
ନବରଙ୍ଗପୁର,(ଗଗନ ଗନ୍ତାୟତଙ୍କ ରିପୋର୍ଟ):ଜିଲ୍ଲାରେ ଉଭୟ ଚାଷ ଓ ଚାଷୀର ବିକାଶ କରାଯିବ । ନୂଆ ପ୍ରଯୁକ୍ତି ବିଦ୍ୟାକୁ କୃଷିସହ ସାମିଲ କରାଯିବ । ଏଭଳି ଉଦେ୍ଧଶ୍ୟ ରଖି ସୋମବାର ଜିଲ୍ଲାରେ କୃଷି ଓଡିଶା କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପ;ନାୟକ ଭର୍ଚୁଆଲରେ ଏହାର ଶୁଭାରମ୍ଭ କରିଛନ୍ତି । ଆସନ୍ତା ୫ ଦିନ ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ଚାଲିବ ବୋଲି ଜଣାପଡିଛି । ସନ୍ଧ୍ୟାରେ ଜିଲ୍ଲାସ୍ତରୀୟ କୃଷି ଓଡିଶା କାର୍ଯ୍ୟକ୍ରମ ଶୁଭାରମ୍ଭ କରାଯାଇଛି ।
ସୂଚନା ଅନୁସାରେ, ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମକୁ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଆୟୋଜନ କରାଯାଇଥିଲା । ଜିଲ୍ଲାପାଳ ଡ.ଅଜିତ କୁମାର ମିଶ୍ର ମୁଖ୍ୟ ଅତିଥିଭାବେ ଯୋଗଦେଇ ବିଭାଗର ଷ୍ଟଲଗୁଡିକୁ ପ୍ରଦର୍ଶନ କରିଥିଲେ । ଆସନ୍ତା ୫ ଦିନ ଧରି କାର୍ଯ୍ୟକ୍ରମ ଚାଲିବାକୁ ଥିବାବେଳେ ଜିଲ୍ଲାର ଚାଷୀଙ୍କୁ କୃଷି ଓ ଆନୁଷଙ୍ଗିକ ଅତ୍ୟାଧୁନିକ ଜ୍ଞାନ କୌଶଳ ସମ୍ପର୍କରେ ସୂଚନା ଦିଆଯିବ ବୋଲି ଜଣାପଡିଛି । ବିଭିନ୍ନ ଅତ୍ୟାଧୁନିକ ଯନ୍ତ୍ରପାତି ପ୍ରଦର୍ଶନ କରାଯିବ । ସେହିପରି, ଭାଗୀଦାରୀଙ୍କ ମଧ୍ୟରେ ପ୍ରତ୍ୟକ୍ଷ ଭାବ ବିନିମୟ, ନୀତି ପ୍ରଣୟନକାରୀ, ଗବେଷକ, ଯୋଜନା ନିର୍ଦ୍ଧାରଣକାରୀ ଓ ପ୍ରଶାସନ ମଧ୍ୟରେ ସମନ୍ୱୟ ସ୍ଥାପନ, କୃଷି ଓ ବୈଜ୍ଞାନିକଙ୍କ ମଧ୍ୟରେ ବିଷୟଭିତ୍ତିକ କର୍ମଶାଳା କରାଯିବା ସୂଚନା ମିଳିଛି । ଅଗ୍ରଣୀ କୃଷକ ଓ ଅନ୍ୟାନ୍ୟ ଅଂଶୀଦାରଙ୍କୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ମଧ୍ୟ ରହିଛି । ଜିଲ୍ଲାରେ ସମନ୍ୱିତ ଚାଷ ଓ ଚାଷୀଙ୍କ ବିକାଶ ସହ ଉଦ୍ୟାନ, ମତ୍ସ୍ୟ, ମୃତ୍ତିକା ସଂରକ୍ଷଣ, ପ୍ରାଣୀ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମର ୧୨ ଟି ଷ୍ଟଲକୁ ଜିଲ୍ଲାପାଳ ଉଦ୍ଘାଟନ କରିଛନ୍ତି । କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଶତାଧିକ ଚାଷୀ ଉପସ୍ଥିତ ଥିଲେ । ଜିଲ୍ଲା ମତ୍ସ୍ୟ ଅଧିକାରୀ କନୱାର ମାରାଣ୍ଡି, ପ୍ରାଣୀଧନ ଜିଲ୍ଲା ଚିକିତ୍ସାଧିକାରୀ ଡ.ନାରାୟଣ ବେହେରା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଳଧର ନିଆଲ ପ୍ରମୁଖ ଉପସ୍ଥିତ ଥିଲେ । ଜିଲ୍ଲା ମୁଖ୍ୟକୃଷି ଅଧିକାରୀ ବ୍ରଜକିଶୋର ଲେଙ୍କା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
Comments are closed, but trackbacks and pingbacks are open.