କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାଏଙ୍କୁ ସମ୍ବର୍ଦ୍ଧନା

Get real time updates directly on you device, subscribe now.

କଟକ,(ବି.ବି.ନ୍ୟୁଜ୍): ଦେଶରେ ନକ୍ସଲବାଦ ଉପରେ ରୋକ୍ ଲଗାଇବା କେନ୍ଦ୍ର ସରକାରଙ୍କ ପ୍ରାଥମିକତା । ସେଥିପାଇଁ ଯେଉଁ ରାଜ୍ୟ ଗୁଡ଼ିକ ନକ୍ସଲ ପ୍ରଭାବିତ ହୋଇରହିଛି, ସେସବୁକୁ ପର୍ଯ୍ୟାପ୍ତ କେନ୍ଦ୍ରୀୟ ଫୋର୍ସ ପ୍ରଦାନ କରାଯାଉଛି । ଏନେଇ ପ୍ରଚୁର ଅର୍ଥ ମଧ୍ୟ କେନ୍ଦ୍ର ସରକାର ପ୍ରଦାନ କରୁଛନ୍ତି । ବିଭିନ୍ନ ରାଜ୍ୟ ପୁଲିସ ସହିତ କେନ୍ଦ୍ରୀୟ ଫୋର୍ସ ସମନ୍ୱୟର ସହିତ କାମ କରୁଛନ୍ତି । ଫଳସ୍ୱରୂପ ଦିନକୁ ଦିନ ନକ୍ସଲ କାର୍ଯ୍ୟକଳାପ ନିୟନ୍ତ୍ରଣକୁ ଆସୁଛି । ନକ୍ସଲ ସମସ୍ୟାର ମୂଳୋତ୍ପାଟନ ପାଇଁ କେନ୍ଦ୍ର ପକ୍ଷରୁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ ହୋଇଛି । ଖୁବ୍ଶୀଘ୍ର ଏହାର ଫଳ ଦେଶତମାମ୍ ଅନୁଭୂତ ହେବ । – କଟକ ବୟାଳିଶମୌଜାଠାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଏଭଳି ସୂଚନା ଦେଇଛନ୍ତି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାଏ ।
ଉକ୍ରଳ ଯାଦବ ମହାସଭା ଆନୁକୂଲ୍ୟରେ ବୟାଳିଶମୌଜା ଶ୍ରୀକୃଷ୍ଣବିହାରରେ ମନ୍ତ୍ରୀ ଶ୍ରୀ ରାଏଙ୍କୁ ସମ୍ବର୍ଦ୍ଧନା ଦେବା ପାଇଁ ଆଜି ଏକ ସଭା ଆୟୋଜିତ ହୋଇଥିଲା । ମହାସଭାର ସଭାପତି ଆଶୀର୍ବାଦ ବେହେରାଙ୍କ ଅଧ୍ୟକ୍ଷତାରେ ଏହି ସମାବେଶରେ ଶ୍ରୀ ରାଏଙ୍କୁ ଭବ୍ୟ ସମ୍ୱର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଏହି ଅବସରରେ ଶ୍ରୀ ରାଏ କହିଥିଲେ, ଦେଶର ବିଭିନ୍ନ ପ୍ରାନ୍ତରେ ଶିଶୁ ଯୌନ ନିର୍ଯାତନା ବଢ଼ୁଥିବା ଖବର ଆସୁଛି । ଏହା ଚିନ୍ତାଜନକ । ମାତ୍ର ପୂର୍ବ ଅପେକ୍ଷା ଥାନାରେ ମାମଲା ସଂଖ୍ୟା ମଧ୍ୟ ବଢୁଛି । ପୀଡ଼ିତା ଓ ପୀଡ଼ିତାଙ୍କ ପରିବାରକୁ ମିଳୁଥିବା ସୁରକ୍ଷା, ପୁଲିସ ତଥା ଆଇନ ଉପରେ ସାଧାରଣ ଲୋକଙ୍କ ଭରସା ବଢୁଛି । ଏଥିପାଇଁ ମାମଲା ସଂଖ୍ୟା ବଢ଼ିବାରେ ଲାଗିଛି । ଏହାକୁ ସକାରାତ୍ମକ ଭାବେ ଗ୍ରହଣ କଲେ, ମାମଲା ସଂଖ୍ୟା ବଢ଼ିବା ଦ୍ୱାରା ଦୋଷୀମାନେ ମଧ୍ୟ ଅଧିକ ସଂଖ୍ୟାରେ ଦଣ୍ଡ ପାଇବେ ବୋଲି ଶ୍ରୀ ରାଏ ମତ ଦେଇଥିଲେ । ସମାବେଶ ପୂର୍ବରୁ ଯୁବ ଯାଦବ ମହାସଭାର ଶତାଧିକ ଯୁବକ ଖାନନଗର ଠାରୁ ବାଇକ୍ ଶୋଭାଯାତ୍ରାରେ ଶ୍ରୀ ରାଏଙ୍କୁ ସଭାସ୍ଥଳକୁ ପାଛୋଟି ନେଇଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ମହାସଭାର ରାଜ୍ୟ କାର୍ଯ୍ୟକାରୀ ସଭାପତି ସୁବାସ ଚନ୍ଦ୍ର ବେହେରା, ଉପସଭାପତି ପ୍ରଫୁଲ୍ଲ ଦାସ, ମହିଳା ସଭାନେତ୍ରୀ ଗୀତାରାଣୀ ଦାସ ଓ ମୁଖ୍ୟ ଉପଦେଷ୍ଟା ଧର୍ମାନନ୍ଦ ବେହେରା ପ୍ରମୁଖ ଯୋଗଦେଇ ଯାଦବ ମହାସଭାର ଭବିଷ୍ୟତ ତଥା ଯୁବ ନେତୃତ୍ୱ ଉପରେ ଆଲୋକପାତ କରିଥିଲେ । କେନ୍ଦ୍ରମନ୍ତ୍ରୀ ଶ୍ରୀ ରାଏ ଯାଦବ ମହାସଭାର ସାଂଗଠନିକ ଅଭିବୃଦ୍ଧି, ଐତିହ୍ୟ ଓ ଅଧିକାର ଉପରେ ଗୁରୁତ୍ୱାରୋପ କରିବା ସହିତ ଯାଦବମାନଙ୍କ ରାଜନୈତିକ ଶକ୍ତିର ଅଭିବୃଦ୍ଧି ପାଇଁ ଆହ୍ୱାନ ଦେଇଥିଲେ । ସେହପରି ଶ୍ରୀକୃଷ୍ଣବିହାର ଉନ୍ନୟନ ପରିଷଦ, ରାଧାମାଧବ ମହିଳା ସମିତି ତଥା ବିଭିନ୍ନ ଯାଦବ ସଂଗଠନ ପକ୍ଷରୁ ଶ୍ରୀ ରାଏଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମର୍ଦ୍ଧିତ କରାଯାଇଥିଲା । ରାଜ୍ୟ ଯୁବ ଯାଦବ ମହାସଭାର ସଭାପତି ଇଂ. ପ୍ରଦୀପ କୁମାର ବେହେରା କାର୍ଯ୍ୟକ୍ରମ ସଂଚାଳନ କରିଥିଲେ । ସାଧାରଣ ସମ୍ପାଦକ ପ୍ରଦୀପ ବେହେରା ଧନ୍ୟବାଦ ଦେଇଥିଲେ । ଏହି ଅବସରରେ ସ୍ଥାନୀୟ ଅଞ୍ଚଳରେ ନିର୍ମାଣ ହୋଇଥିବା ନୂତନ ବିବାହ ମଣ୍ଡପ ଓ ଯଶୋଦା ଗାର୍ଡେନ ଉଦ୍ଘାଟିତ ହୋଇଥିଲା । ମନ୍ତ୍ରୀ ଶ୍ରୀ ରାଏ ତୃଣମୂଳ ସ୍ତରରୁ ବିଭିନ୍ନ ସଂଗଠନ ସହ ଜଡିତ ରହିବା ସହ ବିହାର ହାଜିପୁରରୁ ୪ଥର ଲଗାତାର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ସେ ଉଜିଆରପୁରରୁ ସାଂସଦ ଭାବେ ଚଳିତ ଥର ନିର୍ବାଚିତ ହୋଇ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସାମିଲ୍ ହୋଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons