ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରରେ ଧାରା ୩୭୦ ଉଚ୍ଛେଦ ପରେ ଲଗାଯାଇଥିବା କଟକଣା ଯୋଗୁ ଲୋକମାନେ ନ୍ୟାୟ ପାଇବା ପାଇଁ ହାଇକୋର୍ଟକୁ ଯାଇପାରୁନାହାନ୍ତି ବୋଲି ଆସିଥିବା ଅଭିଯୋଗ ଉପରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ସୁପି୍ରମକୋର୍ଟ । ଏ ସଂକ୍ରାନ୍ତରେ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ଠାରୁ ଏକ ରିପୋର୍ଟ ମାଗିଛନ୍ତି ସର୍ବୋଚ୍ଚ ଅଦାଲତ । ଆବଶ୍ୟକ ପଡ଼ିଲେ ସେ ନିଜେ ବ୍ୟକ୍ତିଗତ ଭାବେ ଜମ୍ମୁ-କାଶ୍ମୀର ପରିଦର୍ଶନରେ ଯିବେ ବୋଲି ସୁପି୍ରମକୋର୍ଟର ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ କହିଛନ୍ତି । କାଶ୍ମୀରରେ ତୁରନ୍ତ ସ୍ୱାଭାବିକ ସ୍ଥିତି ଫେରାଇ ଆଣିବାକୁ ସେ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇଛନ୍ତି ।
ପ୍ରଧାନ ବିଚାରପତି ଜଷ୍ଟିସ୍ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ଖଣ୍ଡପୀଠରେ ଜମ୍ମୁ-କାଶ୍ମୀର ପ୍ରସଙ୍ଗରେ ଆଗତ ୯ଟି ମାମଲା ଉପରେ ଆଜି ଶୁଣାଣି ହୋଇଥିଲା । ଖଣ୍ଡପୀଠର ଅନ୍ୟତମ ସଦସ୍ୟ ଥିଲେ ବିଚାରପତି ଏସ୍.ଏ ବୋବଡେ ଓ ଏସ୍.ଅବଦୁଲ ନାଜିର । ଶୁଣାଣି ବେଳେ ଶିଶୁ ଅଧିକାର ସୁରକ୍ଷା କାର୍ଯ୍ୟକର୍ତ୍ତା ଇନାକ୍ଷୀ ଗାଙ୍ଗୁଲି ଓ ଶାନ୍ତା ସିହ୍ନାଙ୍କ ପକ୍ଷରୁ ମାମଲା ଲଢ଼ୁଥିବା ଆଡଭୋକେଟ ହୁଫେଜା ଅହମ୍ମଦି ନିଜ ପକ୍ଷ ରଖିଥିଲେ । ସେ ଦର୍ଶାଇଥିଲେ ଯେ ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରାଯିବା ପରେ ୧୦ରୁ ୧୮ ବର୍ଷ ବୟସର ଶିଶୁମାନଙ୍କୁ ବେଆଇନ ଭାବେ ଜେଲ୍ରେ ଅଟକ ରଖାଯାଇଛି । ରାଜ୍ୟରେ କଟକଣା ଜାରି କରାଯାଇଥିବାରୁ ସେମାନେ ହାଇକୋର୍ଟକୁ ଆବେଦନ କରିବାକୁ ଯାଇପାରୁନାହାନ୍ତି । କଟକଣା ଯୋଗୁ ସାଧାରଣ ଲୋକେ ମଧ୍ୟ ଆପତ୍ତି ଅଭିଯୋଗ ନେଇ ହାଇକୋର୍ଟକୁ ଆସିପାରୁନାହାନ୍ତି ।
ଏହା ଉପରେ ପ୍ରଧାନ ବିଚାରପତି ଜଷ୍ଟିସ ଗୋଗୋଇ କହିଲେ ଯେ ଏହା ଗୁରୁତର ପ୍ରସଙ୍ଗ । ନ୍ୟାୟ ପ୍ରଦାନରେ ଯଦି ଲୋକଙ୍କୁ ଅସୁବିଧା ହେଉଥାଏ ତେବେ ତାହା ନିଶ୍ଚିତ ଭାବେ ଏକ ଗମ୍ଭୀର ମାମଲା । ଆବଶ୍ୟକ ପଡ଼ିଲେ ସେ ନିଜେ ବ୍ୟକ୍ତିଗତ ଭାବେ ଶ୍ରୀନଗର ଯିବେ ଏବଂ ସେଠାରେ ଲୋକମାନେ ହାଇକୋର୍ଟକୁ ଆସିବାରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି କି ନାହିଁ ତାର ତଦାରଖ କରିବେ । ଏହା ଉପରେ ସେ ଜମ୍ମୁ-କାଶ୍ମୀର ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ ରିପୋର୍ଟ ମାଗିଛନ୍ତି । ପଚାରିଛନ୍ତି ସାଧାରଣ ଲୋକେ କୋର୍ଟର ଦ୍ୱାରସ୍ଥ ହୋଇପାରୁଛନ୍ତି ନା ନାହିଁ? ଏହି ପ୍ରସଙ୍ଗରେ ସେ ନିଜେ ବ୍ୟକ୍ତିଗତ ଭାବେ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ସହ ଟେଲିଫୋନ୍ରେ କଥା ହେବେ ବୋଲି ମଧ୍ୟ ଜଷ୍ଟିସ ଗୋଗୋଇ କହିଛନ୍ତି । ଏଥିସହିତ ଜଷ୍ଟିସ ଗୋଗୋଇ ଆଡଭୋକେଟ ଅହମ୍ମଦିଙ୍କୁ କଡ଼ା ଚେତାବନୀ ଦେଇଛନ୍ତି । କହିଛନ୍ତି ସେ ଆଣିଥିବା ଅଭିଯୋଗ ଯଦି ଭୁଲ ପ୍ରମାଣିତ ହେବ ତେବେ ତାହାର ପରିଣତି ତାଙ୍କୁ ଭୋଗ କରିବାକୁ ପଡିବ ।
ସେହିଭଳି ଆଉ ଏକ ଆବେଦନ ଉପରେ ସୁପି୍ରମକୋର୍ଟ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିଛନ୍ତି । ଦୁଇ ସପ୍ତାହ ଭିତରେ ତାର ଜବାବ ଦେବାକୁ କୁହାଯାଇଛି । ଜମ୍ମୁ-କାଶ୍ମୀରରେ କ’ଣ ସବୁ ହେଉଛି ତାହା ଜାଣିବାକୁ ସୁପି୍ରମକୋର୍ଟ ଚାହିଁଛନ୍ତି । କହିଛନ୍ତି ଏହା ବହୁତ ସମ୍ବେଦନଶୀଳ ମାମଲା । ତେଣୁ ଜାତୀୟ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଯେତେ ଶୀଘ୍ର ସମ୍ଭବ ଜମ୍ମୁ-କାଶ୍ମୀରରେ ସ୍ୱାଭାବିକ ପରିସ୍ଥିତି ବଜାୟ ରଖିବାକୁ କେନ୍ଦ୍ର ସରକାର ଓ ରାଜ୍ୟ କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦେଇଛନ୍ତି । ଏଥିସହ ସମସ୍ତ ପ୍ରକାର କଲ୍ୟାଣମୂଳକ ଯୋଜନାର ସୁଫଳ ଯେପରି ଲୋକମାନେ ପାଇପାରିବେ ତାହା ସୁନିଶ୍ଚିତ କରିବାକୁ କହିଛନ୍ତି । ‘କାଶ୍ମୀର ଟାଇମ୍ସ’ର କାର୍ଯ୍ୟକାରୀ ସମ୍ପାଦକ ଅନୁରାଧା ଭାସିନଙ୍କ ପକ୍ଷରୁ ଆଗତ ପିଟିସନ ଉପରେ ସର୍ବୋଚ୍ଚ ଅଦାଲତ ଏହି ପରାମର୍ଶ ଦେଇଛନ୍ତି । ଭାସିନ କାଶ୍ମୀରରେ ଯୋଗାଯୋଗ ବ୍ୟବସ୍ଥା ଉପରେ ଲଗାଯାଇଥିବା କଟକଣା ହଟାଇବାକୁ ସରକାରଙ୍କୁ ନିଦେ୍ର୍ଧଶ ଦେବାକୁ ସୁପି୍ରମକୋର୍ଟଙ୍କୁ ନିବେଦନ କରିଥିଲେ ।
ଅନ୍ୟପକ୍ଷରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଟର୍ଣ୍ଣି ଜେନେରାଲ କେ.କେ ବେଣୁଗୋପାଳ ଦର୍ଶାଇଥିଲେ ଯେ କୌଣସି ଠାରେ ଗୁଳିଚାଳନା ହୋଇନାହିଁ । ଅବଶ୍ୟ କେତେକ ଅଞ୍ଚଳରେ କଟକଣା ରହିଛି । କିନ୍ତୁ କାଶ୍ମୀର ଡିଭିଜନରେ ଥିବା ୮୮ % ଥାନାଞ୍ଚଳରୁ କଟକଣା ହଟାଇ ଦିଆଯାଇଛି । କାଶ୍ମୀରରୁ ପ୍ରକାଶ ପାଉଥିବା ଖବରକାଗଜ ନିୟମିତ ବାହାରୁଛି । ଏ କ୍ଷେତ୍ରରେ ସରକାର ସମସ୍ତ ପ୍ରକାର ସହାୟତା କରୁଛନ୍ତି । ଦୂରଦର୍ଶନ ସମେତ ଅନ୍ୟ କେତେକ ଘରୋଇ ଟିଭି ଚ୍ୟାନେଲ ଓ ଏଫଏମ୍ ରେଡିଓର ମଧ୍ୟ ପ୍ରସାରଣ କରାଯାଉଛି । ତେବେ ସରକାର କ’ଣ ସବୁ ପଦକ୍ଷେପ ନେଇଛନ୍ତି ବା ନେଉଛନ୍ତି ତାହା ଏକ ସତ୍ୟପାଠ ମାଧ୍ୟମରେ କୋର୍ଟରେ ଦାଖଲ କରିବାକୁ ସର୍ବୋଚ୍ଚ ଅଦାଲତ ଆଟର୍ଣ୍ଣି ଜେନେରାଲଙ୍କୁ କହିଛନ୍ତି ।
ଅନ୍ୟ ଏକ ମାମଲାରେ ସୁପି୍ରମକୋର୍ଟ ଆଜି ବରିÂ କଂଗ୍ରେସ ନେତା ଗୁଲାମ ନବୀ ଆଜାଦଙ୍କୁ ଜମ୍ମୁ-କାଶ୍ମୀର ଗସ୍ତରେ ଯିବା ଲାଗି ଅନୁମତି ଦେଇଛନ୍ତି । ସେ ୪ଟି ଜିଲ୍ଲା ଯଥା ଜମ୍ମୁ, ବାରାମୁଲା, ଅନନ୍ତନାଗ ଓ ଶ୍ରୀନଗର ଗସ୍ତରେ ଯାଇପାରିବେ । ସେଠାକାର ଲୋକଙ୍କୁ ଭେଟି ସେମାନଙ୍କ ସହ ଆଲୋଚନା କରିପାରିବେ । କିନ୍ତୁ କୌଣସି ଠାରେ ସେ ରାଜନୈତିକ ରାଲି କରିପାରିବେ ନାହିଁ ବୋଲି କୋର୍ଟ ସର୍ତ୍ତ ରଖିଛନ୍ତି । ଏଥିସହ ରାଜ୍ୟରୁ ଫେରିବା ପରେ କୋର୍ଟଙ୍କୁ ରିପୋର୍ଟ କରିବାକୁ ତାଙ୍କୁ କୁହାଯାଇଛି । ଜମ୍ମୁ-କାଶ୍ମୀର ତାଙ୍କ ନିଜ ରାଜ୍ୟ ହୋଇଥିବାରୁ ସେଠାରେ ଥିବା ପରିବାର ସଦସ୍ୟଙ୍କ ଭଲ ମନ୍ଦ ବିଷୟରେ ବୁଝିବାକୁ ଯିବା ଲାଗି ତାଙ୍କୁ ଅନୁମତି ଦେବାକୁ ଆଜାଦ ସୁପି୍ରମକୋର୍ଟରେ ପିଟିସନ ଫାଇଲ କରିଥିଲେ । ସେଥିରେ ସେ ଦର୍ଶାଇଥିଲେ ଯେ ସେ ବ୍ୟକ୍ତିଗତ ଗସ୍ତରେ ଯିବେ । ଏହା ତାଙ୍କର କୌଣସି ରାଜନୈତିକ ଗସ୍ତ ହେବ ନାହିଁ । ପୂର୍ବରୁ ଆଜାଦ ଜମ୍ମୁ-କାଶ୍ମୀର ଯିବାକୁ ଉଦ୍ୟମ କରିଥିଲେ । କିନ୍ତୁ ସେ ଶ୍ରୀନଗର ବିମାନବନ୍ଦରରେ ପହଞ୍ଚôବା ପରେ ସେଠାରୁ ତାଙ୍କୁ ଦିଲ୍ଲୀ ଫେରାଇ ଦିଆଯାଇଥିଲା ।
Comments are closed, but trackbacks and pingbacks are open.