ଭଦ୍ରକ,(ବି.ବି.ନ୍ୟୁଜ୍): ଦୁଇ ଜଣ ଛାତ୍ର କେନାଲରେ ବୁଡ଼ି ପ୍ରାଣ ହରାଇଥିବା ଜଣାପଡ଼ିଛି । ମୃତକ ଦୁଇ ଜଣ ହେଲେ ଖଇରା ବ୍ଲକ୍ ରଟିଣା ଗ୍ରାମର କମଳାକାନ୍ତ ସାହୁଙ୍କ ପୁତ୍ର ରାଜେଶ(୧୨) ଓ ସେହି ଗ୍ରାମର ଲକ୍ଷ୍ମୀକାନ୍ତ ଜେନାଙ୍କ ପୁତ୍ର ଧନଞ୍ଜୟ(୧୩) । ଉଭୟ ଖଇରା ବ୍ଲକ ରଟିଣା ନୋଡ଼ାଲ ୟୁଜିଏମଇ ସ୍କୁଲରେ ଯଥାକ୍ରମେ ୬ଷ୍ଠ ଓ ସପ୍ତମ ଶ୍ରେଣୀରେ ଅଧ୍ୟୟନ କରୁଥିଲେ । ଆଜି ମଧ୍ୟାହ୍ନ ଭୋଜନ ସମୟରେ ଉଭୟ ଏକ ସାଇକଲେ ଯୋଗେ ସ୍କୁଲ ଠାରୁ ପ୍ରାୟ ୨ଶହ ମିଟର ଦୂରରେ ଥିବା ଆମ୍ବହତା କେନାଲ ନିକଟକୁ ଆସି ଗାଧୋଇବାକୁ ପାଣିରେ ପଶିଥିଲେ । କେନାଲରେ ପ୍ରଖର ସ୍ରୋତ ଯୋଗୁଁ ଉଭୟ ପାଣିରେ ଭାସିଯାଇଥିଲେ । କିଛି ସମୟ ପରେ ଉଭୟଙ୍କ ମୃତଦେହ କେନାଲରେ ଭାସୁଥିବା ଦେଖି ସ୍ଥାନୀୟ ଲୋକେ ସେମାନଙ୍କ ପରିବାରକୁ ଖବର ଦେଇଥିଲେ । ଉଭୟଙ୍କୁ ଉଦ୍ଧାର କରି ଭଦ୍ରକ ଜିଲ୍ଲା ଚିକିତ୍ସାଳୟ ଅଣାଯାଇଥିବା ବେଳେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ । ଉଭୟ ବାପା, ମା’ଙ୍କ ଏକମାତ୍ର ପୁତ୍ର । ଏହି ଦୁଇ ନାବାଳକ ଛାତ୍ରଙ୍କ ମୃତ୍ୟୁ ପାଇଁ ଉକ୍ତ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଦାୟିତ୍ୱହୀନତାକୁ ସମ୍ପୂର୍ଣ୍ଣ ଦାୟୀ କରିଥିବା ବେଳେ, ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଗ୍ରାମବାସୀମାନେ ଦାବି କରିଛନ୍ତି ।
Comments are closed, but trackbacks and pingbacks are open.