କେନ୍ଦ୍ରାପଡ଼ା,(ବି.ବି.ନ୍ୟୁଜ୍): କେନ୍ଦ୍ରାପଡ଼ା ସଦର ଥାନା ଅଧୀନ କଳପଡ଼ା ବ୍ରିଜ୍ ନିକଟରେ ଆଜି ରାତି ପ୍ରାୟ ୧୦ଟା ୩୦ ସମୟରେ ଗୁଳିକାଣ୍ଡ ଘଟିଛି । ଏଥିରେ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତ ବ୍ୟକ୍ତି ଦୁହେଁ ହେଲେ ସଦର ଥାନା ଅନ୍ତର୍ଗତ ମାର୍ଶାଘାଇ ବ୍ଲକ ଅଙ୍ଗୁଳାଇ ବରେଇର ବିନୋଦ ସାହୁ (୨୩) ଏବଂ ମାର୍ଶାଘାଇ ଥାନା ଅଧୀନ ବଛରାଇ ଗ୍ରାମର ରାଜେଶ ମୁଦୁଲି (୨୮) । ଉଭୟଙ୍କୁ ଗୁରୁତର ଅବସ୍ଥାରେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ବିନୋଦଙ୍କଠାରେ ୩ଟି ଗୁଳି ବାଜିଥିବାବେଳେ ରାଜେଶଙ୍କଠାରେ ଗୋଟିଏ ଗୁଳି ବାଜିଛି ।
ପୁଲିସ ସୂତ୍ରରୁ ପ୍ରକାଶ, ବିନୋଦ, ରାଜେଶ ଏବଂ ତାଙ୍କର ଅନ୍ୟ ଜଣେ ସହଯୋଗୀ କେନ୍ଦ୍ରାପଡ଼ା ଟାଉନ୍ ଥାନା କଜଳାର ରଞ୍ଜନ ଭୂୟାଁଙ୍କ ବାଇକ୍ ଯୋଗେ କଳପଡ଼ା ବ୍ରିଜ୍ରୁ ଘରକୁ ଫେରୁଥିଲେ । ତିନି ବନ୍ଧୁ ପ୍ରଥମେ କୌଣସି କାମରେ ମାର୍ଶାଘାଇ ଛକକୁ ଆସିଥିଲେ । ସେଠାରେ କାମ ସାରିବା ପରେ ଜୁଣ ଛକରେ ଯାଇ ଚା’ ପିଇଥିଲେ । ପୁଣି କ’ଣ ହେଲା ଜୁଣ ଛକରୁ ଘରକୁ ନଫେରି କେନ୍ଦ୍ରାପଡ଼ା ସହର ଉପକଣ୍ଠ କଳପଡ଼ା ବ୍ରିଜ୍ ଆଡକୁ ଆସିଥିଲେ । ଏହି ସମୟରେ ଏକ ବାଇକ୍ରେ ସେମାନଙ୍କୁ ପିଚ୍ଛା କରି ଆସୁଥିବା ୩ ଜଣ ଯୁବକ କଳାପଡ଼ା ପୋଲ ପାଖରେ ସେମାନଙ୍କୁ ଲକ୍ଷ୍ୟ କରି ଗୁଳିମାଡ଼ କରିଥିଲେ । ଏଥିରେ ବିନୋଦ ଓ ରାଜେଶଙ୍କଠାରେ ଗୁଳି ବାଜିଥିବା ବେଳେ ରଞ୍ଜନ ଗାଡି ଚଳାଉଥିବାରୁ ସେ ବର୍ତ୍ତି ଯାଇଥିଲେ । ଦୁର୍ବୃତ୍ତମାନେ ଗୁଳି କରିବା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ବିନେଦଙ୍କ ଛାତିରେ ଗୁଳି ବାଜିଥିବା ବେଳେ ରାଜେଶଙ୍କ ଅଣ୍ଟା ତଳକୁ ଗୁଳି ବାଜିଛି । ଖବର ପାଇ କେନ୍ଦ୍ରାପଡ଼ା ସଦର ଆଇଆଇସି ମହେଶ୍ୱର ସେଠୀ, ସ୍ପେଶାଲ ସ୍କ୍ୱାଡ୍ ଏସଆଇ ପି.କେ. କାନୁନଗୋ ଟିମ୍ ସହ ପହଞ୍ôଚ ଘଟଣାସ୍ଥଳରୁ ୩ ଜଣଙ୍କୁ ଉଦ୍ଧାର କରିଥିଲେ । ଗୁଳିକାଣ୍ଡର କାରଣ ସ୍ପଷ୍ଟ ହୋଇ ନଥିବାବେଳେ ଗ୍ୟାଙ୍ଗୱାରକୁ ନେଇ ଗୁଳିକାଣ୍ଡ ହୋଇଥିବା ସଦର ପୁଲିସ କହିଛି । ଦୁଇ ଆହତ ଏକ ନିର୍ଦ୍ଦିଷ୍ଟ ଗ୍ୟାଙ୍ଗର ବୋଲି ସୂଚନା ଦେଇଛନ୍ତି ସ୍ପେଶାଲ ସ୍କ୍ୱାଡ୍ ଏସଆଇ ଶ୍ରୀ କାନୁନଗୋ । ତେବେ ମମଲା ତଦନ୍ତାଧୀନ ଥିବା ଓ ଖୁବ୍ଶୀଘ୍ର ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ ପୋଲିସ କହିଛି ।
Comments are closed, but trackbacks and pingbacks are open.