କଟକ,(ବି.ବି.ନୁ୍ୟଜ୍): ସୋମବାର ରାତିରେ ଚୌଦ୍ୱାର ପୁଲିସ ହାତରେ ଧରାପଡିଥିବା ଅନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗର ଲିଡର କୁହାଯାଉଥିବା କୁଖ୍ୟାତ ଅପରାଧୀ ମହାରାଷ୍ଟ୍ରର ସଚିନ ପାୱାର ଓରଫ୍ ବବୁଲ୍ ବୁଧବାର ଭୋର୍ରୁ ଏନ୍କାଉଣ୍ଟର କରିଛି କମିସନରେଟ୍ ପୁଲିସ । ପୁଲିସ ଗୁଳିରେ ଜଖମ ବବୁଲ୍କୁ ଏସ୍ସିବି ମେଡିକାଲ୍ କଲେଜରେ ଭର୍ତ୍ତି କରାଯାଇଛି । ତାର ଡାହାଣ ଗୋଡ଼ରେ ଗୁଳି ବାଜିଛି । ଘଟଣା ସ୍ଥଳରୁ ୭.୬୨ ଏମ୍ଏମ୍ ପିସ୍ତଲ ସହ ୨ଟି ଅଫୁଟା ଗୁଳି ଓ ୩ଟି ଖୋକା ପୁଲିସ ଜବତ କରିଛି । ଜଗତପୁର ଅଞ୍ଚଳରେ ରହୁଥିବା ବବୁଲ ନାମରେ କଟକର ମର୍କତନଗର, ଚାଉଳିଆଗଞ୍ଜ, ପୁରୀ ଟାଉନ, କୁମ୍ଭାରପଡ଼ା, ଭୁବନେଶ୍ୱର ଖାରବେଳନଗର, କଟକ ସଦର ଓ ଚୌଦ୍ୱାର ଥାନାରେ ୧୩ ଟି ମାମଲା ରହିଛି । ରାଜ୍ୟ ବାହାରେ ମଧ୍ୟ ବିଭିନ୍ନ ଥାନାରେ ତା ବିରୋଧରେ ମାମଲା ଥିବା କୁହାଯାଉଛି । ତେବେ ପୁଲିସକୁ ଚକମା ଦେଇ ଆଉ ୨ ଜଣ ଡକାୟତ ଘଟଣାସ୍ଥଳରୁ ଫେରାର ହୋଇଯିବାରେ ସକ୍ଷମ ହୋଇଛି । ସେମାନଙ୍କୁ ଧରିବା ପାଇଁ ପୁଲିସର ଚଢଉ ଜାରି ରହିଛି ।
ସୋମବାର ରାତିରେ ଚୌଦ୍ୱାର କଲେଜ ନିକଟସ୍ଥ ଏକ ଅଳଙ୍କାର ଦୋକାନରୁ ଲୁଟ୍ କରିବାକୁ ଯୋଜନା କରୁଥିବା ବେଳେ ଏକ ଡକାୟତି ଗ୍ୟାଙ୍ଗ ଚୌଦ୍ୱାର ପୁଲିସ ହାତରେ ଧରାପଡିଥିଲା । ଏହି ଗ୍ୟାଙ୍ଗରେ ୧୧ଜଣ ଡକାୟତ ଥିବାବେଳେ ଚଢ଼ଉ ସମୟରେ ପୁଲିସକୁ ଗୁଳି ମାରି ତିନି ଡକାୟତ ଫେରାର ହୋଇଯାଇଥିଲେ । ସେମାନଙ୍କ ଭିତରେ ଗ୍ୟାଙ୍ଗ ଲିଡର ବବୁଲ ମଧ୍ୟ ଥିଲା । ଏହି ଘଟଣାରେ ପୁଲିସ ୮ ଡକାୟତ ଓ ସେମାନଙ୍କଠାରୁ ସୁନା କିଣୁଥିବା ତିନିଜଣ ଦୋକାନୀଙ୍କୁ ଗତକାଲି ଗିରଫ କରିବା ସହ ଫେରାର ଡକାୟତଙ୍କୁ ଧରିବା ପାଇଁ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲା । ଫେରାର ୩ ଡକାୟତ ବାରଙ୍ଗ ଥାନା ଅନ୍ତର୍ଗତ ନରାଜ ମାର୍କେଟ ଅଞ୍ଚଳରେ ଲୁଚିଥିବା ପୁଲିସକୁ ଖବର ମିଳିଥିଲା । ସେମାନଙ୍କୁ ଧରିବା ପାଇଁ ଚୌଦ୍ୱାର ଥାନାଧିକାରୀ ପଦ୍ମନାଭ ପ୍ରଧାନଙ୍କ ନେତୃତ୍ୱରେ ଏକ ଟିମ୍ ସହ ସ୍ପେସାଲ୍ ସ୍କ୍ୱାଡ୍ ନରାଜ ଅଞ୍ଚଳରେ ଜାଲ ବିଛାଇଥିଲେ । ତେବେ ପୁଲିସ ଉପସ୍ଥିତି ନେଇ ଆଶଙ୍କା କରି ୩ ଡକାୟତ ନିକଟସ୍ଥ ଏକ ସରକାରୀ ମାର୍କେଟ ଗୋଦାମ ଭିତରେ ଲୁଚିଯାଇଥିଲେ । ଏନେଇ ପୁଲିସ୍କୁ ଠୋସ ସୂଚନା ମିଳିବା ପରେ ପୁଲିସ ଟିମ୍ ପୂରା ବିଲ୍ଡିଂକୁ ଚାରିପଟୁ ଘେରିଯାଇଥିଲେ । ସେମାନଙ୍କୁ ଆତ୍ମସମର୍ପଣ କରିବାକୁ କୁହାଯାଇଥିଲେ ମଧ୍ୟ ତିନି ଅପରାଧୀ ଅଚାନକ ପୁଲିସ ଉପରକୁ ଗୁଳିମାଡ଼ କରିଥିଲେ । ଡକାୟତଙ୍କ ତିନି ରାଉଣ୍ଡ ଗୁଳିରେ ଚୌଦ୍ୱାର ଥାନା ଏଏସଆଇ ଦରବାରୀ ନାୟକ, ସ୍ୱତନ୍ତ୍ର ସ୍କ୍ୱାଡ୍ର ଅନିଲ ଦାସ ଓ ବିଶ୍ୱରଞ୍ଜନ ଦାସ ଆହତ ହୋଇଥିଲେ । ପୁଲିସ ପାଲଟା ଗୁଳି ଚାଳନା କରିବାରୁ ଡକାୟତ ଦଳର ଲିଡର କୁହାଯାଉଥିବା ମହାରାଷ୍ଟ୍ର ଅମରବତି ଜିଲ୍ଲା ନାଗରା ଗ୍ରାମର ସୁରେଶ ପାୱାରଙ୍କ ପୁଅ ବବୁଲ ଓରଫ ସଚିନ ପାୱାର(୨୬) ଡାହାଣ ଗୋଡ଼ରେ ଗୁଲି ବାଜିଥିଲା । ଗୁଳିମାଡ଼ରେ ବବୁଲ ତଳେ ପଡ଼ିଯିବାରୁ ପୁଲିସ ତାକୁ କାବୁ କରିନେଇଥିଲା । ତେବେ ଏହାର ସୁଯୋଗ ନେଇ ଘଟଣାସ୍ଥଳରୁ ଆଉ ୨ ଜଣ ଡକାୟତ ପୁଲିସ ଉପରକୁ ଗୁଳି କରି ଫେରାର ହେବାରେ ସକ୍ଷମ ହୋଇଥିଲେ । ଦୁଇ ଡକାୟତଙ୍କୁ ଧରିବା ପାଇଁ ବାରଙ୍ଗ ଓ ଚୌଦ୍ୱାର ଥାନା ପୁଲିସ ଅଭିଯାନ ଜାରି ରଖିଛି । ପୂର୍ବରୁ ଧରାହୋଇଥିବା ଡକାୟତଙ୍କ ନାମରେ ବିଭିନ୍ନ ପୁରୀ, ରାଉରକେଲା, ଭୁବନେଶ୍ୱର, ତାଳଚେର, ଅନୁଗୁଳ, ବାରିପଦା, ବ୍ରହ୍ମପୁର ଓ କଟକ ଆଦି ଜିଲ୍ଲାରେ ମାମଲା ଥିବା କଟକ ଡିସିପି ଅଖିଳେଶ୍ୱର ସିଂ କହିଛନ୍ତି ।
ସୂଚନା ଥାଉ କି, ସୋମବାର ରାତିରେ ୧୧ ଜଣିଆ ଏକ ଡକାୟତ ଦଳ ଚୌଦ୍ୱାର କଲେଜ ନିକଟସ୍ଥ ସୁନା ଗହଣା ଦୋକାନରୁ ଲୁଟ କରିବା ପାଇଁ ଯୋଜନା କରୁଥିବା ପୁଲିସକୁ ସୂଚନା ମିଳିଥିଲା । ତେବେ ପୁଲିସ ଚଢଉ ବେଳେ ଡକାୟତ ଦଳ ଅଚାନକ ଗୁଳି ଚଳାଇଥିଲେ । ଏଥିରେ ଦୁଇ ଜଣ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି । ତେବେ ଏହି ସମୟ ମଧ୍ୟରେ ତିନି ଜଣ ଡକାୟତ ଖସି ପଳାଇବାରେ ସକ୍ଷମ ହୋଇଥିଲେ । ତେବେ ଅନ୍ୟ ୮ଜଣ ଡକାୟତଙ୍କୁ ପୁଲିସ ଟିମ୍ କାବୁ କରିନେଇଥିଲା । ପୁଲିସର କହିବା କଥା, ଏହି ଅନ୍ତଃରାଜ୍ୟ ଡକାୟତ ଦଳ ଦେଶ ସାରା ବୁଲି ଡକାୟତି କରନ୍ତି । ଏପରିକି ଏମାନେ ଓଡ଼ିଶାର ଏକାଧିକ ଜିଲ୍ଲାରେ ପୂର୍ବରୁ ଲୁଟପାଟ ଓ ଡକାୟତି କରିଛନ୍ତି । ଏହି ଗ୍ୟାଙ୍ଗ ମୁଖ୍ୟତଃ ସୁନା ଦୋକାନ ସହ ଜାତୀୟ ରାଜପଥ ନିକଟରେ ରହିଥିବା ଘରଗୁଡ଼ିକୁ ଟାର୍ଗେଟ୍ କରିଥାନ୍ତି ।
Comments are closed, but trackbacks and pingbacks are open.