ଭୁବନେଶ୍ୱର,(ବି.ବି.ବୁ୍ୟରୋ): ପୁଲିସ ଓ ଅବକାରୀ ବିଭାଗ କର୍ମଚାରୀଙ୍କୁ ଚକ୍ମା ଦେଇ ଦୀର୍ଘଦିନ ଧରି ରାଜଧାନୀରେ ଗଞ୍ଜେଇ କାରବାର କରୁଥିବା କୁଖ୍ୟାତ ବେପାରୀ ପ୍ରଫୁଲ୍ଲ ଜେନା(୪୭)କୁ ଖଣ୍ଡଗିରି ଥାନା ପୁଲିସ ଗିରଫ କରିଛି । ପୁଲିସ ଗତକାଲି ରାତିରେ ପ୍ରଫୁଲ୍ଲର ଖଣ୍ଡଗିରି ବରବାରୀ ବସ୍ତି ଘରେ ଚଢ଼ଉ କରି ତାକୁ ଗିରଫ କରିବା ସହ ୩୮ କେଜି ଗଞ୍ଜେଇ, ୯୧ ହଜାର ଟଙ୍କା, ମୋବାଇଲ ଫୋନ୍ ଓ ଏକ ବାଇକ୍ ଜବତ କରିଛି । ପ୍ରଫୁଲ୍ଲ କନ୍ଧମାଳରୁ ଗଞ୍ଜେଇ ଆଣି ରାଜଧାନୀରେ କାରବାର କରୁଥିବା ପୁଲିସ ତଦନ୍ତରୁ ଜାଣିବାକୁ ପାଇଛି ।
ସୂଚନା ଅନୁଯାୟୀ, ପ୍ରଫୁଲ୍ଲର ଘର ନୟାଗଡ଼ ଇଟାମାଟି । ସେ ରମାମଣି ପେଟ୍ରୋଲ ପମ୍ପ ପଛ ବରବାରୀ ବସ୍ତିରେ ରହୁଥିଲା । ପ୍ରଫୁଲ୍ଲ କନ୍ଧମାଳରୁ ଗଞ୍ଜେଇ ଆଣି ଦୀର୍ଘଦିନ ଧରି ବରବାରୀ ବସ୍ତି ସମେତ ରାଜଧାନୀର ବିଭିନ୍ନ ବସ୍ତି ଅଞ୍ଚଳର ଖୁଚୁରା ବେପାରୀଙ୍କୁ ଗଞ୍ଜେଇ ଯୋଗାଇ ଆସୁଥିଲା । କେବେ ପୁଲିସ କିମ୍ବା ଅବକାରୀ ବିଭାଗ ହାବୁଡ଼ରେ ପଡ଼ି ନଥିଲା । ବସ୍ତିର ଲୋକେ ଗଞ୍ଜେଇ ଖାଇ ବିଭିନ୍ନ ଅପରାଧିକ କାର୍ଯ୍ୟରେ ଲିପ୍ତ ରହୁଥିଲେ । ବସ୍ତିର କିଛି ଲୋକେ ପ୍ରଫୁଲ୍ଲକୁ ବାରଣ କରୁଥିଲେ ମଧ୍ୟ ସେ ଏହି ବେପାର ବନ୍ଦ କରୁ ନଥିଲା । ତେଣୁ ସେମାନେ ଏନେଇ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ । ଗତକାଲି ରାତିରେ ଖଣ୍ଡଗିରି ଥାନାର ଏକ ଟିମ୍ ପ୍ରଫୁଲ୍ଲ ରହୁଥିବା ଘରେ ଚଢ଼ଉ କରିଥିଲା । ଉକ୍ତ ଘରୁ ଦୁଇଟି ମୁଣିରେ ଭର୍ତ୍ତି ହୋଇ ରହିଥିବା ୩୮ କେଜି ଗଞ୍ଜେଇ ସହ ପ୍ରଫୁଲ୍ଲ ନିକଟରୁ ୯୧ ହଜାର ଟଙ୍କା, ମୋବାଇଲ ଫୋନ୍ ଓ ଏକ ବାଇକ୍ ଜବତ କରିଥିଲା । ଜେରା ବେଳେ ପ୍ରଫୁଲ୍ଲ ବସ୍ ଯୋଗେ କନ୍ଧମାଳରୁ ଗଞ୍ଜେଇ ଆଣି ରାଜଧାନୀରେ କାରବାର କରୁଥିବା ମାନିଥିଲା । ଆଜି ପ୍ରଫୁଲ୍ଳକୁ ପୁଲିସ କୋର୍ଟ ଚାଲାଣ କରିଥିଲା । ଜାମିନ ନାମଞ୍ଜୁର ହେବାରୁ ତାକୁ ଜେଲ ହାଜତକୁ ପଠାଇ ଦିଆଯାଇଛି ।
Comments are closed, but trackbacks and pingbacks are open.