କୃଷିଋଣ ପାଇଁ ଜୀବନ ହାରିଲେ ଯୁବଚାଷୀ!

Get real time updates directly on you device, subscribe now.

ବରଗଡ଼,(ବି.ବି.ନୁ୍ୟଜ୍): ବରଗଡ଼ ଜିଲ୍ଲା ସଦର ବ୍ଲକ ନୂଆପାଲି ଗାଁର ଚାଷୀ ମହେନ୍ଦ୍ର ସାହୁ (୩୭) ଋଣ ଆବେଦନ ପରେ ପାଇଥିବା ମାନସିକ କଷ୍ଟକୁ ସହି ନପାରି ଆତ୍ମହତ୍ୟା ବାଟ ବାଛି ନେଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି ।
ସୂଚନା ମତେ ଚାଷକାର୍ଯ୍ୟ ପରିଚାଳନା ପାଇଁ ନୂଆପାଲି ଗାଁର ରସିକ ସାହୁଙ୍କ ଦ୍ୱିତୀୟ ପୁଅ ମହେନ୍ଦ୍ର ଚଳିତ ଖରିଫ ଚାଷ ପାଇଁ ସରସରା ସୋସାଇଟିରୁ ଋଣ ପାଇଁ ଆବେଦନ କରିଥିଲେ । ମାତ୍ର ଋଣ ବଦଳରେ ମିଳିଥିଲା ମାନସିକ ନିର୍ଯାତନା ସହ ଲାଞ୍ଚ ଦାବି । ଯାହାକୁ ନେଇ ମହେନ୍ଦ୍ର ଭାଙ୍ଗି ପଡ଼ିଥିଲେ । ମାତ୍ର ଚାଷ ଆଗେଇ ନେବା ପାଇଁ ଅର୍ଥ ଆବଶ୍ୟକ ଥିବାରୁ ବାଧ୍ୟ ହୋଇ ଜଣେ ଗ୍ରାମବାସୀଙ୍କ ଠାରୁ ୪୦ ହଜାର ଟଙ୍କା ହାତଉଧାରୀ କରିଥିଲେ । ମିଳିଥିବା ଟଙ୍କାରୁ କିଛି ଚାଷରେ ଲାଗାଇ ଅବଶିଷ୍ଟ ଟଙ୍କାକୁ ସରସରା ସୋସାଇଟିର ଜଣେ ଅଧିକାରୀଙ୍କୁ କୁଆଡେ଼ ଲାଞ୍ଚ ସୂତ୍ରରେ ଦେଇଥିବା ତାଙ୍କ ପରିବାର ସୂଚନା ଦେଇଛନ୍ତି । ତା’ ସତ୍ତେ୍ୱ ମଧ୍ୟ ଋଣ ମିଳି ନଥିବା ବେଳେ କେବଳ ହଇରାଣ ହିଁ ମିଳିଥିବାରୁ ମାନସିକ ସ୍ତରରେ ଭାଙ୍ଗିପଡ଼ିଥିଲେ ମହେନ୍ଦ୍ର । ଏଥିପାଇଁ ସମ୍ପୂର୍ଣ୍ଣ ଭାବେ ଉଦାସୀନ ରହୁଥିବା ମହେନ୍ଦ୍ର ଚାଷ କରିଥିବା ୨ ଏକର ଜମିର ଫସଲ ଭଲ ହୋଇ ନଥିବାରୁ ମାନସିକ ସ୍ତରରେ ଦୁର୍ବଳ ହୋଇଥିବା ଗ୍ରାମବାସୀ କହନ୍ତି । ଋଣ ନମିଳିବାରୁ ବିଳମ୍ବରେ ଚାଷ ଆରମ୍ଭ କରିଥିବା ଯୋଗୁଁ ଚାଷରେ ବଙ୍ଗୀ ପୋକ ଲାଗି ଯାଇଥିଲା । ଫସଲ ନଷ୍ଟ ହୋଇଥିବା ଜାଣିପାରି ଋଣ ପରିଶୋଧ ନେଇ ସେ ଚିନ୍ତିତ ହୋଇପଡ଼ିଥିଲେ । ଯାହାକୁ ନେଇ ମହେନ୍ଦ୍ର ଗତ ଗୁରୁବାର କୀଟନାଶକ ପିଇ ଦେଇଥିବା ବେଳେ ଗୁରୁତର ଅବସ୍ଥାରେ ପରିବାରବର୍ଗ ତାଙ୍କୁ ଉଦ୍ଧାର କରି ପ୍ରଥମେ ବରଗଡ଼ ଓ ପରେ ବୁର୍ଲା ସ୍ଥାନାନ୍ତର କରିଥିଲେ । ଚିକିତ୍ସିତ ଅବସ୍ଥାରେ ଆଜି ସୋମବାର ପୂର୍ବାହ୍ନରେ ତାଙ୍କ ମୃତୁ୍ୟ ଘଟିଥିଲା । ମହେନ୍ଦ୍ରଙ୍କ ଦୁର୍ଦ୍ଧଶା ପାଇଁ ପରିବାରବର୍ଗ ସୋସାଇଟିର ସମ୍ପୃକ୍ତ ଅଧିକାରୀଙ୍କୁ ଦାୟୀ କରିଥିବାରୁ ଲାଞ୍ଚ ଘଟଣାକୁ ନେଇ ଏବେ ନୂଆପାଲିରେ ଉତ୍ତେଜନା ଦେଖାଦେଇଛି । ବୁର୍ଲାରେ ଶବ ବ୍ୟବଚ୍ଛେଦ ପରେ ଗାଁକୁ ମହେନ୍ଦ୍ରଙ୍କ ପାର୍ଥିକ ଶରୀର ପହଞ୍ଚିବା ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ସମାଜସେବୀ ଦେବବ୍ରତ ମିଶ୍ର ମୃତକଙ୍କ ପରିବାରବର୍ଗଙ୍କୁ ସରକାରୀ ସହାୟତା ପ୍ରଦାନ କରିବା ସହ ସୋସାଇଟିର ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ତଦନ୍ତ ପୂର୍ବକ କାର୍ଯ୍ୟାନୁÂାନ ଗ୍ରହଣ କରିବାକୁ ଦାବି କରିଥିବା ସମୟରେ ଋଣ ପାଇଁ ଜଣେ ଚାଷୀର ଜୀବନ ଯାଇଥିବାରୁ ସଚେତନ ନାଗରିକ ଏନେଇ ଅସନ୍ତୋଷ ପ୍ରକାଶ କରି ଏହାର ବିଧିବଦ୍ଧ ଯାଞ୍ଚ ଓ ପଦକ୍ଷେପ ଦାବି କରିଛନ୍ତି । ନୂଆପାଲିକୁ ବିଧାୟକ ଦେବେଶ ଆଚାର୍ଯ୍ୟ ପହଞ୍ଚି ମୃତ ଚାଷୀଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇ ଅଭିଯୋଗ ଉପରେ ତଦନ୍ତ କରାଯାଇ ବିଧିବଦ୍ଧ ଯାଞ୍ଚ କରାଯିବାକୁ ପ୍ରତିଶ୍ରୁତି ଦେଇଛନ୍ତି ।
ସୂଚନା ଯୋଗ୍ୟ ବରଗଡ଼ ସଦର ବ୍ଲକ ଏସ୍.ଡ଼ୁମ୍ବେରପାଲି ପଞ୍ଚାୟତ ଅଧିନ ନୂଆପାଲି ଗାଁ ଅଣସେଚିତ ଅଞ୍ଚଳ ହୋଇଥିବା ବେଳେ ଏଠି କିଛିବର୍ଷ ହେଲା ଚାଷୀ ମରୁଡ଼ିର ସମ୍ମୁଖିନ ହୋଇଆସୁଛନ୍ତି । ପୁଣି ବୋଝ ଉପରେ ନଳିତାବିଡ଼ା ଭଳି ବିଭିନ୍ନ ରୋଗପୋକ ଆକ୍ରମଣ ଚାଷୀକୁ ଦହଗଞ୍ଜ କରିଦେଉଥିବା ବେଳେ ଚାଷୀ ସାହାଯ୍ୟ ପାଇଁ ଗଢ଼ାଯାଇଥିବା ସୋସାଇଟିର ଚାଷୀ ମାରଣ ନୀତି ତଦନ୍ତ ପରିସରଭୁକ୍ତ ହୋଇଛି । ମୃତ ଚାଷୀ ମହେନ୍ଦ୍ର ତାଙ୍କ ପଛରେ ସ୍ତ୍ରୀ ସହ ଦୁଇ ଛୋଟ ପୁଅକୁ ଛାଡ଼ି ଚାଲି ଯାଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons