କୋରାପୁଟ,(ସତ୍ୟ ନାରାୟଣ ସାହୁଙ୍କଠାରୁ): ସୁନାବେଡା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ବିଭିନ୍ନ ଅଣ୍ଡର ଗ୍ରାଜୁଏଟ୍, ପୋଷ୍ଟ ଗ୍ରାଜୁଏଟ୍, ଇଣ୍ଟିଗ୍ରେଟେଡ୍ ପୋଷ୍ଟ ଗ୍ରାଜୁଏଟ୍ ଓ ଗବେଷଣା କାର୍ଯ୍ୟକ୍ରମରେ ନାମଲେଖା ପାଇଁ ଅନଲାଇନ୍ ଆବେଦନ ଫର୍ମ ଦାଖଲ କରିବାର ଶେଷ ତାରିଖକୁ ଘୁଞ୍ଚାଇ ଦିଆଯାଇଛି । ୨୦ତାରିଖରେ ହେବାକୁ ଥିବା ଶେଷ ନାମଲେଖା ଆବେଦନକୁ ଆଗାମୀ ୩୦ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଯାଇଛି । ଛାତ୍ରଛାତ୍ରୀମାନେ ଶେଷ ତାରିଖ ପୂର୍ବରୁ ଆବେଦନ ଫର୍ମ ପୂରଣ କରି ଦାଖଲ କରିବାକୁ ଭାରପ୍ରାପ୍ତ କୁଳପତି ପ୍ରଫେସର ଶରତ କୁମାର ପଳିତା ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
ସ୍ଥାନୀୟ ଡିପିଏମୟୁ ସମ୍ମିଳନୀ କକ୍ଷରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପ୍ର. ପଳିତା କହିଛନ୍ତି, ଫଳାଫଳ ପ୍ରକାଶ ପାଇ ନଥିବା ଛାତ୍ରଛାତ୍ରୀମାନେ ଅନଲାଇନ୍ ମାଧ୍ୟମରେ ସେମାନଙ୍କ ନାମ ପଞ୍ଜୀକରଣ କରିପାରିବେ । ଶେଷ ତାରିଖ ପୂର୍ବରୁ ସିୟୁଓ ଅନଲାଇନ୍ ଆଡମିଶନ ପୋର୍ଟାଲରେ ଯୋଗ୍ୟତା ପରୀକ୍ଷାର ଶତକଡ଼ା ଅପଡେଟ୍ କରିବାକୁ ପଡିବ । ଏଥିପାଇଁ ବର୍ତ୍ତମାନ ସତ୍ୟପାଠ ବାଧ୍ୟତାମୂଳକ ନୁହେଁ । ଅବିଭକ୍ତ କୋରାପୁଟ ଜିଲ୍ଲାର ପ୍ରାର୍ଥୀମାନେ ଅତିରିକ୍ତ ୫ମାର୍କ ପାଇବେ । ତେଣୁ ଶେଷଦିନକୁ ଅପେକ୍ଷା ନକରି ଛାତ୍ରଛାତ୍ରୀ ତୁରନ୍ତ ଆବେଦନ କରିବାକୁ ସେ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି, ଚଳିତ ଶିକ୍ଷାବର୍ଷରେ ଏଠାରେ ୩୧ଟି ପାଠ୍ୟକ୍ରମ ପାଇଁ ଆବେଦନ କରାଯାଇପାରିବ । ଇଂରାଜୀ, ଓଡିଆ, ହିନ୍ଦୀ, ସଂସ୍କୃତ, ସମାଜବିଜ୍ଞାନ, ଅର୍ଥନୀତି, ସାମ୍ବାଦିକତା, ବିଜିନେସ୍ ଆଡମିନିଷ୍ଟେ୍ରସନ ଆଦିି ୨ବର୍ଷିଆ ସ୍ନାତକୋତ୍ତର ପାଠ୍ୟକ୍ରମ ରହିଛି । ସେହିପରି ୨ବର୍ଷିଆ ଏମଏସସି ପାଠ୍ୟକ୍ରମରେ ନୃତତ୍ତ୍ୱ, ଜୈବ ବିବିଧତା, ପରିସଂଖ୍ୟନ ଓ କମ୍ପୁ୍ୟଟର ବିଜ୍ଞାନ ଆଦି ବିଷୟ ରହିଛି । ଦୁଇବର୍ଷିଆ ୟୁଜି ପାଠ୍ୟକ୍ରମରେ ବିଏଡ୍ ଏବଂ ଗଣିତରେ ୫ବର୍ଷର ସମନ୍ୱିତ ଏମଏସସି ଅନ୍ତର୍ଭୁକ୍ତ ରହିଛି । ନୃତତ୍ତ୍ୱ, ଜୈବ ବିବିଧତା, ଅର୍ଥନୀତି, ଶିକ୍ଷା, ସାମ୍ବାଦିକତା, ଓଡିଆ, ସମାଜବିଜ୍ଞାନ, ପରିସଂଖ୍ୟନରେ ଏମ୍ଫିଲ୍ ଓ ନୃତତ୍ତ୍ୱ, ଜୈବ ବିବିଧତା, ଅର୍ଥନୀତି, ଶିକ୍ଷା, ସାମ୍ବାଦିକତା, ଓଡିଆ, ସମାଜବିଜ୍ଞାନ, ପରିସଂଖ୍ୟନ ଓ ଗଣିତରେ ପିଏଚଡି ପାଇଁ ଆବେଦନ କରାଯାଇପାରିବ ବୋଲି ପ୍ର. ପଳିତା ସୂଚନା ଦେଇଛନ୍ତି । ସାମ୍ବାଦିକ ସମ୍ମିଳନୀରେ କୁଳସଚିବ ଅସିତକୁମାର ଦାସ, ପରୀକ୍ଷା ନିୟନ୍ତ୍ରକ ଡ.ରାମଶଙ୍କର, ଲୋକସମ୍ପର୍କ ଅଧିକାରୀ ଡ.ଫଗୁନାଥ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ ।


Comments are closed, but trackbacks and pingbacks are open.