କେଏସ୍ୟୁବିରେ ହେବ କୋଭିଡ୍ ହସ୍ପିଟାଲ୍

Get real time updates directly on you device, subscribe now.

ଭଞ୍ଜନଗର,(ବି.ବି.ନୁ୍ୟଜ୍): ଗଞ୍ଜାମ ଜିଲ୍ଲା ଭଞ୍ଜନଗରରେ ଖୋଲିବ କୋଭିଡ୍ ହସ୍ପିଟାଲ । କରୋନାରେ ଅଧିକରୁ ଅଧିକ ଲୋକ କିପରି ଶୀଘ୍ର ସୁସ୍ଥ ହୋଇପାରିବେ ଏନେଇ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି । ଭଞ୍ଜନଗର କେଏସ୍ୟୁବି କଲେଜ ଛାତ୍ରବାସକୁ କୋଭିଡ୍ ହସ୍ପିଟାଲ କରିବା ନେଇ ଚିହ୍ନଟ କରାଯାଇଛି । ୩୦ ଶଯ୍ୟା ଏବଂ ୧୦ ଶଯ୍ୟା ଆଇସିୟୁ ବିଶିଷ୍ଟ ଏହି କୋଭିଡ୍ ହସ୍ପିଟାଲରେ ସମସ୍ତ ପ୍ରକାର ଆବଶ୍ୟକୀୟ ଅତ୍ୟାଧୁନିକ ସରଞ୍ଜାମ ରହିବା ବ୍ୟବସ୍ଥା କରାଯିବ । ଏଥିସହ ଭେଣ୍ଟିଲେଣ୍ଟର ବ୍ୟବସ୍ଥା ମଧ୍ୟ ରହିବ । ଅତି ଗୁରୁତର ରୋଗୀ ଏହାର ଉପକାର ପାଇପାରିବେ । ଏଥିପାଇଁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ କିମ୍ସ୍ ସହଯୋଗରେ ଏଠାରେ କୋଭିଡ୍ ହସ୍ପିଟାଲ କରାଯିବ । ବୁଧବାର ବିଧାୟକ ତଥା ରାଜ୍ୟ ଜଙ୍ଗଲ, ପରିବେଶ ତଥା ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଓ କନ୍ଧମାଳ ସାଂସଦ ଅଚୁ୍ୟତ ସାମନ୍ତଙ୍କ ସହ ଏଡିଏମ୍ ବିଶାଲ ସିଂ, ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ, ମେଡିକାଲ ସୁପରିଟେଣ୍ଡେଣ୍ଟ ଡା. ସିତାଂଶୁ ଶେଖର ଶତପଥୀ, ବିଡିଓ ଅନୀଲ ସେଠୀ, ତହସିଲଦାର ଆଲୋକ ପ୍ରଧାନ, ମେଡିକାଲ ମ୍ୟାନେଜର ବିଚିତ୍ର ପାଣିଗ୍ରାହୀ, କେଏସ୍ୟୁବି କଲେଜ ଅଧ୍ୟକ୍ଷ ଡ. ନୀଳାଞ୍ଚଳ ମୁନିଙ୍କ ସମେତ ବହୁ ଅଧ୍ୟାପକ ଉପସ୍ଥିତ ରହିଥିଲେ ।
ସୂଚନାଯୋଗ୍ୟ ଯେ ଭଞ୍ଜନଗର ଠାରେ ଶହେ ଶଯ୍ୟା ବିଶିଷ୍ଟ ଏକ କୋଭିଡ୍ କେୟାର ସେଣ୍ଟର ଖୋଲାଯାଇଥିଲା । ପରେ ଆସିକାରେ ମଧ୍ୟ ଅନୁରୂପଭାବେ ଆଉ ଏକ କୋଭିଡ୍ କେୟାର ସେଣ୍ଟର ଖୋଲାଯାଇଛି । ସେହିପରି ସବ୍ଡିଭିଜନର ବିଭିନ୍ନ ପଞ୍ଚାୟତ ଓ ଏନ୍ଏସିରେ ୧୮୧୫ ଶଯ୍ୟା ବିଶିଷ୍ଟ ୧୪୬ଟି କୋଭିଡ୍ କେୟାର ହୋମ୍ ଖୋଲାଯାଇଛି । ଏହିସବୁ ସ୍ଥାନରେ କରୋନା ସଂକ୍ରମିତମାନେ ଚିକିତ୍ସିତ ହେଉଛନ୍ତି । ମାତ୍ର ଗୁରୁତର ରୋଗୀଙ୍କୁ ଏଠାରୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଉଛି । ଏହାକୁ ଦୃଷ୍ଟିରେ ରଖି ଭଞ୍ଜନଗର ଠାରେ ଏକ କୋଭିଡ୍ ହସ୍ପିଟାଲ ଖୋଲିବାକୁ ସରକାର ନିଷ୍ପତ୍ତି ନେଇଥିବା ମନ୍ତ୍ରୀ ଆରୁଖ ସୂଚନା ଦେଇଛନ୍ତି । ପୂର୍ବରୁ ଏଡିଏମ ବିଶାଲ ସିଂଙ୍କ ନେତୃତ୍ୱରେ ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ, ବିଡିଓ ଅନୀଲ କୁମାର ସେଠୀଙ୍କ ସମେତ ଏକ ଟିମ୍ ସହରର କେଏସ୍ୟୁବି କଲେଜ, ବିଇଡି କଲେଜ ଓ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସ୍ଥାନକୁ ଚିହ୍ନଟ କରିଥିଲେ । ଶେଷରେ ସବୁଦୃଷ୍ଟିକୁ ବିଚାରକୁ ନେଇ କେଏସ୍ୟୁବି କଲେଜ ହଷ୍ଟେଲକୁ କୋଭିଡ୍ ହସ୍ପିଟାଲ ପାଇଁ ଚିହ୍ନଟ କରାଯାଇଛି । ଚଳିତ ମାସ ଶେଷସୁଦ୍ଧା ଏଠାରେ ହସ୍ପିଟାଲ କାର୍ଯ୍ୟକ୍ଷମ ହେବା ନେଇ ବ୍ୟବସ୍ଥା କରାଯିବ ବୋଲି ଉଭୟ ମନ୍ତ୍ରୀ ଓ ସାଂସଦ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons