କେନ୍ଦ୍ରକୁ ନବୀନଙ୍କ ଚିଠି:ଭୁବନେଶ୍ୱରକୁ ଅଧିକ ଆନ୍ତର୍ଜାତିକ ବିମାନ ଚଳାଅ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଓଡ଼ିଶାକୁ ଅଧିକରୁ ଅଧିକ ଆନ୍ତର୍ଜାତିକ ବିମାନ ଚଳାଚଳ ବ୍ୟବସ୍ଥା କରାଅ । ଏଥିପାଇଁ ଏୟାରଲାଇନ୍ସ କମ୍ପାନିଗୁଡ଼ିକୁ ରାଜ୍ୟ ସରକାର ସବୁ ପ୍ରକାର ଭିତ୍ତିଭୂମି ଓ ସହାୟତା ଯୋଗାଇ ଦେବେ । ବିମାନ ଚଳାଚଳଜନିତ କ୍ଷତି ଭରଣା ପାଇଁ କମ୍ପାନିକୁ ଆର୍ଥିକ ସହାୟତା ମଧ୍ୟ ଯୋଗାଇ ଦେବେ । କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ହରଦୀପ ସିଂହ ପୁରୀଙ୍କୁ ଏଭଳି ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦାବି କରିଛନ୍ତି, ଭୁବନେଶ୍ୱରକୁ ଇଣ୍ଟରନ୍ୟାସନାଲ ଡେଷ୍ଟିନେସନ କରିବା ଦିଗରେ ପଦକ୍ଷେପ ନିଆଯାଉ ।
ମୁଖ୍ୟମନ୍ତ୍ରୀ ଚିଠି ମାଧ୍ୟମରେ ଦର୍ଶାଇଛନ୍ତି, ବିମାନ ଚଳାଚଳ କ୍ଷେତ୍ରରେ ଓଡ଼ିଶା ଅନେକ ବାଟ ଆଗେଇଛି । ଭୁବନେଶ୍ୱର ପରେ ଝାରସୁଗୁଡ଼ାରୁ ମଧ୍ୟ ବିମାନ ଚଳାଚଳ ଆରମ୍ଭ ହୋଇଛି । ବର୍ତ୍ତମାନ ରାଜ୍ୟକୁ ବହୁସଂଖ୍ୟାରେ ଘରୋଇ ବିମାନ ଚଳାଚଳ କରୁଛି । ହେଲେ କେବଳ ଗୋଟିଏ ମାତ୍ର ଆନ୍ତର୍ଜାତିକ ବିମାନ ଭୁବନେଶ୍ୱରକୁ ସିଧାସଳଖ ଚଳାଚଳ କରୁଛି । ଯାହାକି ଚାହିଦା ତୁଳନାରେ ପର୍ଯ୍ୟାପ୍ତ ନୁହେଁ । ଓଡ଼ିଶାର ଯୁବଗୋÂୀ ଆଜି ଦେଶ ବିଦେଶର ଆଇଟି, ବିମାନ କମ୍ପାନି ଓ ବିଭିନ୍ନ ସାମଗ୍ରୀ ନିର୍ମାଣ କମ୍ପାନିରେ ଚାକିରି କରିଛନ୍ତି । ଆମେରିକା ଓ ୟୁରୋପରେ ରହି କାମ କରୁଛନ୍ତି । ବହୁ ସଂଖ୍ୟାରେ ଓଡ଼ିଆ ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକରେ କାମ କରୁଛନ୍ତି । ବିଶ୍ୱର ବିଭିନ୍ନ କୋଣ ଅନୁକୋଣରେ ଓଡ଼ିଆ ପହଞ୍ଚିଛନ୍ତି । ପ୍ରତିଭା, ଦକ୍ଷତା ଓ ବିଶ୍ୱାସ ଯୋଗ୍ୟ କାରଣରୁ ଓଡ଼ିଆ କର୍ମଚାରୀଙ୍କ ଚାହିଦା ସବୁଠି ରହିଛି । ସରକାରଙ୍କ ସ୍କିଲ୍ଡ ଇନ୍ ଓଡ଼ିଶା କାର୍ଯ୍ୟକ୍ରମର ସଫଳତା ଯୋଗୁ ରାଜ୍ୟରୁ ବହୁ ସଂଖ୍ୟକ ଦକ୍ଷ ଓ ତାଲିମପ୍ରାପ୍ତ ଯୁବଗୋÂୀ ସୃଷ୍ଟି ହେଉଛନ୍ତି । ଏସବୁ ଦିଗକୁ ଅନୁଧ୍ୟାନ କଲେ, ଭୁବନେଶ୍ୱରରୁ ଆନ୍ତର୍ଜାତିକ ବିମାନ ଚଳାଚଳ ବୃଦ୍ଧି କରାଯିବା ନିହାତି ଦରକାର ।
ସେ ଆହୁରି କହିଛନ୍ତି, ପର୍ଯ୍ୟଟନ କ୍ଷେତ୍ରରେ ଓଡ଼ିଶା ବେଶ୍ ଆକର୍ଷଣୀୟ । ଚିଲିକା, ଶିମିଳିପାଳ, ଭିତରକନିକା, ସାତକୋଶିଆ ସମେତ ବିସ୍ତୀର୍ଣ୍ଣ ସମୁଦ୍ର ବେଳାଭୂମି ପର୍ଯ୍ୟଟକଙ୍କୁ ସବୁବେଳେ ଆକର୍ଷିତ କରିଥାଏ । ଆନ୍ତର୍ଜାତିକ ବୁଦ୍ଧିଷ୍ଟ ସର୍କିଟରେ ମଧ୍ୟ ଓଡ଼ିଶା ସ୍ଥାନିତ ହୋଇଛି । ଆନ୍ତର୍ଜାତିକ ବିମାନ ସେବା ଉପଲବ୍ଧ ହେଲେ ଏସବୁ କ୍ଷେତ୍ର ନିଶ୍ଚିତ ଭାବେ ପର୍ଯ୍ୟଟକ ଓ ଟୁର ଅପରେଟରଙ୍କୁ ଆକୃଷ୍ଟ କରିବ । ଉଡାନ୍ ଯୋଜନାରେ ଖୁବଶୀଘ୍ର ରାଉରକେଲା ଓ ଜୟପୁରକୁ ବିମାନ ସେବା ଆରମ୍ଭ ହେବାକୁ ଯାଉଛି । ୨୦୨୩ରେ ରାଉରକେଲାରେ ବିଶ୍ୱକପ ହକି ମ୍ୟାଚ୍ ଆୟୋଜିତ ହେବ । ତେଣୁ ଦେଶ ବିଦେଶରୁ କ୍ରୀଡ଼ା ପ୍ରେମୀ ଆସିବେ । ଖାଲି ସେତିକି ନୁହେଁ, ସର୍ବାଧିକ ପୁଞ୍ଜି ନିବେଶ କ୍ଷେତ୍ରରେ ଓଡ଼ିଶାର ସ୍ଥାନ ଦେଶରେ ତୃତୀୟ । ବର୍ତ୍ତମାନ ମାନୁଫ୍ୟାକଚରିଂ ହବ୍ ଭାବେ ଓଡ଼ିଶା ଗଢ଼ି ଉଠୁଛି । ବିଦେଶୀ ପୁଞ୍ଜି ନିବେଶ ପାଇଁ ଏଠି ପର୍ଯ୍ୟାପ୍ତ ସୁଯୋଗ ଓ କଞ୍ଚା ମାଲ ରହିଛି ।
ନବୀନ ଲେଖିଛନ୍ତି, ଏତେ ସବୁ ଭିତ୍ତିଭୂମି ଓ ସୁବିଧା ସୁଯୋଗ ଥିବାବେଳେ ରାଜ୍ୟକୁ ଅଧିକ ଆନ୍ତର୍ଜାତିକ ବିମାନ ସେବା ଯୋଡ଼ି ହେବା ଆବଶ୍ୟକ । ତେଣୁ ପ୍ରମୁଖ ଏୟାରଲାଇନ୍ସ କମ୍ପାନିର ସିଇଓଙ୍କ ସହ କେନ୍ଦ୍ର ବେସମାରିକ ବିମାନ ଚଳାଚଳ ମନ୍ତ୍ରାଳୟର ଅଧିକାରୀମାନେ ଥରେ ଓଡ଼ିଶା ଆସି ଦେଖି ଯାଆନ୍ତୁ । ଏଠାକାର ଭିତ୍ତିଭୂମି ଓ ସୁଯୋଗ ବାବଦରେ ସେମାନଙ୍କୁ ଆମେ ଅବଗତ କରାଇବୁ । ଇଣ୍ଟରନ୍ୟାସନାଲ୍ ଡେଷ୍ଟିନେସନ୍ ହେବା ପାଇଁ ଭୁବନେଶ୍ୱରରେ କିଭଳି ସୁବିଧା ରହିଛି, ସେ ବାବଦରେ ଜଣାଇବୁ । କଥା ଦେଉଛୁ, ଆନ୍ତର୍ଜାତିକ ବିମାନ ଚଳାଚଳ ପାଇଁ ରାଜ୍ୟ ସରକାର ସବୁ ପ୍ରକାର ସହାୟତା ଯୋଗାଇ ଦେବେ ବୋଲି ନବୀନ ଭରସା ଦେଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons