କୁବେର ଅଭୟକାନ୍ତଙ୍କୁ ଧରିଲା ଭିଜିଲାନ୍ସ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଓଡ଼ିଶା ରାଜ୍ୟ ଅତିରିକ୍ତ ପ୍ରଧାନ ମୁଖ୍ୟ ବନ୍ୟ ସଂରକ୍ଷକ ତଥା ଆଇଏଫ୍ଏସ୍ ଅଭୟକାନ୍ତ ପାଠକ ଘରେ ଚଢ଼ଉ କରିଛି ଭିଜିଲାନ୍ସ । ରାଜମହଲ ଭଳି ଅନେକ ପ୍ରାସାଦର ଅଧିକାରୀ ଏହି ଜଙ୍ଗଲ ବାବୁଙ୍କ ଅମାପ ସମ୍ପତ୍ତି ଦେଖି ଭିଜିଲାନ୍ସ ଅଧିକାରୀଙ୍କ ଆଖି ଖୋସି ହୋଇଯାଇଛି । ଭୁବନେଶ୍ୱରଠାରୁ ଆରମ୍ଭ କରି ମୁମ୍ବାଇ, ବିହାର, ପାଟଣାରୁ ପୁନେ ପର୍ଯ୍ୟନ୍ତ ସୁଇମିଂ ପୁଲ୍ ଥିବା ବିଶାଳ ମହଲ ସାଙ୍ଗକୁ ଦାମୀ କାର୍ । ସବୁଠାରୁ ବଡ଼ କଥା ହେଲା ଲକ୍ଡାଉନ୍ ସମୟରେ ବାବୁ ସପରିବାର ଭ୍ରମଣ ପାଇଁ ଚାର୍ଟର୍ ବିମାନ ଭଡ଼ାରେ ପ୍ରାୟ ୩ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ତାଙ୍କ ଅମାପ ସମ୍ପତ୍ତିର ହିସାବ ଚାଲିଛି । ହିସାବ ଆଉ ୨ ଦିନ ଲାଗିବ ବୋଲି ଜଣାପଡିଛି ।
ଭିଜିଲାନ୍ସ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ମୁତାବକ, ଅଭୟକାନ୍ତ ହେଉଛନ୍ତି ୧୯୮୭ ବ୍ୟାଚ୍ ଆଇଏଫ୍ଏସ୍ ଅଫିସ୍ର । ବୁଧବାର ଏକକାଳୀନ ଓଡିଶା, ମହାରାଷ୍ଟ୍ର ଓ ବିହାରର ୧୨ଟି ସ୍ଥାନରେ ଚଢଉ କରିଥଲା ଭିଜିଲାନ୍ସ ଟିମ୍ । ମହାରାଷ୍ଟ୍ର, ପୁନେ ଓ ମୁମ୍ବାଇରେ ୬ ଟିମ୍, ଓଡ଼ିଶାରେ ୫ ଟିମ୍, ବିହାରକୁ ଗୋଟିଏ ଟିମ୍ ଯାଇଛି । ଭୁବନେଶ୍ୱର ଘର ଓ ସରକାରୀ ବାସଭବନ ସମେତ ପୁନେରେ ଘର ଓ ଫାର୍ମହାଉସ୍ ଓ ବିହାର ପାଟନାରେ ଥିବା ପୈତୃକ ଘରେ ଚଢଉ କରାଯାଇଛି । ଯାଞ୍ଚ ବେଳେ ବିପୁଳ ପରିମାଣର ସମ୍ପତ୍ତି ଠାବ କରାଯାଇଛି । ସମ୍ପୂର୍ଣ୍ଣ ସମ୍ପତ୍ତି ଆକଳନ ପାଇଁ ଆହୁରି ୪୮ ଘଣ୍ଟାରୁ ଅଧିକ ସମୟ ଲାଗିବ । ଲକ୍ଡାଉନ୍ ସମୟରେ ଅଭୟକାନ୍ତ ଚାର୍ଟର ପ୍ଲେନ ବାରମ୍ବାର ବ୍ୟବହାର କରିଥିବା ଜାଣିବାକୁ ପାଇଥିଲେ କେନ୍ଦ୍ର ସରକାର । ତା’ପରେ ତାଙ୍କ ଉପରେ ନଜର ରଖିଥିଲା ରାଜ୍ୟ ସରକାର । ଅତିରିକ୍ତ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଭାବେ ଅଭୟକାନ୍ତ ରାଜ୍ୟରେ ବନୀକରଣ ଯୋଜନାରେ ବୃକ୍ଷରୋପଣ ଦାୟିତ୍ୱରେ ରହିଛନ୍ତି । ତାଙ୍କ ନାଁରେ ଚାରା ରୋପଣରେ ବ୍ୟାପକ ଦୁର୍ନୀତି ଅଭିଯୋଗ ହୋଇଥିଲା ।
ଆଜି ସକାଳେ ବିଭିନ୍ନ ସ୍ଥାନରେ ଚଢ଼ଉ ସମୟରେ ତାଙ୍କ ଘରୁ ବିପୁଳ ପରିମାଣର ନଗଦ ଅର୍ଥ ସହିତ କୋଟି କୋଟି ଟଙ୍କା ମୂଲ୍ୟର ୫ଦାମୀ କାର୍ ଓ ମୂଲ୍ୟବାନ ସାମଗ୍ରୀ ଜବତ ହେବାରେ ଲାଗିଛି । ତାଙ୍କ ଆକାଉଣ୍ଟରେ ମଧ୍ୟ ବିପୁଳ ପରିମାଣର ଅର୍ଥ କାରବାର ହୋଇଛି । ଏବେ ବି ଯାଞ୍ଚ ଚାଲିଛି । ଅଭୟକାନ୍ତ ଉଚ୍ଚପଦସ୍ଥ ସରକାରୀ ଅଧିକାରୀ ହୋଇ ମଧ୍ୟ ନିଜ ପାଇଁ ଜଣେ ଓ ପୁଅ ପାଇଁ ୨ ଜଣ ଘରୋଇ ସୁରକ୍ଷାକର୍ମୀ ନିୟୋଜିତ କରିଥିଲେ । ୩ ଜଣ ସୁରକ୍ଷାକର୍ମୀଙ୍କ ଦରମା ମାସକୁ ୨ ଲକ୍ଷ ଟଙ୍କା । ଏହି ସୁରକ୍ଷାକର୍ମୀ ମୁମ୍ବାଇରୁ ଆସିଛନ୍ତି । ତା’ଛଡା ତାଙ୍କ ପୁଅ ଆକାଶ ଓଡ଼ିଶାର ଜଣେ ପୂର୍ବତନ ମନ୍ତ୍ରୀଙ୍କ ଝିଅ ସହ ଏକାଠି ରହୁଛନ୍ତି । ସେହିଭଳି ମହାରାଷ୍ଟ୍ରର ପୁନେସ୍ଥିତ ଗଡ୍ ବ୍ଲେସିଙ୍ଗ ଆପାର୍ଟମେଣ୍ଟରେ ପୁଅ ନାଁରେ ଘରଭଡ଼ା ଦିଆ ଯାଇଥିବା ବେଳେ ପୁନେ ମୁଲ୍ସିସ୍ଥିତ ହିଲ୍ ଟାଉନ୍ ଏରିଆରେ ଫାର୍ମ ହାଉସ୍ ରହିଛି । ଉଭୟ ଘର ଓ ଫାର୍ମ ହାଉସ୍ର ମାସିକ ଭଡା ୧୦ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଆକଳନ କରାଯାଇଛି । ଏଥି ସହିତ ରାଜଧାନୀର ଘାଟିକିଆ ଅଞ୍ଚଳରେ ତାଙ୍କ ଜଣେ ପୁତୁରା ଘରେ ଚଢ଼ଉ କରି ଭିଜିଲାନ୍ସ ୫୦ ଲକ୍ଷରୁ ଅଧିକ ଟଙ୍କା ନଗଦ ଜବତ କରିଛି । ପିପିଲି ଅଞ୍ଚଳରେ ରହୁଥିବା ତାଙ୍କ ଡ୍ରାଇଭର ଘରେ ମଧ୍ୟ ଭିଜିଲାନ୍ସ ଖାନତଲାସ ଚଳାଇଛି । ଚଢ଼ଉ ସମାପ୍ତ ପରେ ଆହୁରି ଅଧିକ ସମ୍ପତ୍ତି ମିଳିବ ବୋଲି ଆଶା କରାଯାଉଛି । ଓଡ଼ିଶା ଭିଜିଲାନ୍ସ ଇତିହାସରେ ଏଭଳି ଘଟଣା ପ୍ରଥମ ବୋଲି ଜଣାପଡିଛି ।
ଭୁବନେଶ୍ୱରରେ ୮ ହଜାର ବର୍ଗଫୁଟ ଉପରେ ବିଶାଳ ବିଳାସମୟ ଘର । ଚଟାଣରୁ କାନ୍ଥ ପର୍ଯ୍ୟନ୍ତ ଚାକଚକ୍ୟର ଝଲକ । ଘରେ ଖଞ୍ଜା ହୋଇଛି ନାମୀଦାମୀ କମ୍ପାନୀର ସରଞ୍ଜାମ । ଇଟାଲିଆନ୍ ମାର୍ବଲଠାରୁ ଦାମୀ ସାମଗ୍ରୀ ସବୁ ଲାଗିଛି । ହାତୀ ଦାନ୍ତ, ବାଘ ଛାଲ, ହରିଣ ଶିଙ୍ଘରେ ବିଭିନ୍ନ ଆସବାବପତ୍ର ରହିଛି । ଭୁବନେଶ୍ୱରରେ ଏତେବଡ଼ ଘର କରିଥିଲେ ମଧ୍ୟ ବାବୁ ସମସ୍ତଙ୍କ ନଜରରୁ ବର୍ତ୍ତିବା ଲାଗି ସରକାରୀ କ୍ୱାର୍ଟର୍ସରେ ରହୁଥିଲେ । ଲକଡାଉନ୍ ବେଳେ ପୁଅ ଆକାଶର ବିବାହ କରିବାକୁ ଯୋଜନା କରିଥିଲେ ଓଡ଼ିଶାର ଜଣେ ପୂର୍ବତନ ମନ୍ତ୍ରୀଙ୍କ ଝିଅଙ୍କ ସହ । ସେଥିପାଇଁ କିଛି ଦିନ ତଳେ ୭ ଦିନ ଧରି ସେ ଭୋଜି ଦେଇଥିଲେ ଏକ ତାରକା ହୋଟେଲ୍ରେ । ଚାର୍ଟର ଫ୍ଲାଇଟ, ଏକାଧିକ ବିଳାସପୂର୍ଣ୍ଣ କାର ସହ ବଡି ଗାର୍ଡ ରଖିଥିବା ଆଇଏଫଏସ୍ ଅଧିକାରୀଙ୍କ ସମ୍ପର୍କରେ କେନ୍ଦ୍ରୀୟ ସଂସ୍ଥା ସୂଚନା ଦେବା ପରେ ଭିଜିଲାନ୍ସ ୧୨ଟି ସ୍ଥାନରେ ଚଢ଼ଉ ଜାରି ରଖିଛି । ତାଙ୍କ ଘରୁ ୫୦ ଲକ୍ଷରୁ ଅଧିକ ଟଙ୍କା ମିଳିଥିବା ଜଣାପଡ଼ିଛି ।
ବିଳାସମୟ ଜୀବନ ଯାପନ କରିବାକୁ ଭଲ ପାଉଥିଲେ ଅଭୟକାନ୍ତ । ଲକ୍ଡାଉନ୍ ବେଳେ ଶ୍ରୀ ପାଠକ ଏବଂ ତାଙ୍କ ପୁଅ ଆକାଶ ୨୦ ଥର ଚାର୍ଟର ପ୍ଲେନ୍ ବ୍ୟବହାର କରିଥିଲେ । ଭୁବନେଶ୍ୱରରୁ ପାଟନା, ଦିଲ୍ଲୀ, ପୁନେ ପୁଣି ମୁମ୍ବାଇ ଚାର୍ଟର ପ୍ଲେନ୍ରେ ଯାଇଥିଲେ । ପୁଅ ଆକାଶ ସହ ଗସ୍ତ କରୁଥିଲେ ଅଭୟକାନ୍ତ । ଥରେ ଚାର୍ଟର ପ୍ଲେନ୍ ବ୍ୟବହାର କଲେ ୧୫ରୁ ୧୮ ଲକ୍ଷ ଟଙ୍କା ଖର୍ଚ୍ଚ ହୁଏ । ୨୦ ଥର ବ୍ୟବହାର କରିଛନ୍ତି ତା’ପୁଣି ଲକ୍ଡାଉନ୍ ସମୟରେ । ଅଭୟଙ୍କ ପୁଅ ଆକାଶ କୌଣସି ଚାକିରି କରନ୍ତି ନାହିଁ । ତଥାପି ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଚାର୍ଟର ପ୍ଲେନରେ ଯାଆସ କରିବା ଭଳି ବିଳାସପୂର୍ଣ୍ଣ ରୁଚି ରହିଛି ତାଙ୍କର । ତାଙ୍କ ଫେସବୁକ୍ ଟାଇମ୍ଲାଇନ୍ରେ ଏସବୁ ଫଟୋ ଆକାଶ ପୋଷ୍ଟ କରୁଥିଲେ । କେବଳ ଆକାଶ ନୁହନ୍ତି ନିଜେ ଅଭୟକାନ୍ତ ମଧ୍ୟ ତାଙ୍କ ଫେସବୁକ୍ ପେଜ୍ରେ ବିଭିନ୍ନ ଫଟୋ ପୋଷ୍ଟ କରିଛନ୍ତି । କେତେବେଳେ ପ୍ଲେନ୍ରେ ତ’ ବିଦେଶରେ ବୁଲୁଥିବା ଫଟୋ ଅପ୍ଲୋଡ୍ କରନ୍ତି । ତାଙ୍କୁ ଏମ୍ଏସ୍ କଳିଙ୍ଗ ଆରା ଆଣ୍ଡ ଆଲାଏଡ୍ ସର୍ଭିସେସ୍ ପ୍ରାଇଭେଟ୍ ଲିମିଟେଡ୍ ନାମକ ଏକ ସଂସ୍ଥା ଚାର୍ଟଡ୍ ଫ୍ଲାଇଟ୍ ଯୋଗାଇଥାଏ । ତାଙ୍କୁ ମଧ୍ୟ ତଦନ୍ତ ପରିସରକୁ ନିଆଯିବ । ଗତ ସେପ୍ଟେମ୍ବର ୧୩ ତାରିଖ ଦିନ ସେ ଭୁବନେଶ୍ୱରରୁ ପୁନେ ଚାର୍ଟାଡ୍ ଫ୍ଲାଇଟ୍ରେ ଯାଇଥିଲେ । ଏହି ଫ୍ଲାଇଟ୍ରେ ଅଭୟ ପାଠକ, ପୁଷ୍ପା ପାଠକ, ଜୁହି ପାଠକ, ଆଭ୍ୟାନ ଝା, ଜୁମ୍ରତି ଖାନ୍ ଏବଂ ରତନ ସାହୁ ଯାଇଥିବା ଜଣାପଡ଼ିଛି । ଫ୍ଲାଇଟ୍ ଭୁବନେଶ୍ୱରରୁ ଦିନ ୩ଟା ବେଳେ ପୁନେ ଅଭିମୁଖେ ବାହାରିଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons