ରାଉରକେଲା: ଖେଳୁଥିବା ବେଳେ କେନାଲ ପାଖରେ ଥିବା ପାଣିକୁଣ୍ଡରେ ବୁଡ଼ି ଦୁଇ ଶିଶୁପୁତ୍ରଙ୍କ ମୃତୁ୍ୟ ଘଟିଛି । ଏଭଳି ଦୁଃଖଦ ଘଟଣା ବ୍ରାହ୍ମଣୀତରଙ୍ଗ ଥାନା ଅନ୍ତର୍ଗତ ଲୁଙ୍ଗେଇ ସ୍ଥିତ କେନାଲପଡ଼ାରେ ଘଟିଛି । ପୁଲିସ୍ ଦୁଇ ଶିଶୁପୁତ୍ରଙ୍କ ମୃତଦେହକୁ ଜବତ କରି ରାଉରକେଲା ସରକାରୀ ଡାକ୍ତରଖାନାର ମର୍ଗରେ ରଖିଛି । ଆସନ୍ତାକାଲି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ।
ପିତାମହଲ ଡ୍ୟାମର ଶାଖା କେନାଲ ଲୁଙ୍ଗେଇ କେନାଲପଡ଼ା ଦେଇ ଯାଇଛି । ବର୍ଷା ଋତୁ ସତ୍ତେ୍ୱ ଏହି କେନାଲ ଏବେ ଶୁଖିଲା ପଡ଼ିଛି । ହେଲେ କେନାଲର ସ୍ଥାନେ ସ୍ଥାନେ ପାଣି ରହିବା ପାଇଁ ସିମେଣ୍ଟର କୁଣ୍ଡ ରହିଛି । ଲୁଙ୍ଗେଇ କେନାଲପଡ଼ା ସନ୍ନିକଟରେ ରହନ୍ତି ବିକ୍ରମ ଟପ୍ପୋ ଓ ପ୍ରଦୀପ ମହାନନ୍ଦ । ଶନିବାର ରାତି ପ୍ରାୟ ୭ଟାରେ ବିକ୍ରମଙ୍କ ଦେଢ଼ ବର୍ଷର ପୁଅ ଆଶିଷ ଓ ପ୍ରଦୀପ ମହାନନ୍ଦଙ୍କ ବର୍ଷେ ତିନି ମାସର ପୁଅ ଶ୍ରୀଦେବ ଖେଳୁଥିବା ବେଳେ କେନାଲକୁ ଲାଗିଥିବା ସିମେଣ୍ଟ ପାଣିକୁଣ୍ଡରେ ବୁଡ଼ି ଯାଇଥିଲେ । ସ୍ଥାନୀୟ ଲୋକଙ୍କ ସହାୟତାରେ ପରିବାର ଲୋକେ ଉଭୟ ଶିଶୁପୁତ୍ରଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାକୁ ଆଣିଥିଲେ । ମାତ୍ର ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ ।
ରିପୋର୍ଟ ବିଶ୍ୱବିଜୟୀ
Comments are closed, but trackbacks and pingbacks are open.