କେବେବି ଭାବିନଥିଲେ ଏଭଳି ସ୍ଥିତି ଆସିବ

Get real time updates directly on you device, subscribe now.

ସୁନ୍ଦରଗଡ଼, (ବି.ବି.ନୁ୍ୟଜ୍): ଘରର ପରିସ୍ଥିତି ଭଲ ନୁହେଁ । ନିଜ ଅଞ୍ଚଳ, ନିଜ ପେଟ ସହ ପରିବାର ପୋଷଣ ପାଇଁ ରୋଜଗାରଟିଏ ପାଇଲେନି । ଶେଷରେ ନିଷ୍ପତ୍ତି ନେଲେ ଦାଦନ ଖଟିବାକୁ ଅନ୍ୟ ରାଜ୍ୟକୁ ଯିବାକୁ ଏବଂ ଗାଁରେ ଛାଡ଼ି ଯାଉଥିବା ପରିବାର ସଦସ୍ୟଙ୍କୁ ଦୂରରେ ରହି ସୁଦ୍ଧା ଖାଇବାକୁ, ପିନ୍ଧିବାକୁ ଦେଇ ଭଲରେ ରଖିବା ସହ ଛୁଆପିଲାଙ୍କ ଭବିଷ୍ୟତ ଗଢ଼ିବାକୁ । ଘରୁ ଆସି ଶହ ଶହ କିଲୋମିଟର ଦୂରରେ ରହିଲେ । କମ୍ପାନି ପକ୍ଷରୁ ନିୟୋଜିତ ଠିକାଦାରଙ୍କ ଅଧିନରେ ରହି ବର୍ଷ ବର୍ଷ ଧରି କାର୍ଯ୍ୟ ମଧ୍ୟ କଲେ । ରୋଜଗାର କରି ନିଜେ ଚଳିବା ସହ ନିୟମିତ ଭାବେ ଗାଁରେ ଥିବା ପରିବାର ପାଖକୁ ଟଙ୍କା ପଠାଇଲେ । ହେଲେ ଅଚାନକ ଭାବେ କରୋନାର ପ୍ରବେଶ ଯୋଗୁଁ ସେମାନଙ୍କ ସ୍ୱପ୍ନ ଭାଙ୍ଗିଗଲା । ଶେଷରେ ଅନ୍ୟ ଉପାୟ ନପାଇ ଭୋକ ଶୋଷରେ ପାଦରେ ଚାଲି ଚାଲି ନିଜ ରାଜ୍ୟ ନିଜ ଘରକୁ ଫେରିବାକୁ ନିଷ୍ପତ୍ତି ନେଲେ । ଏପରି ଘଟଣା ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁର, କାଂସବାହାଲ ଓ କୁତ୍ରା ଅଞ୍ଚଳରେ । ଏଠାରେ ଥିବା ଛୋଟେ ବଡ଼ ବିଭିନ୍ନ କଳ କାରଖାନାରେ କାର୍ଯ୍ୟ କରୁଥିବା ଅନେକ ପ୍ରବାସୀ ଶ୍ରମିକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଝାଡଖଣ୍ଡ ରାଜ୍ୟ ସୀମଡେଗା ଏବଂ ଛତିଶଗଡ଼ ରାଜ୍ୟର ରାୟଗଡ଼ ଅଞ୍ଚଳର ଅନେକ ଶ୍ରମିକ ଦାଦନ ଖଟିବାକୁ ଏଠାକୁ ଆସିଥିଲେ । ହେଲେ କରୋନା ଭୂତାଣୁ ସଂକ୍ରମଣ ଜନିତ ଲକ୍ଡାଉନ୍ ପରିସ୍ଥିତିରେ ହରାଇ ବସିଲେ କାର୍ଯ୍ୟ । ଭାବି ଥିଲେ କିଛି ଦିନ ପରେ ସ୍ଥିତିରେ ସୁଧାର ଆସିବ । ପରେ ପୁଣି କାର୍ଯ୍ୟ ଆରମ୍ଭ ହେବ । ହେଲେ ପୁଣି ବଢ଼ି ଚାଲିଲା ଲକ୍ଡାଉନ୍ ଅବଧି । ସେମାନେ ପାଖରେ ଥିବା ସମ୍ବଳରୁ କିଛି ଦିନ ରୋଷେଇ କରି ଖାଇଲେ । ମାତ୍ର ଧୀରେ ଧୀରେ ହାତରୁ ଟଙ୍କା ମଧ୍ୟ ସରିଗଲା । ଅନ୍ୟପକ୍ଷରେ ସେମାନଙ୍କୁ କାର୍ଯ୍ୟରେ ଲଗାଇ ଲାଭବାନ ହେଉଥିବା ଠିକା ସଂସ୍ଥା ଏମାନଙ୍କ ଦୁଃଖ ବୁଝିବା ତ ଦୂରର କଥା ଧରାଛୁଅାଁ ମଧ୍ୟ ଦେଲାନି । ଶେଷରେ ଭୋକ ଉପାସରେ ରହି ବାଧ୍ୟ ହୋଇ ଚାଲି ଚାଲି ଶହ ଶହ କିଲୋମିଟର ଦୂରରେ ଥିବା ଘରକୁ ଯିବା ପାଇଁ ବାହାରି ପଡ଼ିଲେ । ଛତିଶଗଡ଼ ଓ ଝାଡଖଣ୍ଡ ରାଜ୍ୟର ରମେଶ ପ୍ରଧାନ, ଜେଠୁ ପ୍ରଧାନ, କଷ୍ଟୁ ପ୍ରଧାନ, ଆଦର୍ଶ ପ୍ରଧାନ, ଜାଗର କୁଲୁ, ଅସୀମ ଲୁଗୁନ, ଜୟପାଲ, ଭୂଷଣ ଡାଙ୍ଗଙ୍କ ସମେତ ଆଉ ଅନେକ ପ୍ରବାସୀ ଶ୍ରମିକ ଚାଲି ଚାଲି ଘରକୁ ଫେରୁଛନ୍ତି । ଗାଁକୁ ଫେରିବା ବାଟରେ ନିଜ ଗାଁରେ ପରିବାର ସହ ରହି କଷ୍ଟେ ମେଷ୍ଟ ବରଂ ଚଳିବୁ, ହେଲେ ଆଉ କେବେ ହେଲେ ଦାଦନ ଖଟିବାକୁ ଯିବା ନାହିଁ ବୋଲି କୋହଭରା କଣ୍ଠରେ ପ୍ରକାଶ କରିଛନ୍ତି ଏମାନେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons