ଭୁବନେଶ୍ୱର,(ବି.ବି.ବ୍ୟୁରୋ): ରାଜ୍ୟ ସରକାର କେନ୍ଦୁପତ୍ର ତୋଳାଳି ଓ ବନ୍ଧାଳିଙ୍କ ବୋନସ୍ରେ ୫୦ ପ୍ରତିଶତ ହ୍ରାସ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦୁପତ୍ର ଉନ୍ନୟନ ବୋର୍ଡ ବୈଠକରେ ଏହି ନିଷ୍ପତ୍ତି ହୋଇଛି । ୨୦୧୮ ବର୍ଷ ପାଇଁ ବୋନସ୍ ବାବଦରେ ୨୨୨ କୋଟି ଟଙ୍କା ପ୍ରଦାନ କରାଯିବ ବୋଲି ନିଷ୍ପତ୍ତି ହୋଇଛି । ଜିଏସ୍ଟି ଓ ପାଣିପାଗ ଜନିତ କାରଣରୁ ଏମିତି ହ୍ରାସ କରାଗଲା ବୋଲି କୁହାଯାଇଛି । କେନ୍ଦୁପତ୍ର ସହ ସଂପୃକ୍ତ ତୋଳାଳି, ବନେ୍ଧଇ ଶ୍ରମିକ ଓ ଠିକା କର୍ମଚାରୀମାନଙ୍କୁ ଏହି ବୋନସ୍ ପ୍ରଦାନ କରାଯିବ । ତେବେ ଏଥିରେ ସମ୍ପୃକ୍ତ ତୋଳାଳି, ବନ୍ଧାଳି ଓ କର୍ମଚାରୀମାନେ ପାଉଥିବା ଅନ୍ୟ ସୁବିଧା ସୁଯୋଗ ହ୍ରାସ କରାଯିବ ନାହିଁ ବୋଲି ନିଷ୍ପତ୍ତି ହୋଇଛି ।
ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟମନ୍ତ୍ରୀ କହିଥିଲେ, ରାଜ୍ୟର ସାମୂହିକ ବିକାଶରେ କେନ୍ଦୁପତ୍ର ବ୍ୟବସାୟର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଏଥିରେ ବିଶେଷ ଭାବେ ଆଦିବାସୀ ଓ ଆର୍ଥିକ ଅନଗ୍ରସର ଲୋକ କାମ କରିଥାନ୍ତି । ସେମାନଙ୍କ ସାମାଜିକ ଓ ଆର୍ଥିକ ଉନ୍ନତି ପାଇଁ ଏହା ବିଶେଷ ସହାୟକ ହେଉଛି । ରାଜ୍ୟ ସରକାର କେନ୍ଦୁପତ୍ର ବ୍ୟବସାୟରୁ ପାଉଥିବା ଲାଭାଂଶ ସେମାନଙ୍କ ବିଭିନ୍ନ କଲ୍ୟାଣମୂଳକ କାର୍ଯ୍ୟରେ ବିନିଯୋଗ କରାଯାଉଛି । କେନ୍ଦୁପତ୍ର ତୋଳାଳିଙ୍କୁ ଅଂଶୀଦାର ଭାବେ ସରକାର ଗ୍ରହଣ କରିଛନ୍ତି ।
ବୈଠକ ପରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଲେ, ଜିଏସ୍ଟି ସହ ଅନ୍ୟାନ୍ୟ କାରଣରୁ ତୋଳାଳିଙ୍କ ବୋନସ୍ ପରିମାଣକୁ ୧୦୦ ପ୍ରତିଶତରୁ ୫୦ ପ୍ରତିଶତକୁ ହ୍ରାସ କରାଯାଇଛି । ସେହିପରି ବନ୍ଧାଳିମାନେ ୨୦% ବଦଳରେ ୧୦% ବୋନସ୍ ପାଇବେ । ମାତ୍ର ସରକାର କେନ୍ଦୁପତ୍ର ତୋଳାଳି ଓ ବନ୍ଧାଳିଙ୍କ ସାମାଜିକ ସୁରକ୍ଷା ଦିଗ୍ର ପ୍ରତି ବେଶ ଯତ୍ନବାନ ଅଛନ୍ତି ।
ରାଜ୍ୟରେ ଏବେ ୮ ଲକ୍ଷ ୫୨ ହଜାର କେନ୍ଦୁପତ୍ର ତୋଳାଳି, ୨୦ ହଜାର ୬୫୦ ବନେ୍ଧଇ ଶ୍ରମିକ ଓ ୧୭ ହଜାର ୮୬୦ ସାମୟିକ କର୍ମଚାରୀ କେନ୍ଦୁପତ୍ର କାମରେ ନିୟୋଜିତ ଅଛନ୍ତି । କେନ୍ଦୁପତ୍ର ବ୍ୟବସାୟ ଯୋଗୁଁ ଏମାନଙ୍କ ପାଇଁ ବାର୍ଷିକ ୧ କୋଟି କାର୍ଯ୍ୟ ଦିବସ ସୃଷ୍ଟି ହୋଇପାରୁଛି । ଏମାନଙ୍କ କଲ୍ୟାଣ ପାଇଁ ସରକାର ବହୁ କଲ୍ୟାଣମୂଳକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ତୋଳାଳିମାନଙ୍କ ପାଇଁ କେନ୍ଦୁ ସଂଗ୍ରହ ପୋଷାକ, ଚପଲ, ଶ୍ରମିକମାନଙ୍କୁ ମଶାରୀ ଓ କମ୍ବଳ, ଟୋପି ଦିଆଯାଉଛି । ଏହାଛଡ଼ା ତୋଳାଳି ଓ ବନ୍ଧାଳିଙ୍କ ଝିଅମାନଙ୍କ ବିବାହ ସହାୟତା, ତୋଳାଳି ଓ କର୍ମଚାରୀଙ୍କ ଚିକିତ୍ସା ଖର୍ଚ୍ଚ, ତୋଳାଳି, ଶ୍ରମିକ ଓ କର୍ମଚାରୀଙ୍କ ମୃତ୍ୟୁ କିମ୍ବା ସ୍ଥାୟୀ ଅକ୍ଷମତା ପାଇଁ ଅନୁକମ୍ପାମୂଳକ ସହାୟତା ମଧ୍ୟ ସରକାର ପ୍ରଦାନ କରୁଛନ୍ତି । ଏହାଛଡ଼ା ଏମାନଙ୍କ ପିଲାଙ୍କ ପାଇଁ ଶିକ୍ଷାବୃତ୍ତି ଭଳି କାର୍ଯ୍ୟକ୍ରମ ମଧ୍ୟ ସରକାର ହାତକୁ ନେଉଛନ୍ତି ।
ଆଜିର ବୈଠକରେ ମୁଖ୍ୟଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ, ଉନ୍ନୟନ କମିଶନର ଅସିତ ତ୍ରିପାଠୀ, ଜଙ୍ଗଲ ଓ ପରିବେଶ ବିଭାଗ ସଚିବ ସୁରେଶ ମହାପାତ୍ର, କେନ୍ଦୁପତ୍ର କର୍ମଚାରୀ ସଂଘ ସଭାପତି ବିଜୟ ମହାନ୍ତି ଉପସ୍ଥିତ ଥିଲେ ।
ତେବେ ବୋନସ୍ ହ୍ରାସକୁ କେନ୍ଦୁପତ୍ର କର୍ମଚାରୀ ସଂଘ ସ୍ୱାଗତ କରିଛି । ସଂଘର ସଭାପତି ବିଜୟ ମହାନ୍ତି କହିଛନ୍ତି, କେନ୍ଦୁପତ୍ର ବେପାର ଏବର୍ଷ ପୂରା ମାନ୍ଦା । ଏପଟେ କେନ୍ଦ୍ର ସରକାର ଜିଏସ୍ଟି ଓ ଅନ୍ୟାନ୍ୟ ଟିକସ ବୃଦ୍ଧି କରିଛନ୍ତି । ଯାହା ଜଣାପଡ଼ୁଛି ଆସନ୍ତା ବର୍ଷ ବୋନସ୍ ଆଦୌ ମିଳିବ ନାହିଁ । କେନ୍ଦ୍ର ସରକାର କେନ୍ଦୁପତ୍ର ଉପରେ ଲଗାଇଥିବା ୧୮% ଜିଏସ୍ଟି ପ୍ରତ୍ୟାହାର କରିବାକୁ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଚିଠି ଲେଖିବାକୁ ସେ ଅନୁରୋଧ କରିଛନ୍ତି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
Comments are closed, but trackbacks and pingbacks are open.