ବିନିକା,(ବି.ବି.ନୁ୍ୟଜ): ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ କୁହିବାହାଲ ପଞ୍ଚାୟତ ଆନନ୍ଦପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ଏକ ପରିତ୍ୟକ୍ତ କୂଅ ମଧ୍ୟକୁ କଇଁଛ ଧରିବାକୁ ଯାଇ ଗୋଟିଏ ପରିବାରର ବାପ-ପୁଅ ଏବଂ ଜ୍ୱାଇଙ୍କ ଜୀବନ ଯାଇଛି । ଅଗ୍ନିଶମ ବିଭାଗ ପହଞ୍ଚି କୂଅରୁ ତିନିଜଣଙ୍କ ମୃତଦେହ ଉଦ୍ଧାର କରିଛି । ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଛି । ଏହି ଘଟଣା ପରେ ଗାଁରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି । ସୂଚନାନୁଯାୟୀ ଆଜି ଅପରାହ୍ନରେ ଆନନ୍ଦପୁର ଗ୍ରାମର ସାଧୁ କାଲ୍ସେ(୫୫), ପୁଅ ଆଲୋକ(୨୧) ଏବଂ ଡୁଙ୍ଗୁରିପାଲି ବ୍ଲକ ଅନ୍ଧାରିବାଞ୍ଜି ପଞ୍ଚାୟତ ସୁଲେଇ ଗ୍ରାମର ଜ୍ୱାଇଁ ନବୀନ ମଟାରୀ(୩୧) ତିନିଜଣ ଗ୍ରାମ ନିକଟସ୍ଥ ଏକ ଜଙ୍ଗଲରେ ଥିବା ପରିତ୍ୟକ୍ତ କୂଅଁରୁ କଇଁଛ ଧରିବା ପାଇଁ ଭିତରକୁ ପଶିଥିଲେ । କୂଅରେ ଆଣ୍ଠୁଏ ପାଣି ଥିଲେ ମଧ୍ୟ ଭିତରୁ ଉପରକୁ ଆସିବାରେ ଅସମର୍ଥ ହୋଇଥିଲେ । କୂଅ ଭିତରେ ଶ୍ୱାସରୁଦ୍ଧ ହୋଇ ୩ ଜଣଙ୍କ ଜୀବନ ଚାଲିଯାଇଥିଲା । ସ୍ଥାନୀୟ ଲୋକେ ଏହା ଦେଖି ବିନିକା ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ବିନିକା ଡାକ୍ତରଖାନାକୁ ଆଣିଥିଲେ । ହେଲେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ । ଆସନ୍ତାକାଲି ସେମାନଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ଥାନାଧିକାରୀ ପ୍ରଦୀପ ପଧାନ ସୂଚନା ଦେଇଛନ୍ତି ।
Comments are closed, but trackbacks and pingbacks are open.