କେନ୍ଦ୍ର ବଜେଟ୍ରେ ଉଚ୍ଚଶିକ୍ଷା ବ୍ୟୟବରାଦ ବଢୁ: ମନ୍ତ୍ରୀ ଡ. ଅରୁଣ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବ୍ୟୁରୋ): କେନ୍ଦ୍ର ବଜେଟ୍ରେ ମାନବ ସମ୍ବଳ ବିକାଶ ପାଇଁ ମାତ୍ର ୩ ପ୍ରତିଶତ ବ୍ୟୟବରାଦ ରହିଛି । ଏହି ଅର୍ଥ ଉଭୟ ଗଣଶିକ୍ଷା ଓ ଉଚ୍ଚଶିକ୍ଷା ପାଇଁ ଖର୍ଚ୍ଚ ହେଉଛି । ତେଣୁ କେନ୍ଦ୍ର ବଜେଟ୍ରେ ମାନବ ସମ୍ବଳ ବିକାଶ ପାଇଁ ବିଶେଷ କରି ଉଚ୍ଚଶିକ୍ଷା ବାବଦରେ ବ୍ୟୟବରାଦ ବଢୁ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତି ।
ବୁଧବାର ଇମେଜ୍ ପରିସରରେ ଜାତୀୟ ଶିକ୍ଷାନୀତି ସମ୍ପର୍କିତ ରାଜ୍ୟସ୍ତରୀୟ ପରାମର୍ଶଦାତା ବୈଠକ ଅନୁଷ୍ଠିତ ହୋଇଯାଇଛି । ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଅନୁଷ୍ଠିତ ଏହି କର୍ମଶାଳାରେ ଯୋଗଦେଇ ମନ୍ତ୍ରୀ ଡ. ସାହୁ କହିଲେ, କେନ୍ଦ୍ର ସରକାର ‘ଜାତୀୟ ଶିକ୍ଷାନୀତି ୨୦୧୯’ ପ୍ରଣୟନ କରୁଛନ୍ତି । ଶିକ୍ଷାନୀତି ପ୍ରସ୍ତୁତ ହେବା ପୂର୍ବରୁ ତାହାର ଚିଠା ପ୍ରସ୍ତାବ ରାଜ୍ୟ ସରକାରଙ୍କ ନିକଟକୁ ପଠାଇଛନ୍ତି । ଆବଶ୍ୟକ ପରାମର୍ଶ ଦେବାକୁ କହିଛନ୍ତି । ରାଜ୍ୟ ସରକାର ଅନ୍ୟ ରାଜ୍ୟଗୁଡିକ ତୁଳନାରେ ଆଗୁଆ ଜାତୀୟ ଶିକ୍ଷାନୀତି ସମ୍ପର୍କିତ ରାଜ୍ୟସ୍ତରୀୟ ପରାମର୍ଶଦାତା ବୈଠକ ଆୟୋଜିତ କରିଛି । ବୈଠକରେ ବିଭିନ୍ନ ସରକାରୀ ଓ ବେସରକାରୀ ବିଶ୍ୱବିଦ୍ୟାଳୟର କୁଳପତି, ପୂର୍ବତନ କୁଳପତି, ମହାବିଦ୍ୟାଳୟଗୁଡିକର ଅଧ୍ୟକ୍ଷ/ଅଧ୍ୟକ୍ଷା, ପୂର୍ବତନ ଅଧ୍ୟକ୍ଷ/ଅଧ୍ୟକ୍ଷା, ରାଜ୍ୟର ବିଭିନ୍ନ ଅଞ୍ଚଳର ଶିକ୍ଷାବିତ୍, ବିଦ୍ୱାନ, ଶିକ୍ଷା ପ୍ରଶାସକ ପ୍ରମୁଖଙ୍କ ପରାମର୍ଶ ଲୋଡ଼ା ଯାଇଛି । ତେବେ ରାଜ୍ୟର ଛାତ୍ରଛାତ୍ରୀ, ଅଭିଭାବକ, ଅଧ୍ୟାପକ ବିଶେଷକରି ଉଚ୍ଚଶିକ୍ଷାର ବିକାଶ ପାଇଁ ଯାହା ଭଲ ସେହି ଭଳି ପ୍ରସ୍ତାବ ଜାତୀୟ ଶିକ୍ଷାନୀତି ବାବଦରେ କେନ୍ଦ୍ରକୁ ଦିଆଯିବ ବୋଲି ମନ୍ତ୍ରୀ ଡ. ସାହୁ କହିଛନ୍ତି । ଓଡ଼ିଶା ତରଫରୁ ଏଭଳି ପ୍ରସ୍ତାବ ଦିଆଯିବ ଯାହା ଦେଖିଲେ ଅନ୍ୟ ରାଜ୍ୟମାନେ ସେମାନଙ୍କ ମନକଥା କୁହାଯାଇଛି ବୋଲି କହିବେ । ବିଶେଷକରି ପୂର୍ବ ଭାରତରେ ଉଚ୍ଚଶିକ୍ଷା କ୍ଷେତ୍ରରେ ଓଡ଼ିଶା ‘ଶିକ୍ଷା ହବ୍’ ଭାବେ ପରିଚୟ ସୃଷ୍ଟି କରିଛି । ଏଠାରେ ସଂସ୍କୃତ, ସଂସ୍କୃତି, ଓଡ଼ିଆ, କୃଷି, ଯାନ୍ତ୍ରିକ ବିଦ୍ୟା, ମୌଳିକ ବିଜ୍ଞାନ, ଭେଷଜ ଶାସ୍ତ୍ର, ଆଇନ, ମ୍ୟାନେଜମେଣ୍ଟ, ପ୍ରଯୁକ୍ତିବିଦ୍ୟା ପାଠ୍ୟକ୍ରମ, କେନ୍ଦ୍ରୀୟ, ମହିଳା, ଏକକ ମାନ୍ୟତାପ୍ରାପ୍ତ ଭଳି ବହୁ ଉଚ୍ଚଶିକ୍ଷା ଅନୁଷ୍ଠାନ ରହିଛି । ଏହାବ୍ୟତୀତ ରାଜ୍ୟରେ ଗ୍ରାମ୍ୟ ଓ ଜନଜାତି ବିଶ୍ୱବିଦ୍ୟାଳୟ ପାଇଁ ଦାବି ହେଉଛି । ଚିଠା ଜାତୀୟ ଶିକ୍ଷାନୀତି ୨୦୧୯ ପ୍ରସ୍ତୁତି ବେଳେ ଓଡ଼ିଶାର ମତାମତର ଯଥେଷ୍ଟ ଗୁରୁତ୍ୱ ରହିଛି ବୋଲି ସେ କହିଛନ୍ତି । ଜାତୀୟ ଶିକ୍ଷାନୀତି ଚିଠା ପ୍ରସ୍ତାବର ସଂଶୋଧନ, ପରିବର୍ତ୍ତନ ଓ ସମ୍ପ୍ରସାରଣରେ ଓଡ଼ିଶାର ଅବଦାନ ଓ ପ୍ରତିନିଧିତ୍ୱ ରହିବ ବୋଲି ମନ୍ତ୍ରୀ ଡ. ସାହୁ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons