ନବରଙ୍ଗପୁର,(ବି.ବି.ନୁ୍ୟଜ୍): ମାତ୍ର ୭ ଦିନ ଭିତରେ ଆରପାରିକୁ ଚାଲିଗଲେ ମାଆ ଓ ଭିନ୍ନକ୍ଷମ ଭାଇ । ଅନ୍ୟପକ୍ଷରେ ଧାରକରଜ କରି ଚାଷ କରିଥିବା ମକା, ଧାନ ଓ ପନିପରିବା ଫସଲକୁ ଉଜାଡିଦେଲା ବର୍ଷା । ବ୍ୟାଙ୍କ ଓ ସାହୁକାରଙ୍କ ଋଣ ସୁଝିବାକୁ ହାତରେ ଫସଲ ନଥିଲା କି ମାଆ ଓ ଭାଇର କ୍ରିୟାକର୍ମ କରିବାକୁ ନଥିଲା ଟଙ୍କା । ଶେଷରେ ମାନସିକ ଭାରସାମ୍ୟ ହରାଇ କୀଟନାଶକ ପିଇ ଆତ୍ମହତ୍ୟା କରିଦେଲେ ଜଣେ ଚାଷୀ । ଏଭଳି ଅଭାବନୀୟ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା ଖୁଟୁଗୁଡା ଗାଁରେ । ପରିବାର ଲୋକଙ୍କ ଏଭଳି ଅଭିଯୋଗ ଜିଲ୍ଲାରେ ଅଲୋଡନ ସୃଷ୍ଟି କରିଛି ।
ଆତ୍ମହତ୍ୟା କରିଥିବା ଚାଷୀଙ୍କ ନାଁ ବୁଦୁରୁ ଗୌଡ(୫୦) । ଶୁକ୍ରବାର ସନ୍ଧ୍ୟାରେ ସେ ବାହାରକୁ ଯାଇ ଆଉ ଘରକୁ ଫେରିନଥିଲେ । ଆଜି ସକାଳେ ନିଜ ଚାଷ ଜମିରେ ଥିବା କୁଡିଆରେ କୀଟନାଶକ ପିଇ ପ୍ରାଣ ହରାଇଥିବା ଦେଖିବାକୁ ମିଳିଥିଲା । ଉମରକୋଟ ପୁଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଶବ ବ୍ୟବଚ୍ଛେଦ କରାଇ ପରିବାରକୁ ହସ୍ତାନ୍ତର କରିଛି । ଘଟଣାସ୍ଥଳରୁ ଏକ କୀଟନାଶକ ବୋତଲ ଜବତ କରିଛି ।
ବୁଦୁରୁଙ୍କ ସ୍ତ୍ରୀ ହାରାବତୀ ଗୌଡ ଓ ଭାଇ ନିଲାମ ଗୌଡ ଅଭିଯୋଗ କରିଛନ୍ତି ଯେ, ଫସଲ ନଷ୍ଟ ହୋଇଯିବା ବୁଦୁରୁଙ୍କ ଆତ୍ମହତ୍ୟାର ପ୍ରକୃତ କାରଣ । ସେ ୮ ଏକର ଜମିରେ ମକା ଓ ୩ ଏକରରେ ଧାନ ଫସଲ ସହ କିଛି ପନିପରିବା ଚାଷ କରିଥିଲେ । ବ୍ୟାଙ୍କ ଓ ସାହୁକାରଠାରୁ ଟଙ୍କା ଋଣ କରିଥିଲେ । କିଛିଦିନ ତଳେ ହୋଇଥିବା ପ୍ରବଳ ବର୍ଷାରେ ନଷ୍ଟ ହୋଇଯାଇଥିଲା ମକା ଫସଲ । ଗଛସବୁ ମାଟିରେ ମିଶିଯାଇଥିଲା । ଧାନ ବଦଳରେ କେବଳ ଅଗାଡି ଫଳିଲା । ଭେଣ୍ଡି ଫସଲ ଅତ୍ୟଧିକ ବର୍ଷା ଯୋଗୁ ପଚିସଢି ନଷ୍ଟ ହୋଇଯାଇଥିଲା । ଗୋଟିଏ ପଟେ ବ୍ୟାପକ ଫସଲ ନଷ୍ଟ, ଅନ୍ୟପକ୍ଷେ ସପ୍ତାହକ ଭିତରେ ମାଆ ଓ ଭିନ୍ନକ୍ଷମ ଭାଇର ମୃତୁ୍ୟ । ଋଣ କେମିତି ସୁଝିବେ ଏବଂ ଭାଇ ଓ ମାଆର କ୍ରିୟାକର୍ମ କେମିତି କରିବେ- ତାକୁ ନେଇ ଚିନ୍ତାରେ ପଡ଼ି ଯାଇଥିଲେ । ଶେଷରେ କୀଟନାଶକ ପିଇ ଆତ୍ମହତ୍ୟା କରିଦେଲେ ।
ବୁଦୁରୁ ଚାଷ ପାଇଁ କେତେ ଟଙ୍କା ଋଣ କରିଥିଲେ, ସେକଥା ସ୍ପଷ୍ଟ ଭାବେ କିଛି ଜାଣିନଥିବା କହିଛନ୍ତି ପରିବାର ଲୋକେ । ଏ ସଂପର୍କରେ ଉମରକୋଟ ଥାନା ଅଧିକାରୀ ନରେଶ ପ୍ରଧାନଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତିି, ଫସଲ ନଷ୍ଟ ଯୋଗୁ ବୁଦୁରୁ ଆତ୍ମହତ୍ୟା କରିଥିବା ଥାନାରେ ଏତଲା ଦିଆଯାଇଛି । ପୂରା ଘଟଣାର ତଦନ୍ତ ପରେ କାରଣ ସ୍ପଷ୍ଟ ହେବ । ଥାନାରେ ଏକ ଅପମୃତୁ୍ୟ ମାମଲା ରୁଜୁ କରାଯାଇ ତଦନ୍ତ ଚାଳୁ ରହିଛି । ଏହାପରେ ଆମେ ଉମରକୋଟ ତହସିଲଦାର ହିମାଞ୍ଚଳ ମାଝୀଙ୍କୁ ଯୋଗାଯୋଗ କରିବାକୁ ଉଦ୍ୟମ କରିଥିଲୁ । ସେ ଫୋନ୍ ନ ଉଠାଇବାରୁ ପ୍ରତିକ୍ରିୟା ମିଳିପାରିନାହିଁ ।
Comments are closed, but trackbacks and pingbacks are open.