କେଶାଇବାହାଲ ଯୁକ୍ତ ଦୁଇ କଲେଜ ଅଧ୍ୟକ୍ଷଙ୍କ ଘରେ ଭିଜିଲାନ୍ସ ଚଢ଼ଉ

Get real time updates directly on you device, subscribe now.

ବାମରା,(ବି.ବି.ନୁ୍ୟଜ୍): ସମ୍ବଲପୁର ବାମରା ବ୍ଲକ କେଶାଇବାହାଲ ପଞ୍ଚାୟତ ପ୍ରଭୁଦୟାଲ ଗ୍ରାମୀଣ ଯୁକ୍ତ ଦୁଇ କଲେଜ ଅଧ୍ୟକ୍ଷ ଜୟ ପ୍ରକାଶ ପଟେଲଙ୍କ ଘରେ ଆଜି ଭିଜିଲାନ୍ସ ଚଢ଼ଉ କରିଛି । ତାଙ୍କ ବିରୋଧରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଲ ଅଭିଯୋଗ ରହିଛି । ସମ୍ବଲପୁର, ସୁନ୍ଦରଗଡ଼, ଦେବଗଡ଼, ଝାରସୁଗୁଡ଼ା, ଦେବଗଡ଼, ସୁବର୍ଣ୍ଣପୁର ଓ ରାଉରକେଲା ଭିଜିଲାନ୍ସ ବିଭାଗର ପ୍ରାୟ ୨୦ଜଣ ଅଧିକାରୀ ଅଧ୍ୟକ୍ଷ ପଟେଲଙ୍କ ବାସଗୃହ, ନିର୍ମାଣାଧୀନ ତିନି ମହଲା କୋଠା, ଚାରି ମହଲା କୋଠା, ଅଫିସ୍ରେ ଏକା ସାଙ୍ଗରେ ଚଢ଼ଉ କରିଛନ୍ତି । ଯାଞ୍ଚରୁ ଅଧ୍ୟକ୍ଷ ପଟେଲଙ୍କ ୩ କୋଟି ୧୯ ଲକ୍ଷ ୪୧ ହଜାର ୮୧୮ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ରହିଥିବା ଜଣାପଡ଼ିଛି । ଏଥିରେ କୋଠା ଘର ସମେତ କାର୍, ବାଇକ୍, ବ୍ୟାଙ୍କ ଓ ଡାକ ଜମା, ବୀମା, ସୁନା ଅଳଙ୍କାର, ଘର ଆସବାବପତ୍ର ଆଦି ଅନ୍ତର୍ଭୁକ୍ତ ରହିଛି । ବିଭାଗ ପକ୍ଷରୁ ତଦନ୍ତ ଜାରି ରହିଥିବା ଭିଜିଲାନ୍ସ ଏସ୍ପି ସୂଚନା ଦେଇଛନ୍ତି ।
ସୂଚନା ଥାଉ ଅଧ୍ୟକ୍ଷ ପଟେଲ କୋଠା ଘର ନିର୍ମାଣ କରି ହଷ୍ଟେଲ ଚଳାଉଥିବା ଜଣାପଡ଼ିଛି । ଦୁଇ ମହଲା ବିଶିଷ୍ଟ କୋଠାରେ ସେ ନିଜେ ରହୁଥିବା ବେଳେ ପାଖରେ ଏକ କୋଠା ତିଆରି କରି ୧୦୦ରୁ ଅଧିକ ବାଳିକା ରହୁଛନ୍ତି । ସେହିପରି କଲେଜ ପାଖରେ ଥିବା କୋଠାରେ ୪୫ଜଣ ବାଳକ ରହୁଛନ୍ତି । ଏହି କଲେଜରେ ତାଙ୍କ ସ୍ତ୍ରୀ ମଧ୍ୟ ଇତିହାସ ଅଧ୍ୟାପିକା ଥିଲେ । ୨ ବର୍ଷ ପୂର୍ବେ ତାଙ୍କ ପରଲୋକ ହୋଇଛି । ସ୍ୱାମୀ-ସ୍ତ୍ରୀଙ୍କ ଦରମା ମିଶାଇ ପ୍ରାୟ ୮୦ ଲକ୍ଷ ଟଙ୍କା ହେବ ବୋଲି ଭିଜିଲାନ୍ସ ଆକଳନ କରିଛି । ତେବେ ୩ କୋଟିରୁ ଅଧିକ ପରିମାଣର ସମ୍ପତ୍ତି କିପରି ଠୁଲ କଲେ ତାହାର ତଦନ୍ତ ଭିଜିଲାନ୍ସ କରୁଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons