କୁଏତ୍ରୁ ଫେରିଲା ଓଡ଼ିଆ ଶ୍ରମିକଙ୍କ ମୃତଦେହ : ହତ୍ୟା ସନେ୍ଦହ

Get real time updates directly on you device, subscribe now.

ପାତ୍ରପୁର,(ବି.ବି.ନୁ୍ୟଜ୍): ଦୀର୍ଘ ୧୦ ଦିନ ପରେ କୁଏତ୍ରୁ ଫେରିଛି ପାତ୍ରପୁର ବ୍ଲକ ଟି.ବରହମ୍ପୁର ଗ୍ରାମର ଡି.ମନ୍ମଥ ରାଓ (୪୮)ଙ୍କ ମୃତଦେହ । ଗତ ୧୯ ତାରିଖରେ ତାଙ୍କର ମୃତୁ୍ୟ ହୋଇଥଲା । କୁଏତର ଅଏଲ ଷ୍ଟୋନ ନାମକ ଏକ କମ୍ପାନୀରେ କାମ କରୁଥିବା ଜଣେ ଓଡ଼ିଆ ଶ୍ରମିକକୁ ଏ ନେଇ ସୂଚନା ଦେଇଥିଲେ କୁଏତ୍ର ମାର୍କ କମ୍ପାନି । ପରେ ଏମ.ରାମା ରାଓ ନାମକ ସେହି ଶ୍ରମିକ ଜଣକ ଟି.ବରହମପୁର ଗ୍ରାମର ଭଦ୍ରଲୋକଙ୍କ ଜରିଆରେ ମନ୍ମଥଙ୍କ ମୃତୁ୍ୟ ଖବର ତାଙ୍କ ପରିବାରକୁ ଦେଇଥିଲେ । ଦଶଦିନ ପରେ ଶନିବାର ସକାଳୁ ମନ୍ମଥଙ୍କ ଶବ ଗାଁରେ ପହଞ୍ଚିବା ପରେ ଅଞ୍ଚଳର ପ୍ରାୟ ହଜାରରୁ ଉଦ୍ଧ୍ୱର୍ ମହିଳା ଓ ପୁରୁଷଙ୍କ ସହିତ ମୃତକଙ୍କ ବନ୍ଧୁବାନ୍ଧବ ଉପସ୍ଥିତ ଥିଲେ । ଟି.ବରହମପୁର ଗାଁରେ ଶୋକର ଛାୟା ଖେଳିଯାଇଥିଲା । ସ୍ୱାମୀଙ୍କ କଫିନ ଆଗରେ ବୁକୁଫୁଟା ଚିକ୍ରାର କରି କାନ୍ଦି କାନ୍ଦି ବାରମ୍ବାର ମୂର୍ଚ୍ଛା ହେଉଥାନ୍ତି ମୃତ ମନ୍ମଥଙ୍କ ସ୍ତ୍ରୀ ଭାନୁ ଏବଂ ଦୁଇଝିଅ ଖୁସ୍ବୁ ଓ ସମୀରା । ଘରର ଏକମାତ୍ର ରୋଜଗାର ବ୍ୟକ୍ତି ଥିବା ମନ୍ମଥ ପ୍ରାୟ ଦେଢ଼ ବର୍ଷ ପୂର୍ବେ କୁଏତ ଯାଇ ସେଠାରେ ୱେଲ୍ଡର ଭାବେ କାର୍ଯ୍ୟ କରୁଥିଲେ । ବଡ଼ଝିଅ ଖୁସବୁର ବାହାଘର ଋଣ ସାଙ୍ଗକୁ ଘରଖର୍ଚ୍ଚ ଏବଂ କଲେଜ ପଢ଼ୁଥିବା ସାନଝିଅ ସମୀରାର ପାଠପଢ଼ା ପାଇଁ ଅଧିକ ଉପାର୍ଜନ ଆଶାରେ କୁଏତ ଯାଇଥିଲେ ।

ଘରକୁ ଶୀଘ୍ର ଫେରିବି ବୋଲି ମୃତୁ୍ୟର ଦୁଇ ଦିନ ପୂର୍ବରୁ ଘରଲୋକଙ୍କୁ ଫୋନ କରି କହିଥିଲେ । ହେଲେ ବିଧିର ବିଧାନ ଥିଲା ଓଲଟା । ମନ୍ମଥ ଆସିନଥିଲେ । ତାଙ୍କର ମୃତଦେହ ଆସିଥିଲା । ଶବ ବ୍ୟବଚ୍ଛେଦ ରିପୋର୍ଟରେ ବେକରେ ଝୁଲିବା ଦ୍ୱାରା ହୃଦଘାତ ହୋଇ ମୃତୁ୍ୟ ହୋଇଥିବା ସୂଚନା ରହିଥିବା ବେଳେ ଏହାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ମୃତକଙ୍କ ପରିବାର ଲୋକେ । ତାଙ୍କ ସହିତ ତାଙ୍କ ରୁମରେ ରହୁଥିବା କିଛି ବାହ୍ୟ ରାଜ୍ୟର ଶ୍ରମିକଙ୍କ ହାତ ତାଙ୍କ ମୃତୁ୍ୟରେ ରହିଥିବା ସନେ୍ଦହ କରିଛନ୍ତି ସେମାନେ । ଏପରିକି ତାଙ୍କୁ ହତ୍ୟା କରି ଫ୍ୟାନ୍ରେ ଝୁଲାଇ ଦେଇଥିବା ଅଭିଯୋଗ କରିଛନ୍ତି ଶବ ଧରି ଆସିଥିବା ଏମ.ରାମା ରାଓ । ସବୁଠାରୁ ଦୁଃଖର କଥା ସ୍ପାର୍କ କମ୍ପାନୀ ମନ୍ମଥଙ୍କ ଶବକୁ ହାଇଦ୍ରାବାଦ ଯାଏଁ ପଠାଇ ଚୁପ ରହିଥିବା ବେଳେ ପରିବାର ତରଫରୁ ୩୩ ହଜାର ଟଙ୍କା ଦିଆଯାଇ ଏକ ଆମ୍ବୁଲାନ୍ସରେ ଶବ ଅଣାଯାଇଥିଲା । ଶୋକାକୁଳ ପରିବେଶ ମଧ୍ୟରେ ଗାଁ ଶ୍ମଶାନରେ ମନ୍ମଥଙ୍କ ଶବ ସକ୍ରାର ହୋଇଥିଲା ।

ଗତ ୧୨ ଦିନ ମଧ୍ୟରେ ପାତ୍ରପୁର ବ୍ଲକର ୪ ଜଣ ଦାଦନ ଶ୍ରମିକଙ୍କ ମୃତୁ୍ୟ ହୋଇଯାଇଥିଲେ ମଧ୍ୟ ଶ୍ରମ ବିଭାଗ ତରଫରୁ କୌଣସି ତଦନ୍ତ ନହେବା ଉଦ୍ବେଗର ବିଷୟ । ଓଡ଼ିଆ ଶ୍ରମିକଙ୍କ ମୃତୁ୍ୟ ଖବର ବାରମ୍ବାର ଗଣମାଧ୍ୟମରେ ପ୍ରକାଶନ ପରେ ବି ଶ୍ରମ ବିଭାଗ ଶୋଇ ରହିଥିବା ଅଭିଯୋଗ ହୋଇଛି । ଗତ ୧୭ ତାରିଖରେ ପାତ୍ରପୁର ବ୍ଲକ ବୁରାତାଳ ପଞ୍ଚାୟତର ଗୁଡ଼ିପଦର ଗ୍ରାମର ଆପନା ଶବରଙ୍କ ମୃତୁ୍ୟ ତିରୁପତି ଠାରେ ହୋଇଥିଲା । ଅର୍ଥାଭାବରୁ ପରିବାର ଲୋକେ ଗାଁକୁ ଶବ ନ ଆଣିପାରି ସେଠାରେ ଦାହ କରିଥିଲେ । ଚେନ୍ନାଇରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ଆପନା ଅସୁସ୍ଥ ହୋଇ ଘରକୁ ଫେରୁଥିବା ବେଳେ ଆନ୍ଧ୍ରର କବାଲି ଷ୍ଟେସନରେ ଟ୍ରେନରୁ ଖସି ତିନିଦିନ କୋମାରେ ରହି ପରେ ମୃତୁ୍ୟବରଣ କରିଥିଲେ । ସେହିପରି ୧୭ ତାରିଖ ଦିନ ଖମ୍ବାରି ଗାଁ ପଞ୍ଚାୟତ ଖଣ୍ଡଦେଉଳି ଗ୍ରାମର କେ.ଚିରଞ୍ଜିବୀ ଆନ୍ଧ୍ରର ଶ୍ରୀଶୈଳମଠାରେ ଏକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇବା ପରେ ତାଙ୍କ ଶବ ଗାଁରେ ପହଞ୍ଚିଥିଲା । ସେହିପରି ସାମନ୍ତରାପୁର ପଞ୍ଚାୟତର ନାରାୟଣପୁର ଗ୍ରାମର ପୂର୍ଣ୍ଣଚନ୍ଦ୍ର ପ୍ରଧାନ କେରଳର ଏକ କମ୍ପାନୀରେ କାର୍ଯ୍ୟ କରୁଥିବା ବେଳେ ସିଡ଼ିରୁ ଖସିପଡ଼ି ତାଙ୍କର ମୃତୁ୍ୟ ହୋଇଥିଲା । ୩ ଦିନ ଧରି ଡାକ୍ତରଖାନାରେ ଆଇସିୟୁରେ ରହିବା ପରେ ତାଙ୍କର ମରଶରୀର ଗାଁକୁ ଫେରିଥିଲା । ପାତ୍ରପୁର ବ୍ଲକର କିଛି ଦଲାଲ ଅଞ୍ଚଳର ଲୋକଙ୍କୁ ଅଧିକ ଅର୍ଥ ଉପାର୍ଜନର ଆଶା ଦେଖାଇ ବାହାର ରାଜ୍ୟ ଏବଂ ଦେଶକୁ ଦାଦନ ଶ୍ରମିକ ଭାବେ ପଠାଉଥିଲେ ମଧ୍ୟ ସ୍ଥାନୀୟ ପୁଲିସ, ପ୍ରଶାସନ ଓ ଶ୍ରମ ବିଭାଗ ତରଫରୁ ଏ ନେଇ କାର୍ଯ୍ୟାନୁÂାନ ହେଉନଥିବାରୁ ବହୁ ଓଡ଼ିଆ ଦାଦନ ଶ୍ରମିକଙ୍କ ଅକାଳରେ ମୃତୁ୍ୟ ହେବା ସହ ସେମାନଙ୍କ ପରିବାର ଦୁଃଖକଷ୍ଟରେ ଚଳୁଛନ୍ତି । ଗଞ୍ଜାମ ଜିଲ୍ଲାପାଳ ଏ ନେଇ ପଦକ୍ଷେପ ନେବା ପାଇଁ ଦାବି ହୋଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons