ରାଉରକେଲା,(ବି.ବି.ନୁ୍ୟଜ୍): ରାଉରକେଲା ମହାନଗର ନିଗମ ଅନ୍ତର୍ଗତ ୱାର୍ଡ ନଂ. ୧୩ର ଅମରନାଥ ବସ୍ତି ଓ ଏହାର ଆଖପାଖ ବସ୍ତିର ପ୍ରାୟ ୨ ହଜାରରୁ ଉଦ୍ଧ୍ୱର୍ ଲୋକଙ୍କ ପାନୀୟ ଜଳର ଏକମାତ୍ର ଉତ୍ସ ଥିବା ଏକ କୂଅ ଉପରେ ନିର୍ଭର କରିଥାନ୍ତି । ଆଜି ସକାଳ ପ୍ରାୟ ସାଢେ଼ ୮ଟା ସମୟରେ ଜଣେ ମହିଳା କୌଣସି ବିଷାକ୍ତ ପଦାର୍ଥ ସେହି କୂଅରେ ପକାଇ ଦେଇଥିବା ନେଇ ଅଭିଯୋଗ ହୋଇଥିଲା । ପରେ ସେହି କୂଅରେ ଥିବା ମାଛ ଓ କଙ୍କଡ଼ାଗୁଡ଼ିକ କିଛି ସମୟ ମଧ୍ୟରେ ମରି ପାଣିରେ ଭାସୁଥିବା ବସ୍ତିବାସିନ୍ଦା ଦେଖିବାକୁ ପାଇଥିଲେ । ଉକ୍ତ ମହିଳାଙ୍କୁ ବସ୍ତିବାସିନ୍ଦା ଏ ନେଇ ପଚାରିବାରୁ ସେ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ହତ୍ୟା ଧମକ ଦେଇଥିଲେ । ଯାହାକୁ ନେଇ ସେଠାରେ ଉତ୍ତେଜନା ଦେଖା ଦେଇଥିଲା । ଖବର ପାଇ ପ୍ଲାଣ୍ଟସାଇଟ୍ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ସେହି ମହିଳାଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଚଳାଇଛି ।
ବସ୍ତିବାସିନ୍ଦାଙ୍କ ଅଭିଯୋଗ ଅନୁସାରେ ସମ୍ପୃକ୍ତ ବସ୍ତିରେ ରହୁଥିବା ଗୁଲସନ ଆଲିଆସ୍ ସେଠାରେ ଥିବା ଏକ କୂଅରେ କାଗଜ ପୁଡ଼ିଆରେ ଥିବା କୌଣସି ବିଷାକ୍ତ ପଦାର୍ଥ ପକାଉଥିବା ବେଳେ ଦୁଇଜଣ ପିଲା ଏହା ଦେଖିଥିଲେ । ଏ ନେଇ କାହାକୁ କିଛି ନ କହିବା ଲାଗି ଗୁଲସନ୍ ସେମାନଙ୍କୁ ଧମକ ଚମକ ଦେଇଥିଲେ । ମାତ୍ର ପିଲା ଦୁଇଜଣ ଘଟଣା ସମ୍ପର୍କରେ ବସ୍ତିବାସିନ୍ଦାଙ୍କୁ କହିବାରୁ ଲୋକେ ସେଠାରେ ପହଞ୍ଚି କୂଅରେ ଥିବା ମାଛ ଓ କଙ୍କଡ଼ାଗୁଡ଼ିକ ମରି ଭାସୁଥିବା ଦେଖିବାକୁ ପାଇଥିଲେ । ଫଳରେ ଗୁଲସନ୍ କୂଅ ପାଣିରେ ବିଷ ମିଶାଇଥିବା ସନେ୍ଦହ କରି ତାଙ୍କୁ ଏ ନେଇ ପଚାରିଥିଲେ । ତେବେ ଗୁଲସନ ସେମାନଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହ ହତ୍ୟା ଧମକ ଦେଇଥିଲେ । ଫଳରେ ସେଠାରେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା । ଖବର ପାଇ ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ଗୁଲସନଙ୍କୁ ଥାନାକୁ ନେଇ ଅଟକ ରଖିଛି । ବସ୍ତିରେ ଉତ୍ତେଜନା ଦେଖା ଦେଇଥିବାରୁ ତାକୁ ଦୃଷ୍ଟିରେ ରଖି ସେଠାରେ ପୁଲିସ୍ ବାହିନୀ ମୁତୟନ କରାଯାଇଥିବା ବେଳେ ଫରେନ୍ସିକ୍ ଟିମ୍ ଡକାଇ କୂଅ ପାଣିର ନମୂନା ସଂଗ୍ରହ କରାଯାଇଛି । ତେବେ ରିପୋର୍ଟ ଆସିନଥିବା ବେଳେ ମହାନଗର ନିଗମ ପକ୍ଷରୁ ପମ୍ପ ଲଗାଇ କୂଅରୁ ପାଣି ଶୁଖାଇବା ସହ ବିଶୋଧନ କରାଯାଇଛି । ଏହିକ୍ରମରେ ଆଗାମୀ ଦୁଇଦିନ ପର୍ଯ୍ୟନ୍ତ ସମ୍ପୃକ୍ତ କୂଅ ପାଣିକୁ ବସ୍ତିବାସିନ୍ଦା ବ୍ୟବହାର ନ କରିବା ପାଇଁ ପରାମର୍ଶ ଦିଆଯାଇଛି । ଏ ନେଇ ମହିଳାଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧି ଆଇନର ଧାରା ୨୯୪, ୫୦୬, ୩୨୮ ଏବଂ ୨୭୭ରେ ଏକ ମାମଲା (କେସ୍ ନଂ. ୧୫୮) ରୁଜୁ ହୋଇଛି ।
Comments are closed, but trackbacks and pingbacks are open.