କୁନ୍ତଳାଙ୍କ ପାଖକୁ ଫେରିଲା ଢୁଡ୍

Get real time updates directly on you device, subscribe now.

କେନ୍ଦୁଝର ,(ବି.ବି.ନୁ୍ୟଜ): ମା’ର ମମତା ପାଖରେ ହାର୍ ମାନିଛି ସାମାଜିକ ନିୟମ ଓ ସରକାରୀ ଆଇନ୍ କାନୁନ୍ । ପଶୁ ହେଲେବି ବୁଝି ପାରିଛି ସ୍ନେହଭରା ମମତା ଓ ପ୍ରେମର ଅମୂଲ ମୂଲକୁ । ପରିସ୍ଥିତିର ସିନା ପରିବାରଠୁ ଦୂରେଇ ଦେଇଥିଲା । ହେଲେ ଦୀର୍ଘ ୮ଦିନ ପରେ ମମତା ଡୋରିରେ ବାନ୍ଧି ହୋଇଥିବା ପାଳିତ ବାର୍ହା (ଢୁଡ୍) ୩ଟି ସଂରକ୍ଷିତ ଜଙ୍ଗଲକୁ ଅତିକ୍ରମ କରି ପୁଣି ଫେରିଛି ପାଳିତା କୁନ୍ତଳାଙ୍କ କୋଳକୁ । ଢୁଡ୍କୁ ପାଇ ଖୁସିରେ ଝୁମି ଉଠିଛନ୍ତି କୁନ୍ତଳା ଓ ପରିବାର ଲୋକେ । ତେବେ ଢୁଡ୍ର ବାମ ଗୋଡରେ ଆଘାତ ଲାଗିଥିବା ଜଣା ପଡିଛି । ସେ ଛୋଟେଇ ଛୋଟେଇ ଚାଲୁଥିବାରୁ ପରିବାର ଲୋକଙ୍କ ଚିନ୍ତା ବଢିଯାଇଛି ।
କେନ୍ଦୁଝର ବନଖଣ୍ଡ ତେଲକୋଇ ବନାଞ୍ଚଳ ବିମଳା ଫରେଷ୍ଟ ସେrନର ପୁରୁଷୋତ୍ତମପୁର ଗ୍ରାମରେ ରୁହନ୍ତି କୁନ୍ତଳା ପେଣ୍ଠେଇ ଓ ଆର୍ତ ପେଣ୍ଠେଇଙ୍କ ପରିବାର । ୮ମାସ ହେବ ପୂର୍ବରୁ କୁନ୍ତଳା ଜଙ୍ଗଲରେ ବାର୍ହା ଶାବକକୁ ଦେଖିଥିଲେ । ଶାବକଟି ଭୋକରେ ଏଣେତେଣେ ବୁଲୁଥିବା ଦେଖି କୁନ୍ତଳା ଘରକୁ ନେଇ ଆସିଥିଲେ । ନାଁ ଦେଇଥିଲେ ଢ଼ୁଡ୍ । ଧୀରେ ଧୀରେ ଢୁଡ୍ କୁନ୍ତଳା ଓ ତାଙ୍କ ପରିବାର ଲୋକଙ୍କ ମମତାରେ ବାନ୍ଧି ହୋଇଥିଲା । ହେଲେ ବନ ବିଭାଗ ଗତ ୧୦ତାରିଖ ଆଇନ ଅନୁଯାୟୀ ଢୁଡ୍କୁ କୁନ୍ତଳାଙ୍କ ପରିବାର ଠାରୁ ଉଦ୍ଧାର କରି ପାଖାପାଖି ୩୦କିମି ଦୂର ତେଲକୋଇ ସ୍ଥିତ ସମାକୋଇ ସଂରକ୍ଷିତ ଜଙ୍ଗଲରେ ଛାଡି ଦେଇଥିଲା ।
ଢୁଡ୍ ର ବିଚ୍ଛେଦ ପରେ ପରିବାର ଲୋକେ ବିରହ କଷ୍ଟରେ ଦିନ କାଟୁଥିଲେ । ଢୁଡ୍ କ’ଣ ଖାଉଥିବ, କ’ଣ ପିଉଥିବ ସେ ନେଇ ଚିନ୍ତାରେ ରହିଥିଲେ । ପ୍ରତ୍ୟକ ଦିନ କୁନ୍ତଳା ଓ ତାଙ୍କ ପୁଅ, ଝିଅ ଢୁଡ୍ ପାଇଁ ଖାଦ୍ୟ ଧରି ଘଞ୍ଚ ଜଙ୍ଗଲରେ ବୁଲୁଥିଲେ । କୁଆଡେ ଗଲୁରେ ଢୁଡ୍… କଉଠି ଅଛୁ…. ଏମିତି ପାଗଳି ହୋଇ ଢୁଡ୍ କୁ ଖୋଜି ବୁଲୁଥିଲେ । ଶେଷରେ କୁନ୍ତଳାଙ୍କ ଏହି ଡାକ ଶୁଣି ଢୁଢ୍ ଆପଣା ଛାଏଁ ଘଞ୍ଚ ଜଙ୍ଗଲରୁ ବାହାରି କୁନ୍ତଳାଙ୍କ ପାଖକୁ ଫେରିଛି ।
ଆଜି କମଳାଙ୍ଗ ଜଙ୍ଗଲରେ ଏକ ବାର୍ହା ଅସୁସ୍ଥ ଅବସ୍ଥାରେ ବୁଲୁଥିବା କୁନ୍ତଳାଙ୍କ ପରିବାର ଲୋକ ଖବର ପାଇଥିଲେ । କୁନ୍ତଳା ପୁଅ, ଝିଅଙ୍କୁ ସାଙ୍ଗରେ ଧରି ଜଙ୍ଗଲ ଆଡକୁ ଦୌଡିଥିଲେ । ହାତରେ ଭାତ, ପାଣି ଓ ବିସ୍କୁଟ୍ ଧରି ଢୁଡ୍କୁ ଆକୁଳ ଡାକ ପକାଇଥିଲେ । ମା’ର ଡାକ ଶୁଣି ଘଞ୍ଚ ଜଙ୍ଗଲ ଭିତରୁ ଢୁଡ୍ ବାହାରି ଆସିଲା । ମା’ ପାଖରେ ଲଦି ହୋଇ ଗେଲ ହୋଇଥିଲା । ଢୁଡ୍କୁ ଦେଖି କୁନ୍ତଳାଙ୍କ ଆଖିରୁ ଧାର ଧାର ଲୁହ ଖସି ପଡିଥିଲା । ଶେଷରେ ଢୁଡ୍ କୁନ୍ତଳା ଆଣିଥିବା ଖାଦ୍ୟକୁ ଅତି ସ୍ନେହର ସହ ଖାଇ ତାଙ୍କ ସହ ଘରକୁ ଫେରିଛି । ତେବେ ଢୁଡ୍ ର ବାମ ଗୋଡ ଆଘାତ ଲାଗିଥିବାରୁ ଛୋଟେଇ ଛୋଟେଇ ଚାଲୁଥିବା ଦେଖିବାକୁ ମିଳିଛି । ଏ ସମ୍ବନ୍ଧରେ ବନାଞ୍ଚଳ ଅଧିକାରୀ ପ୍ରମୋଦ କୁମାର ସେଠୀଙ୍କୁ ପଚାରିବାରୁ ଏହା ବନ୍ୟଜନ୍ତୁ ଜନିତ କେସ୍ । ବନଖଣ୍ଡ ଅଧିକାରୀଙ୍କ ନିଦେ୍ର୍ଧଶ କ୍ରମେ ଯାହା ପଦକ୍ଷେପ ନିଆଯିବ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons