କେନ୍ଦ୍ରାପଡ଼ା,(ବି.ବି.ନୁ୍ୟଜ୍): ପାଖାପାଖି ଅଧଘଣ୍ଟାଏ ଧରି ମରଣ ସହ ମୁହାଁମୁହିଁ ଯୁଦ୍ଧ, ସଂଘର୍ଷ । ଗାଈ ଲାଞ୍ଜକୁ ଧରି କୁମ୍ଭୀର ସହ ଲଢେ଼ଇ କରି ମରଣ ମୁହଁରୁ ବର୍ତ୍ତି ଆସିଛନ୍ତି ଇନ୍ଦୁପୁର ହବିଳି ସାହିର ସର୍ବେଶ୍ୱର ଜେନା ଓରଫ ମିଟୁ(୫୦) । ଆଜି ବିରୂପାର ଗଭୀର ଜଳ ଭିତରେ ଅଦମ୍ୟ ସାହସିକତାର ସହ ଏକ କୁମ୍ଭୀର ସହ ଲଢ଼ି ସେ ନିଜ ଜୀବନ ବଞ୍ଚାଇବାକୁ ସମର୍ଥ ହୋଇଛନ୍ତି । ତେବେ ସଂଘର୍ଷ ବେଳେ କୁମ୍ଭୀର ଆକ୍ରମଣରେ ତାଙ୍କ ଗୋଡ଼ର ଏକାଧିକ ସ୍ଥାନରେ ଗୁରୁତର ଆଘାତ ଲାଗିଛି । ଏହା ସତ୍ତେ୍ୱ ନିଶ୍ଚିତ ମୃତୁ୍ୟ ମୁଖରୁ ବର୍ତ୍ତି ନୂଆ ଜୀବନ ପାଇଛନ୍ତି ସେ ।
ପ୍ରାପ୍ତ ସୂଚନା ଅନୁସାରେ, ନିକିରାଇ ଥାନା ଅଧୀନ କେନ୍ଦ୍ରାପଡ଼ା ବ୍ଲକ ଇନ୍ଦୁପୁର ପଞ୍ଚାୟତ ହବିଳି ସାହିରେ ରହନ୍ତି ମିଟୁ । ପ୍ରତିଦିନ ମିଟୁଙ୍କ ସହିତ ଗ୍ରାମର ଆଉ କିଛି ଲୋକ ବିରୂପା ନଦୀ ମଝିରେ ଥିବା ଏକ ଟାପୁକୁ ଗାଈ ଚରାଇବାକୁ ନେଇଥାନ୍ତି । ପାଳି କରି ସାହିର ୨ରୁ ୩ ଜଣ ଲୋକ ପ୍ରତ୍ୟହ ଉକ୍ତ ଟାପୁକୁ ଯାଇଥା’ନ୍ତି । ପ୍ରତିଦିନ ପରି ଆଜି ମଧ୍ୟ ଗୋରୁ ଚରାଇବାକୁ ଯାଇଥିବା ମିଟୁ ଅପରାହ୍ଣ ପ୍ରାୟ ୨ଟାରୁ ଅଢେ଼ଇଟା ମଧ୍ୟରେ ହବିଳି ସାହିର ବାବୁ ବେହେରା, ଟାଙ୍ଗରା ବେହେରାଙ୍କ ସହ ଘରକୁ ଫେରିଥିଲେ । ସେମାନେ ପ୍ରାୟ ୫୦ ଗୋରୁଙ୍କୁ ଚରାଇବାକୁ ନେଇଥିଲେ । ବାବୁ ଓ ଟାଙ୍ଗରା ଅଧିକାଂଶ ଗୋରୁ ନେଇ ଆଗରେ ଫେରି ଆସିଥିବା ବେଳେ ମିଟୁଙ୍କର କିଛି ଗୋରୁ ଟାପୁରେ ରହିଯାଇଥିଲେ । ଟାପୁରେ ଥିବା ୪ ଗୋରୁଙ୍କୁ ଧରି ପଛରେ ଫେରୁଥିଲେ ମିଟୁ । ଗାଈମାନେ ପାଣିରେ ପହଁରି ନଈ ପାର ହେଉଥିବାବେଳେ ଟାପୁ ପାଖରେ ଛପି ରହିଥିବା ଏକ ବଡ଼ ବଉଳା କୁମ୍ଭୀର ହଠାତ୍ ମିଟୁଙ୍କ ବାମ ଗୋଡ଼କୁ ଝାମ୍ପ ମାରିଥିଲା । ଆଉ ଛାଡ଼ି ନ ଥିଲା । ଜୋର୍ କରି କାମୁଡ଼ି ଧରିଥିଲା । କୁମ୍ଭୀର କ୍ରମେ ଶକ୍ତିଶାଳୀ ହୋଇପଡୁଥିବା ବେଳେ ତା’ ସହ ସଂଷର୍ଘ କରି ଥକି ପଡ଼ୁଥିଲେ ମିଟୁ । ତଥାପି ଚେଷ୍ଟା ଜାରି ରଖିଥିଲେ କୁମ୍ଭୀରଠୁ ମୁକୁଳିବାକୁ । ଶେଷରେ ଆଉ କିଛି ଉପାୟ ନପାଇ ପ୍ରାଣ ବିକଳରେ ସାଙ୍ଗରେ ଆଣିଥିବା ଗାଈ ମଧ୍ୟରୁ ଗୋଟିକର ଲାଞ୍ଜ ଧରିଥିଲେ । ଏହି ସମୟରେ କୂଳରେ ଠିଆ ହୋଇଥିବା ଅଞ୍ଚଳର ରାଧାକୃଷ୍ଣ ସାହାଣୀ ମିଟୁ ବିପତ୍ତିରେ ପଡ଼ିଥିବା ଦେଖି ମନୋବଳ ବଢ଼ାଇବା ସହ କୌଣସି ପରିସ୍ଥିତିରେ ଗାଈର ଲାଞ୍ଜ ନଛାଡ଼ିବାକୁ ପରାମର୍ଶ ଦେଇଥିଲେ । ପାଖାପାଖି ଅଧଘଣ୍ଟାଏ କାଳ ଧରି ଚାଲିଥିଲା ମଣିଷ ଆଉ କୁମ୍ଭୀର ମଧ୍ୟରେ ଲଢେ଼ଇ । କୁମ୍ଭୀର ମିଟୁଙ୍କ ବାମଗୋଡ଼କୁ ଜାବ ପକାଇଥିବା ବେଳେ ସେ ଡାହାଣ ଗୋଡ଼ରେ କୁମ୍ଭୀରକୁ ଗୋଇଠା ପରେ ଗୋଇଠା ମାରି ଚାଲିଥିଲେ । ଏଣେ ଗାଈର ଲାଞ୍ଜକୁ ଜୋର୍ କରି ଧରିଥିବାରୁ ଗାଈଟି ମିଟୁଙ୍କୁ ଧରି ତୀବ୍ର ବେଗରେ କୂଳକୁ ଆସିବାକୁ ଲାଗି ପଡ଼ିଥିଲା ।
ଶେଷରେ କୁମ୍ଭୀର-ମଣିଷ ଲଢେ଼ଇରେ ଜିତାପଟ ମାରିଥିଲା ମଣିଷ । ଏଥିସହିତ ସହ ୪ ଗୋରୁଙ୍କ ଜୀବନ ବି ରକ୍ଷା ହୋଇପାରିଥିଲା । ତେବେ କୁମ୍ଭୀର ସହ ଲଢେ଼ଇ ବେଳେ ମିଟୁଙ୍କ ବାମଗୋଡ଼ର ଆଣ୍ଠୁ ପାଖରୁ ପାଦଯାଏ ବିଭିନ୍ନ ଅଂଶରେ ଗୁରୁତର ଆଘାତ ଲାଗିଛି । ଡାହାଣ ଗୋଡ଼ ବି ଆଘାତପ୍ରାପ୍ତ ହୋଇଛି । ମିଟୁଙ୍କୁ ଗୁରୁତର ଅବସ୍ଥାରେ ଇନ୍ଦୁପୁର ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କ ଗୋଡ଼ରେ ଅଦ୍ୟାବଧି ୪୦ରୁ ୫୦ ଷ୍ଟିଚ୍ ପଡ଼ିଥିବା ଜଣାଯାଇଛି । ମାତ୍ର ଅଦ୍ୟାବଧି କୁମ୍ଭୀରକୁ ଠାବ କରାଯାଇ ପାରିନି । କେନ୍ଦ୍ରାପଡ଼ା ଓ ଡେରାବିଶ ବ୍ଲକ୍ର ବିରୂପାରେ ବିଭିନ୍ନ ସମୟରେ କୁମ୍ଭୀର ବିଚରଣ କରୁଥିବା ଅଭିଯାଗ ଆସିଛି । ତେବେ ବନ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏ ଦିଗରେ ପ୍ରତିକାର ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି । କେନ୍ଦ୍ରାପଡ଼ା ରେଞ୍ଜର ଅଧୀର କୁମାର ବେହେରା କହିଛନ୍ତି ରାଜନଗର ଡାଙ୍ଗମାଳର କୁମ୍ଭୀର ଧରାଳିଙ୍କ ସହ ଆଲୋଚନା କରାଯାଇଛି । ସେଠାରୁ ଖୁବ୍ ଶୀଘ୍ର ଟିମ୍ ଆସି କୁମ୍ଭୀର ଚିହ୍ନଟ ସହ ଧରିବାକୁ ଯୋଜନା କରାଯାଉଛି ।


Comments are closed, but trackbacks and pingbacks are open.