ଇସ୍ଲାମାବାଦ: କୁଳଭୂଷଣ ଯାଦବ ମାମଲାରେ ଆଇସିଜେ ରାୟ ଆସିବା ପରେ ପାକିସ୍ତାନ ଏବେ ନିଜକୁ ‘ଦାୟିତ୍ୱବାନ୍’ ଦେଶ ବୋଲି କହିଛି । ମାମଲାରେ ଭାରତ ସପକ୍ଷରେ ଅନ୍ତର୍ଜାତୀୟ ନ୍ୟାୟ କୋର୍ଟ (ଆଇସିଜେ) ରାୟ ଦେବା ପରେ ଦୂତାବାସ ସହାୟତା ଦେବ ବୋଲି ଘୋଷଣା କରିଛି ପାକ୍ । ଗୁରୁବାର ବିଳମ୍ବିତ ରାତ୍ରିରେ ପାକିସ୍ତାନର ବୈଦେଶିକ ମନ୍ତ୍ରାଳୟ ଏକ ବିବୃତି ଜରିଆରେ ଏହି ସୂଚନା ଦେଇଛି ।
ପାକିସ୍ତାନ କହିଛି ଯେ କୁଳଭୂଷଣ ମାମଲାରେ ଦୂତାବାସ ସହାୟତା ଦେବା ପାଇଁ ଯୋଜନା ଆରମ୍ଭ ହୋଇଯାଇଛି । ଦେଶ ଆଇନର କ୍ଷେତ୍ରାଧିକାରରେ ରହି ମାମଲା ଲଢ଼ିବ । ଏହାର କାର୍ଯ୍ୟପ୍ରଣାଳୀ ଏବେ ଜାରି ରହିଛି । ଉଲ୍ଲେଖଯୋଗ୍ୟ, ଭାରତର ପୂର୍ବତନ ନୌସେନା ଅଧିକାରୀ କୁଳଭୂଷଣଙ୍କୁ ଦୂତାବାସ ସହାୟତା ପ୍ରଦାନ ନିମନ୍ତେ ଭାରତ ପକ୍ଷରୁ ୧୬ ଥର ଦାବି କରାଯାଇଛି । କିନ୍ତୁ ପାକିସ୍ତାନ ପ୍ରତି ଥର ଏହାକୁ ପ୍ରତ୍ୟାଖ୍ୟାନ କରିଦେଇଛି । ଏହାପରେ ଭାରତ ଆଇସିଜେଙ୍କ ଦ୍ୱାରସ୍ଥ ହୋଇଥିଲା ।
ପାକ୍ ବୈଦେଶିକ ମନ୍ତ୍ରାଳୟ କହିଛି ଯେ ଏକ ଦାୟିତ୍ୱସମ୍ପନ୍ନ ରାଷ୍ଟ୍ର ଭାବେ ପାକିସ୍ତାନ ଭିଏନା ସନ୍ଧିର ଅନୁଚ୍ଛେଦ ୩୬ ମୁତାବକ କୁଳଭୂଷଣଙ୍କୁ ଦୂତାବାସ ସହାୟତା ଯୋଗାଇବା ଉପରେ କାର୍ଯ୍ୟ କରିବ । ପାକିସ୍ତାନରେ ପ୍ରଚଳିତ ନିୟମ ଅନୁସାରେ ମାମଲା ଚାଲିବ । ସୂଚନାଥାଉ କି କୁଳଭୂଷଣଙ୍କୁ ପାକିସ୍ତାନର ସାମରିକ କୋର୍ଟ ଫାଶୀ ଦଣ୍ଡାଦେଶ ଦେଇଥିଲେ । ଗୁଇନ୍ଦାଗିରି ଏବଂ ଆତଙ୍କବାଦୀ କାର୍ଯ୍ୟକଳାପ ଅଭିଯୋଗରେ ତାଙ୍କ ବିରୋଧରେ ପାକିସ୍ତାନ ମିଥ୍ୟା ପ୍ରମାଣ ପ୍ରସ୍ତୁତ କରିଥିଲା । ଏହାପରେ କୋର୍ଟ ତାଙ୍କୁ ମୃତ୍ୟୁଦଣ୍ଡାଦେଶ ଦେଇଥିଲେ ।


Comments are closed, but trackbacks and pingbacks are open.