ରାଉରକେଲା,(ବି.ବି.ନୁ୍ୟଜ୍): ରାଉରକେଲାର ଛେଣ୍ଡ କଲୋନୀ ସ୍ଥିତ ହଠାତ୍ ବସ୍ତିରେ ଗତ ୨୦୧୬ ମସିହା ଅକ୍ଟୋବର ମାସରେ କୁକୁଡ଼ା ପାଇଁ ଘଟିଥିବା ଏକ ହତ୍ୟାକାଣ୍ଡ ମାମଲାର ବିଚାର କରି ପ୍ରଥମ ଅତିରିକ୍ତ ଜିଲ୍ଲା ଦୌରାଜଜ ଦୀପକ କୁମାର ଆଜି ଅଭିଯୁକ୍ତ ଏତୁଆ ମୁଣ୍ଡାରୀ ଓରଫ ବଡକାକୁ ଆଜୀବନ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହ ୧୦ ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି । ଜରିମାନା ଟଙ୍କା ଅନାଦାୟ ହେଲେ ଆସାମୀକୁ ଅଧିକ ଦୁଇ ବର୍ଷ ଜେଲଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ବିଚାରପତି ତାଙ୍କ ରାୟରେ ଦର୍ଶାଇଛନ୍ତି ।
ଘଟଣାରୁ ପ୍ରକାଶ, ଛେଣ୍ଡ କଲୋନୀ ହଠାତ୍ ବସ୍ତିରେ ରହୁଥିବା ସୁଶୀଲା କୁଜୁରଙ୍କ ଘରେ ତାଙ୍କ ସମ୍ପର୍କୀୟ ଭାଇ ରାଏବଗା ଝୁନୁମୁର ନିବାସୀ ପ୍ରଦୀପ କୁଲୁ ଓରଫ ଦୀପୁ (୪୦) ରହୁଥିଲେ । ସେହି ବସ୍ତିରେ ବସବାସ କରୁଥିବା ଅନିତା ବୁଡଙ୍କ ଏକ କୁକୁଡ଼ା ଚୋରି ହୋଇ ଯାଇଥିଲା । ଏହି କୁକୁଡ଼ା ଉକ୍ତ ବସ୍ତିର ବାସିନ୍ଦା ଏତୁଆ ମୁଣ୍ଡାରୀ (୨୦) ଚୋରି କରି ଖାଇ ଦେଇଛନ୍ତି ବୋଲି ପ୍ରଦୀପ କିଛି ଲୋକଙ୍କୁ କହିଥିଲେ । ଏହି କଥା ଏତୁଆ ଶୁଣିବାକୁ ପାଇଥିଲେ । ୨୦୧୬ ଅକ୍ଟୋବର ମାସ ୩ ତାରିଖ ରାତି ପ୍ରାୟ ସାଢେ଼ ୯ଟା ସମୟରେ ସୁଶୀଲାଙ୍କ ଘରେ ପ୍ରଦୀପ ଖାଇ ବସିଥିଲେ । ସେଠାରେ ଏତୁଆ ପହଞ୍ଚି କାହିଁକି ମୋତେ କୁକୁଡ଼ା ଚୋର କହିଲ ବୋଲି ପ୍ରଦୀପଙ୍କୁ ପଚାରିଥିଲେ । ଏହି କଥାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏଥିରେ ରାଗି ଯାଇ ସାର୍ଟ ପଛପଟେ ଏତୁଆ ଲୁଚାଇ ରଖିଥିବା ଏକ ବାଉଁଶ ବାଡ଼ିରେ ପ୍ରଦୀପଙ୍କ ମୁଣ୍ଡକୁ ବାରମ୍ବାର ପ୍ରହାର କରିଥିଲେ । ଏହି ଆକ୍ରମଣରେ ଘଟଣା ସ୍ଥଳରେ ହିଁ ପ୍ରଦୀପଙ୍କ ମୃତୁ୍ୟ ଘଟିଥିଲା । ଘଟଣା ଘଟିବାର ତହିଁ ଆର ଦିନ ଅର୍ଥାତ୍ ୪ ତାରିଖରେ ଛେଣ୍ଡ ଥାନାରେ ଏ ନେଇ ଅଭିଯୋଗ ହେବା ପରେ ପୁଲିସ୍ ହତ୍ୟା ମାମଲା ରୁଜୁ କରିବା ସହ ଏତୁଆଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏହି ମାମଲାର ବିଚାର ପ୍ରଥମ ଅତିରିକ୍ତ ଜିଲ୍ଲା ଦୌରାଜଜଙ୍କ ଅଦାଲତରେ ଆରମ୍ଭ ହୋଇଥିଲା । ୧୨ ଜଣ ସାକ୍ଷୀଙ୍କ ବୟାନ, ୧୪ଟି ଦସ୍ତାବିଜ, ୬ଟି ବାସ୍ତବ ପଦାର୍ଥ ଏବଂ ସରକାରୀ ଓକିଲଙ୍କ ବଳିÂ ଯୁକ୍ତ ଫଳରେ ବିଚାରପତି ଅଭିଯୁକ୍ତକୁ ଏହି ଦଣ୍ଡାଦେଶ ଶୁଣାଇଛନ୍ତି । ଏହି ମାମଲା ପରିଚାଳନା କରିଥିଲେ ଆଡିସ୍ନାଲ ପବ୍ଲିକ ପ୍ରସିକୁ୍ୟଟର ଅଜୟ କୁମାର ପ୍ରଧାନ ।
Comments are closed, but trackbacks and pingbacks are open.