କୋଇଲା ଖଣିରେ ଅତଡ଼ା ଧସି ୪ ଶ୍ରମିକ ମୃତ!

Get real time updates directly on you device, subscribe now.

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଦୁଃଖପ୍ରକାଶ
ତାଳଚେର,(ବି.ବି.ନ୍ୟୁଜ୍): ଏମ୍ସିଏଲ୍ ଭରତପୁର କୋଇଲା ଖଣିରେ ମଙ୍ଗଳବାର ବିଳମ୍ବିତ ରାତିରେ ମାଟି ଅତଡ଼ା ଧସି ୪ ଜଣ ଶ୍ରମିକଙ୍କର ପ୍ରାଣହାନି ଘଟିଥିବା ସନ୍ଦେହ କରାଯାଉଛି । ୯ ଜଣ ଠିକା ଶ୍ରମିକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ୧୦ ଜଣ ଶ୍ରମିକଙ୍କର ରାତି ପର୍ଯ୍ୟନ୍ତ କୌଣସି ପତ୍ତା ମିଳିନାହିଁ । ଦିନ ତମାମ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଅପରାହ୍ଣ ୪ଟା ବେଳେ ପପୁନ୍ କୁମାର ବିଶ୍ୱାଳଙ୍କ ମୃତଦେହ ଠାବ ହୋଇଥିଲା । ପ୍ରାୟ ୧୦୦ ମିଟର ତଳେ ଶ୍ରମିକମାନେ ପୋତି ହୋଇଯାଇଥିବା ବେଳେ ମୃତାହତଙ୍କ ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି ।
ଅନ୍ୟପକ୍ଷରେ ଦୁର୍ଘଟଣା ଖବର ପାଇବା ପରେ ପୁଲିସ ସମଗ୍ର ଖଣି ଇଲାକାକୁ କର୍ଡ଼ନ୍ କରି ରଖିଛି । ଭିତରକୁ କାହାରିକୁ ଛଡ଼ା ଯାଉନାହିଁ । ପ୍ରଶାସନ, ପୁଲିସ ଓ ଏମ୍ସିଏଲ୍ର ବରିଷ୍ଠ ପଦାଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଥିଲେ । ଏହି ବଡ଼ ଧରଣର ଦୁର୍ଘଟଣାରେ ଶ୍ରମିକ ମୃତାହତ ହେବା ସଙ୍ଗେ ସଙ୍ଗେ କୋଟି କୋଟି ଟଙ୍କାର ଗାଡ଼ିମଟର, ଯନ୍ତ୍ରାଂଶ ଚୂର୍ମାର ହୋଇଯାଇଛି ।
ଏହି ଦୁର୍ଘଟଣାକୁ ନେଇ କେନ୍ଦ୍ର ପ୍ରେଟ୍ରୋଲିୟମ, ପ୍ରାକୃତିିକ ଗ୍ୟାସ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଭୀର ଦୁଃଖପ୍ରକାଶ କରିଛନ୍ତି । ଟ୍ୱିଟ୍ କରି ଶ୍ରୀ ପ୍ରଧାନ କହିଛନ୍ତି, ଭରତପୁର ଓସିପିରେ ଦୁର୍ଘଟଣାରେ ଜୀବନ ହାନୀ ହୋଇଥିବା ଜାଣିବାକୁ ପାଇ ସେ ଦୁଃଖିତ । ସେ କୋଇଲା ମନ୍ତ୍ରଣାଳୟ ସହିତ ନିରନ୍ତର ସମ୍ପର୍କରେ ଅଛନ୍ତି । ଦୁର୍ଘଟଣା ପରେ ଉଦ୍ଧାର ଓ ରିଲିଫ କାର୍ଯ୍ୟ ଚାଲିଛି ଓ ସମସ୍ତ ସମ୍ଭାବିତ ସାହାଯ୍ୟ ଯୋଗାଇ ଦିଆଯାଉଛି ।
ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ସାଢ଼େ ୧୧ଟା ଭରତପୁର ଖୋଲା ମୁହଁ କୋଇଲା ଖଣିରେ ଘଟିଥିଲା ଏ ଦୁର୍ଘଟଣା । ଘରୋଇ ସଂସ୍ଥା ‘ସିକଲ୍’ର ୨୫ରୁ ଉଦ୍ଧ୍ୱର୍ ଠିକା ଶ୍ରମିକ ନନ୍ଦିଘୋଷ ଫେସ୍ରେ କୋଇଲା ଉତ୍ତୋଳନ କାର୍ଯ୍ୟରେ ନିୟୋଜିତ ଥିଲା ବେଳେ ହଠାତ୍ ପାଖରେ ପାହାଡ଼ ସଦୃଶ ଥିବା ମାଟି ଅତଡା ଧସିଥିଲା । ଭୟଙ୍କର ଶବ୍ଦ ହୋଇ ପ୍ରାୟ ୫ ଶହ ମିଟର ପରିସୀମାର ମାଟି ଧସିପଡ଼ିଥିଲା । ଫଳରେ କାର୍ଯ୍ୟରତ ଶ୍ରମିକଙ୍କ ସମେତ ମେସିନ୍, ଗାଡ଼ିମଟର ୧୦୦ ମିଟର ତଳେ ପୋତି ହୋଇଯାଇଥିଲେ ।
ଏହି ଖବର ତ୍ୱରିତ୍ ବେଗରେ ପ୍ରଚାରିତ ହେବା ପରେ ଅନ୍ୟ ଶ୍ରମିକ ଓ ଉଦ୍ଧାରକାରୀ ଦଳ ପହଞ୍ଚି ପୋତି ହୋଇଯାଇଥିବା ଶ୍ରମିକମାନଙ୍କ ମଧ୍ୟରୁ ୯ ଜଣକୁ ଉଦ୍ଧାର କରିଥିଲେ । ଉଦ୍ଧାର ହୋଇଥିବା କୋଶଳା ଗ୍ରାମର ସର୍ଫେସ ମାଇନର ଅପରେଟର ବିନୋଦ ସାହୁ, କୁମୁଣ୍ଡା ଗ୍ରାମର ପେଲୋଡର ଅପରେଟର୍ ପଙ୍କଜ ବେହେରା, ଦୀପକ ସାହୁ, ବଡ଼ଯୋରଡ଼ାର ଡ୍ରାଇଭର ରଞ୍ଜନ ସାହୁ, କମଳାଙ୍ଗ ଗ୍ରାମର ପେଲୋଡର ଅପରେଟର ନିରାକାର ସାହୁ, ସିଂହଡା ଗ୍ରାମର ଡ୍ରାଇଭର ମନୋଜ ବେହେରା, କନ୍ଧବେରେଣୀ ଗ୍ରାମର ପେଲୋଡର ଅପରେଟର ଅଶୋକ ସାହୁ, କୁରୁଡୁଲୁ ଗ୍ରାମର ଅପରେଟର ରାଜୀବ ଲୋଚନା ସାହୁ ଓ ସେଣ୍ଟ୍ରାଲ୍ କଲୋନୀର ଅପରେଟର ପିଣ୍ଟୁ ସ୍ୱାଇଁଙ୍କୁ ତାଳଚେର ସେଣ୍ଟ୍ରାଲ୍ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା । ଗୋବରା ଗ୍ରାମର ରଶ୍ମୀରଞ୍ଜନ ବେହେରା, ଲକେଇପଶି ଗ୍ରାମର ରମେଶ ଦାସ, କୁକୁଡାଙ୍ଗ ଗ୍ରାମର ପପୁନ୍ ବିଶ୍ୱାଳ ଓ ଶିବରାମପୁରର ରାଜକିଶୋର ମହାପାତ୍ର ନିଖୋଜ ଥିବାବେଳେ ଅପରାହ୍ଣରେ ପପୁନଙ୍କ ମୃତଦେହ ଉଦ୍ଧାର ହୋଇଥିଲା ।
ଅଘଟଣକୁ ନେଇ ତାଳଚେର ଖଣି ଅଞ୍ଚଳରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି । କୋଇଲା ପରିବହନ ଓ ଖଣି କାର୍ଯ୍ୟ ସମ୍ପୂର୍ଣ୍ଣ ଠପ୍ ହୋଇ ପଡ଼ିଥିଲା ବେଳେ ପରିସ୍ଥିତି ଅଣାୟତ୍ତ ହୋଇପଡ଼ିଛି । ଉତ୍ତ୍ୟକ୍ତ ଠିକା ଶ୍ରମିକମାନେ ଭରତପୁର କୋଇଲା ଖଣି ମହାପ୍ରବନ୍ଧକ ଓ ପ୍ରକଳ୍ପ ଅଧିକାରୀଙ୍କ କାର୍ଯ୍ୟାଳୟ ଗେଟ୍ରେ ତାଲା ପକାଇବା ସହିତ ଜିଏମ୍ ଅଫିସ୍ ସମ୍ମୁଖରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ । ବିଧାୟକ ବ୍ରଜ କିଶୋର ପ୍ରଧାନ, ଜିଲ୍ଲାପାଳ ମନୋଜ ମହାନ୍ତି, ଏସ୍ପି ମିତ୍ରଭାନୁ ମହାପାତ୍ର, ଉପଜିଲ୍ଲାପାଳ ପରେଶ ନାୟକ ଘଟଣାସ୍ଥଳ ପରିଦର୍ଶନ କରିବା ସହ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବା ନେଇ ଖଣି କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରିଥିଲେ ।
କୋଇଲା ଉତ୍ପାଦନ ଟାର୍ଗେଟ ହାସଲ କରିବାକୁ ଅଧିକାରୀମାନେ ତତ୍ପରତା ଦେଖାଇ କାର୍ଯ୍ୟ କରୁଥିଲା ବେଳେ ଶ୍ରମିକମାନଙ୍କ ସୁରକ୍ଷା ପ୍ରତି ସମ୍ପୂର୍ଣ୍ଣ ଅବହେଳା କରାଯାଉ ଥିବାରୁ ଏପରି ଅଘଟଣ ଘଟିଲା ବୋଲି ଶ୍ରମିକମାନେ ଅଭିଯୋଗ କରିଛନ୍ତି । କୃତ୍ରିମ ପାହାଡ଼ର ସୁରକ୍ଷା ପାଇଁ ଗଚ୍ଛିତ ଥିବା କୋଇଲାସ୍ତରରେ ଆପେ ନିଆଁ ଲାଗି ପାଉଁଶ ହେବା ସହ ଏହି ସୁରକ୍ଷା ବାଡ଼ କ୍ରମଶଃ ଦୁର୍ବଳ ହେଉଛି । ଏଥିସହିତ ଖଣିରେ ଭୟଙ୍କର ବ୍ଲାଷ୍ଟିଂ ହେବା କାରଣରୁ ମାଟି ଅତଡ଼ା ଧସି ପଡ଼ିଥିବା ପ୍ରତ୍ୟକ୍ଷଦର୍ଶୀ ଶ୍ରମିକମାନେ ପ୍ରକାଶ କରିଛନ୍ତି ।
ଦୁର୍ଘଟଣା ସମ୍ପର୍କରେ ଏମ୍ସିଏଲ୍ ଲୋକସମ୍ପର୍କ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଗତ ରାତିରେ ଭରତପୁର କୋଇଲା ଖଣିରେ ୧୩ ଜଣ ଶ୍ରମିକ କାର୍ଯ୍ୟ କରୁଥିଲେ । ହେଲେ ଖଣି ଭିତରେ କୌଣସି ବ୍ଲାଷ୍ଟିଂ ହୋଇନଥିଲା । ତେବେ ଭରତପୁର କୋଇଲା ଖଣିରେ କେଉଁ ପରିସ୍ଥିତିରେ ଏପରି ଦୁର୍ଘଟଣା ଘଟିଲା ଉପଯୁକ୍ତ ତଦନ୍ତ କରାଯିବାକୁ ଦାବି ହୋଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons