ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଓଡ଼ିଶା ଓ ଓଡ଼ିଆଙ୍କ ପାଇଁ ଗର୍ବର ବିଷୟ । ଚଳିତ ବର୍ଷ ଓଡ଼ିଶାରୁ ଦୁଇଜଣ ଓଡ଼ିଆ ପାଇବେ ସମ୍ମାନଜନକ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର । ଓଡ଼ିଆ ଭାଷା ପାଇଁ ଖ୍ୟାତନାମା ଲେଖକ ତରୁଣକାନ୍ତି ମିଶ୍ରଙ୍କୁ ତାଙ୍କର କ୍ଷୁଦ୍ରଗଳ୍ପ ସଙ୍କଳନ ‘ଭାସ୍ୱତୀ’ ପାଇଁ ଏହି ପୁରସ୍କାର ପ୍ରଦାନ କରାଯିବ । ସେହିପରି ସାନ୍ତାଳୀ ଭାଷା ଲାଗି ଚଳିତ ବର୍ଷର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି କାଳୀଚରଣ ହେମ୍ବ୍ରମ୍ । ସେ ସାନ୍ତାଳୀ ଭାଷାରେ ଲିଖିତ ତାଙ୍କର କ୍ଷୁଦ୍ରଗଳ୍ପ ‘ଶିଶିରଜାଲି’ ପାଇଁ ଏହି ପୁରସ୍କାର ପାଇବେ । ଏ ସମ୍ପର୍କରେ ଆଜି କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ବିଧିବଦ୍ଧ ଭାବେ ଘୋଷଣା ହୋଇଛି । ଉଭୟଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁଭେଚ୍ଛା ଜଣାଇଛନ୍ତି । ଟ୍ୱିଟରରେ ଟ୍ୱିଟ୍ କରି ଦୁଇ ଉଚ୍ଚକୋଟୀର ଲେଖକଙ୍କୁ ପ୍ରଶଂସା କରିଛନ୍ତି ।
୨ ଅଗଷ୍ଟ, ୧୯୫୦ ମସିହାରେ କେନ୍ଦୁଝରରେ ଜନ୍ମିତ ଯୁଧିଷ୍ଟିର ମିଶ୍ର ଓ ତିଳୋତ୍ତମ ମିଶ୍ରଙ୍କ ସୁପୁତ୍ର ତରୁଣକାନ୍ତି ମିଶ୍ର । ଅର୍ଥନୀତିରେ ଉକ୍ରଳ ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ପାସ୍ କରିବା ପରେ ୟୁନିଭର୍ସିଟି ଅଫ୍ ଇଷ୍ଟ ଆଙ୍ଗଲିଆରୁ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ଉତ୍ତର ଓଡ଼ିଶା ବିଶ୍ୱାବିଦ୍ୟାଳୟ ଡିଲିଟ୍ ଉପାଧି ପାପ୍ତ ହୋଇଛନ୍ତି । ୨୦୦୯ ମସିହାରେ ଶ୍ରେÂ ପ୍ରଶାସକ ଭାବେ ‘ଥିଙ୍କ୍ ଓଡ଼ିଶା ଲିଡର୍ସିପ୍ ଆୱାର୍ଡ’ ପାଇଛନ୍ତି । ୧୯୭୫ ମସିହାରେ ଭାରତୀୟ ପ୍ରଶାସନିକ ସେବାରେ ଯୋଗଦେଇ ବିଭିନ୍ନ ୧୦ଟି ଗୁରୁତ୍ୱପୂର୍ଣ୍ଣ ବିଭାଗରେ ଦକ୍ଷତାର ସହ ଦାୟିତ୍ୱ ତୁଲାଇ ୨୦୧୦ରେ ଓଡ଼ିଶାର ମୁଖ୍ୟ ସଚିବ ଭାବେ ଅବସର ଗ୍ରହଣ କରିଛନ୍ତି । ପରେ ରାଜ୍ୟର ମୁଖ୍ୟ ସୂଚନା କମିଶନର ଭାବେ ସଫଳତାର ସହ କାର୍ଯ୍ୟ ତୁଲାଇଛନ୍ତି । ପ୍ରଶାସନିକ ସେବାରେ ଜଣେ କର୍ତ୍ତବ୍ୟନିÂ ଅଧିକାରୀ ଭାବେ ଯେଉଁଭଳି ଉଲ୍ଳେଖନୀୟ ପଦକ୍ଷେପ ଗ୍ରହଣ କରିଛନ୍ତି ସେହିଭଳି ସାହିତ୍ୟ ରଚନା ଦିଗରେ ସାରସ୍ୱତ ବାଣୀଭଣ୍ଡାରକୁ ସମୃଦ୍ଧ କରିଛନ୍ତି । ସ୍କୁଲରେ ପଢ଼ିବା ସମୟରେ ତାଙ୍କ ରଚିତ ଅନେକ କ୍ଷୁଦ୍ର ଗଳ୍ପ ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶ ପାଇଛି । ୧୯୬୮ରେ ତାଙ୍କ ପ୍ରଥମ ରଚନା ପ୍ରକାଶ ପାଏ । ଏଯାବତ୍ ୨୫୦ରୁ ଅଧିକ ଲେଖା ପ୍ରକାଶ ପାଇସାରିଲାଣି । ତାଙ୍କର ଦଣ୍ଡକାରଣ୍ୟ ସମ୍ପର୍କିତ ଏକ ଲେଖା ବିଶେଷ ଚର୍ଚ୍ଚାରେ ରହିଆସିଛି । ଶ୍ରୀ ମିଶ୍ରଙ୍କ ରଚିତ ପୁସ୍ତକଗୁଡ଼ିକ ମଧ୍ୟରେ, ‘ଆଜି ରାତିର ଗଳ୍ପ’, ‘ବହୁବ୍ରୀହି’, ‘ଭାସ୍ୱତୀ’, ‘ଇତ୍ନୀ ଦୂର’, ‘ଜହ୍ନ ରାତିର ଗପ ସରିନାହିଁ’, ‘ଲୁବ୍ଧକର ରାତି’, ‘ନିର୍ବାଚିତ ଗଳ୍ପ’, ‘ରଜନୀଗନ୍ଧା’, ‘ସକାଳର ମାନଚିତ୍ର’, ‘ସଂବହନ’, ‘ଶରଦଃ ଶତମ୍’ ଓ ‘ବୀତଂସ’ ଆଦି ଅନ୍ୟତମ ।
ସେହିପରି କାଳୀଚରଣ ହେମ୍ବ୍ରମ୍ ଜଣେ ଓଡ଼ିଆ, ଯିଏକି ସାନ୍ତାଳୀ ଭାଷାର ଜଣେ ପ୍ରତିÂିତ ଲେଖକ । ଶ୍ରୀ ହେମ୍ବ୍ରମ୍ ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାରେ ୧୯୬୦ ମସିହାରେ ଜନ୍ମ ଗ୍ରହଣ କରିଛନ୍ତି । ରାଜଧାନୀ ଭୁବନେଶ୍ୱରରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦରେ ସେକ୍ସନ୍ ଅଫିସର ଭାବେ କାର୍ଯ୍ୟରତ ଅଛନ୍ତି । ଶ୍ରୀ ହେମ୍ବ୍ରମ୍ ଓଡ଼ିଆ ସମେତ ସାନ୍ତାଳୀ ଭାଷାରେ ବହୁ କ୍ଷୁଦ୍ରଗଳ୍ପ, ନାଟକ ରଚନା କରିବା ସହ ସାନ୍ତାଳୀ ଭାଷାର ଜଣେ ପ୍ରତିÂିତ ଲେଖକ ଭାବେ ସୁଖ୍ୟାତି ଅର୍ଜନ କରିଛନ୍ତି । ସେ ସାନ୍ତାଳୀ ଭାଷାରେ ନିର୍ମିତ ଫିଚର୍ ଫିଲ୍ମ ପାଇଁ ମଧ୍ୟ କାହାଣୀ ଲେଖିଛନ୍ତି ।
ସାହିତ୍ୟ ଏକାଡେମୀର ସଭାପତି ଡ. ଚନ୍ଦ୍ରଶେଖର କମ୍ବରଙ୍କ ଅଧ୍ୟକ୍ଷତାରେ ଆଜି ନୂଆଦିଲ୍ଲୀ ଠାରେ ଅନୁÂିତ ହୋଇଥିବା ଏକାଡେମୀର କାର୍ଯ୍ୟକାରୀ କମିଟି ବୈଠକରେ ଓଡ଼ିଆ ସମେତ ୨୩ଟି ଭାରତୀୟ ଭାଷା ପାଇଁ ଚଳିତ ବର୍ଷର ଏକାଡେମୀ ପୁରସ୍କାର ଘୋଷଣା କରାଯାଇଛି । ଏକାଡେମୀ ପୁରସ୍କାର ନିମନ୍ତେ ମନୋନୀତ ହୋଇଥିବା ପୁସ୍ତକଗୁଡ଼ିକ ମଧ୍ୟରେ ୭ଟି କବିତା ଗ୍ରନ୍ଥ, ୬ଟି କ୍ଷୁଦ୍ରଗଳ୍ପ ସଙ୍କଳନ, ୪ଟି ଉପନ୍ୟାସ, ୩ଟି ପ୍ରବନ୍ଧ ସଙ୍କଳନ ଏବଂ ଅଣଫିକ୍ସନ, ଆତ୍ମଜୀବନୀ ଓ ଜୀବନୀ ଗ୍ରନ୍ଥ ରହିଥିବା ଏକାଡେମୀ ପକ୍ଷରୁ ସୂଚନା ଦିଆଯାଇଛି । ଆସନ୍ତା ୨୫ ଫେବ୍ରୁଆରୀ, ୨୦୨୦ରେ ନୂଆଦିଲ୍ଲୀଠାରେ ଆୟୋଜିତ ହେବାକୁ ଥିବା ଏକ ସ୍ୱତନ୍ତ୍ର ଉତ୍ସବରେ ଏକାଡେମୀ ପକ୍ଷରୁ ଏହି ପୁରସ୍କାର ପ୍ରଦାନ କରାଯିବ । ପୁରସ୍କାର ଆକାରରେ ଏକ ତାମ୍ରଫଳକ ସହ ୧ଲକ୍ଷ ଟଙ୍କାର ନଗଦ ପୁରସ୍କାର ରାଶି କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ପ୍ରଦାନ କରାଯିବ ।
ଚଳିତ ବର୍ଷର ଓଡ଼ିଆ ଭାଷା ପାଇଁ ଏକାଡେମୀ ପୁରସ୍କାର ବିଜେତାଙ୍କୁ ବାଛିବା ପାଇଁ ତିନିଜଣିଆ ଜୁରି ବା ବିଚାରକ ମଣ୍ଡଳିରେ ଡ. ମାଳବିକା ରାୟ, ଡ. ଫନୀ ମହାନ୍ତି ଓ ଡ. ପ୍ରଫୁଲ୍ଲ କୁମାର ମହାନ୍ତି ରହିଥିଲେ । ସେହିପରି ସାନ୍ତାଳୀ ଭାଷା ପାଇଁ ଏକାଡେମୀ ପୁରସ୍କାର ବିଜେତାଙ୍କୁ ବାଛିବା ପାଇଁ ଜୁରି ବା ବିଚାରକ ମଣ୍ଡଳିରେ ଅର୍ଜୁନ ଚରଣ ହେମ୍ବ୍ରମ୍, ଭୂଜଙ୍ଗ ଟୁଡୁ, ଗଙ୍ଗାଧର ହାଂସଦା ରହିଥିଲେ ।
Comments are closed, but trackbacks and pingbacks are open.