ ଲଞ୍ଚର ଆଦି ଭାରୀ ଯୁଦ୍ଧ ସରଞ୍ଜାମ ବ୍ୟବହାର କରୁଛନ୍ତି । ତୋପଗୁଡିକର ରେଞ୍ଜ ୪୦ କିମି ଯାଏଁ ହୋଇଥିଲାବେଳେ ରକେଟ ଲଞ୍ଚରଗୁଡିକର ରେଞ୍ଜ ୭୦ରୁ ୯୦ କିମି ଭିତରେ ରହିଛି । ଏହାଯୋଗୁ ଉଭୟ ପାଶ୍ୱର୍ରେ କ୍ଷୟକ୍ଷତି ହେଉଛି । କିନ୍ତୁ ପିଓକେରେ ବ୍ୟାପକ କ୍ଷତି ହେଉଛି । ଗତ ରବିବାର ଭାରତୀୟ ସେନା ତଙ୍ଗଧାର ସେକ୍ଟରରେ ଏପରି ଗୁଳିଗୋଳା ମାଡ଼ କରିଥିଲା ଯେ ତା’ ଯୋଗୁ ପାକିସ୍ତାନର ୧୨ ଜଣ ସୈନିକ, ୬ ଜଣ ସାଧାରଣ ନାଗରିକ ଏବଂ ୧୮ ଜଣ ଆତଙ୍କବାଦୀ ପ୍ରାଣ ହରାଇଥିଲେ । ଏହି ଘଟଣାରେ ପିଓକେ ଅନ୍ତର୍ଗତ ନୀଲମ ଉପତ୍ୟାକାରେ ୭୦ରୁ ଅଧିକ କୋଠା, ବ୍ୟାଙ୍କ୍ ଓ ଦୋକାନ ଆଦି କ୍ଷତି ଗ୍ରସ୍ତ ହୋଇଥିଲା । ପିଓକେର ପ୍ରଧାନମନ୍ତ୍ରୀ ବି କହିଥିଲେ ଯେ ଭାରତର ଆକ୍ରମଣରେ ଅନେକ ପାକ୍ ସୈନିକ ମରିଛନ୍ତି । କିନ୍ତୁ ପାକ୍ ସେନାର ଜନସମ୍ପର୍କ ବିଭାଗ ଏହାକୁ ସ୍ୱୀକାର କରିନଥିଲା । ତା’ ପୂର୍ବରୁ ଭାରତୀୟ ସେନାର ଆକ୍ରମଣରେ ପିଓକେରେ ନିର୍ମାଣାଧୀନ ଥିବା ଏକ ବିଦୁ୍ୟତ୍ ଶକ୍ତି ପ୍ରକଳ୍ପ ବି କ୍ଷତିଗ୍ରସ୍ତ ହୋଇଥିଲା । କିନ୍ତୁ ଏହାସତ୍ତେ୍ୱ ବି ପାକ୍ ସେନା ନିଜର ହରକତ ବନ୍ଦ କରୁନାହିଁ । ସିଏ ବାରମ୍ବାର ସୀମାରେ ଗୁଳିଗୋଳା ମାଡ଼ କରୁଛି । ସେହିପରି ସିଏ କ୍ରମାଗତଃ ଭାବେ ଭାରତ ଭିତରକୁ ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରାଇବାକୁ ଉଦ୍ୟମ କରୁଛି ।
ଅନ୍ୟପଟରେ, ଭାରତରେ ମୋଦି ସରକାର ସୁରକ୍ଷା ଏଜେନ୍ସିଙ୍କୁ ସ୍ପଷ୍ଟ ଇଙ୍ଗିତ ଦେଇଛନ୍ତି କି ସେମାନେ ଯେକୌଣସି ମତେ ଆତଙ୍କବାଦୀଙ୍କ ଅନୁପ୍ରବେଶ ରୋକନ୍ତୁ । ଏହି କାରଣରୁ ଭାରତୀୟ ସେନା ଆଗାମୀ ଦିନରେ ପାକିସ୍ତାନ ବିରୋଧରେ ବଡ଼ ଧରଣର କାର୍ଯ୍ୟାନୁÂାନ ଗ୍ରହଣ କରିପାରେ ବୋଲି ଅନୁମାନ କରାଯାଉଛି । କାରଣ ଯଦି ଭାରତରେ ଗୋଟିଏ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ହୁଏ, ତାହାହେଲେ ନିଶ୍ଚିତ ଭାବେ ଭାରତୀୟ ସେନା ଚୁପ୍ ହୋଇ ବସିରହିବ ନାହିଁ ଏବଂ ଏହାର ଜବାବ ଦେବ । ଏହାପରେ ପାକ୍ ସେନା ମଧ୍ୟ ହାତରେ ହାତ ବାନ୍ଧି ବସିରହିବ ନାହିଁ । ନିଜର ଛବି ସୁରକ୍ଷିତ ରଖିବାକୁ ସିଏ ବି କିଛିଟା ଆକ୍ସନ ନେବ । ଏପରି ସ୍ଥିତିରେ ଦୁଇ ଦେଶ ଭିତରେ ଯୁଦ୍ଧ ଲାଗିଯାଇପାରେ ।
ଆହୁରି ମଧ୍ୟ, ଭାରତୀୟ ସେନା ଦ୍ୱାରା ଗତ କିଛି ମାସ ଭିତରେ ବାରମ୍ବାର ଯୁଦ୍ଧାଭ୍ୟାସ କରାଯିବା ବି ଅନେକଙ୍କ ମନରେ ଏପରି ଆଶଙ୍କାକୁ ଜନ୍ମ ଦେଇଛି । ଭାରତୀୟ ସ୍ଥଳସେନା ନିକଟରେ ରାଜସ୍ଥାନ ସୀମାରେ ବଡ଼ଧରଣର ଯୁଦ୍ଧାଭ୍ୟାସ କରିଛି । ସେହିପରି ନୌସେନା ବି ଏବେ ଆଉ ଏକ ଯୁଦ୍ଧାଭ୍ୟାସ ଆରମ୍ଭ କରିଛି । ଭାରତୀୟ ସ୍ଥଳସେନା ଓ ବାୟୁସେନା ମିଳିତ ଭାବେ ଚୀନ୍ ସଂଲଗ୍ନ ସୀମାରେ ଯୁଦ୍ଧାଭ୍ୟାସ କରିଛନ୍ତି । ଏସବୁ ପଦକ୍ଷେପରୁ ଭାରତୀୟ ସେନା ପାକିସ୍ତାନ ବିରୋଧରେ ଯୁଦ୍ଧ ପାଇଁ ପ୍ରସ୍ତୁତି କରୁଥିବାର ମନେ ହେଉଛି ।
ତା’ଛଡା ପିଓକେକୁ ନେଇ ଭାରତୀୟ ନେତା ଓ ସେନା ଅଧିକାରୀ ଦେଉଥିବା ବୟାନରୁ ବି ଭାରତ ଏହାକୁ ନେଇ କିଛି ବଡ ପଦକ୍ଷେପ ନେଇପାରେ ବୋଲି ସମ୍ଭାବନା ସୃଷ୍ଟି ହୋଇଛି । ଭାରତ ତରଫରୁ ବାରମ୍ବାର କୁହାଯାଉଛି କି ପିଓକେକୁ ପାକିସ୍ତାନ ବେଆଇନ ଭାବେ ନିଜ କବ୍ଜାରେ ରଖାଯାଇଛି ଏବଂ ଏହାକୁ ପାକ୍ ସରକାର ନୁହନ୍ତି, ବରଂ ଆତଙ୍କବାଦୀମାନେ ନିୟନ୍ତ୍ରଣ କରୁଛନ୍ତି । ପିଓକେକୁ ମୁକ୍ତ କରିବା ପାଇଁ ସେନା ପ୍ରସ୍ତୁତ ଅଛି ବୋଲି ମଧ୍ୟ ଅନେକ ଥର କୁହାଯାଇସାରିଲାଣି । ଖୋଦ୍ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ବି କିଛି ସପ୍ତାହ ତଳେ କହିଥିଲେ ଯେ ଭାରତ ପିଓକେରେ ବଡ଼ଧରଣର କାର୍ଯ୍ୟାନୁÂାନ ପାଇଁ ପ୍ରସ୍ତୁତି କରୁଛି । ଏସବୁ କାରଣରୁ ଆଗାମୀ କିଛି ଦିନ ଭିତରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଆହୁରି ତିକ୍ତ ହୋଇଯିବ ବୋଲି କୁହାଯାଉଛି ।
ଆମେ ୬୦ ଭାରତୀୟ ଯବାନଙ୍କୁ ମାରିଛୁ: ପାକ୍ ସେନା
ପାକିସ୍ତାନୀ ସେନା ବାହାସ୍ଫୋଟ ମାରି କହିଛି ଯେ ସିଏ ଗତ ଫେବ୍ରୁଆରୀ ମାସରୁ ଏଯାଏଁ ୬୦ ଜଣ ଭାରତୀୟ ସେନା ଯବାନଙ୍କୁ ହତ୍ୟା କରିଛି । ପାକ୍ ସେନାର ଜନସମ୍ପର୍କ ବିଭାଗ ଦ୍ୱାରା ଦାବି କରାଯାଇଛି ଯେ ଗତ ଫେବୁ୍ରଆରୀ ମାସରେ ଭାରତର ବିମାନ ଆକ୍ରମଣର ଜବାବରେ ପାକ୍ ସେନା କରିଥିବା ବିମାନ ଆକ୍ରମଣରେ ଭାରତର ଅନେକ ବଙ୍କର ଧ୍ୱଂସ ହୋଇଥିଲା ଏବଂ କିଛି ଯବାନ ମୃତାହତ ହୋଇଥିଲେ । ତା’ ପର ଠାରୁ ବି ପାକ୍ ସେନା ଭାରତକୁ ମୁହଁତୋଡ ଜବାବ ଦେଉଛି । ଏହାଯୋଗୁ ଭାରତର ବହୁ କ୍ଷୟକ୍ଷତି ଘଟିଛି । କିନ୍ତୁ ଭାରତ ଏସବୁ ତଥ୍ୟକୁ ସାର୍ବଜନୀନ କରୁନାହିଁ । କିନ୍ତୁ ପ୍ରତିରକ୍ଷା ବିଶେଷଜ୍ଞଙ୍କ କହିବାନୁଯାୟୀ, ପାକ୍ ସେନାର ହିଁ ସବୁଠାରୁ ଅଧିକ କ୍ଷୟକ୍ଷତି ହେଉଛି । ମାତ୍ର ସିଏ ଏହି ତଥ୍ୟ ଲୁଚାଇବା ସାଙ୍ଗେ ସାଙ୍ଗେ ଭାରତର ଅଧିକ କ୍ଷତି କରିଛି ବୋଲି ସବୁବେଳେ ମିଥ୍ୟା ପ୍ରଚାର କରିଆସୁଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons