କୋଇଲା ଖଣି ଇଲାକାରେ ଅଘଟଣ

Get real time updates directly on you device, subscribe now.

ତାଳଚେର: ତାଳଚେର କୋଇଲା ଖଣିରେ ଶୁକ୍ରବାର ପୂର୍ବାହ୍ନରେ ଏକ ଦୁର୍ଘଟଣାରେ ଜଣେ ଠିକା ଶ୍ରମିକଙ୍କ ଶୋଚନୀୟ ମୃତୁ୍ୟ ଘଟିଛି । ୧୧ କେଭି ବିଦୁ୍ୟତ୍ ଲାଇନ୍ରୁ ଝଟକା ଲାଗିବା ପରେ ଶ୍ରମିକ ଜଣକ ଜଳି ଯାଇଥିଲେ । ଏପରିକି ତାଙ୍କ ଗଣ୍ଡିରୁ ମୁଣ୍ଡ ଅଲଗା ହୋଇଯାଇଥିଲା । ଦୁର୍ଘଟଣାକୁ କେନ୍ଦ୍ର କରି ଖଣି ଇଲାକାରେ ଉତ୍ତେଜନା ପ୍ରକାଶ ପାଇଥିଲା ।
ପ୍ରକାଶ ଯେ, ଆଜି ପୂର୍ବାହ୍ନ ପ୍ରାୟ ୯ଟା୪୫ ମିନିଟ୍ ସମୟରେ ପୁରୁଣା ବଲଣ୍ଡା ଖଣି ଅଞ୍ଚଳରେ ଏକ ଘରୋଇ ଠିକାସଂସ୍ଥାରେ କାର୍ଯ୍ୟରତ ଅମର ବେହେରା (୪୧) ୧୧ କେଭି ବିଦୁ୍ୟତ୍ ଲାଇନ୍ରେ କାମ କରୁଥିଲେ । ସଟ୍ଡାଉନ୍ ପରେ ହଠାତ୍ ଲାଇନ୍ ଚାର୍ଜ ହୋଇଯିବାରୁ ଅମର ଜଳି ଯାଇଥିଲେ । ଚଢ଼ିଥିବା ଖୁଣ୍ଟରୁ ଖସିପଡ଼ି ଥିଲେ । ଘଟଣାସ୍ଥଳରେ ହିଁ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା । ମୃତକଙ୍କ ଘର ତାଳଚେର ଥାନା ଅନ୍ତର୍ଗତ ରଘୁନାଥପୁର ଗ୍ରାମରେ । ଏ ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଲୋକ ଘଟଣାସ୍ଥଳକୁ ଧାଇଁ ଆସିଥିଲେ । ମୃତକଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ ସହ ପରିବାରରୁ ଜଣକୁ ନିଯୁକ୍ତି ଦାବିରେ ଲୋକ ଅଡ଼ି ବସିଥିଲେ । ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ, ଏମ୍ସିଏଲ୍ର ପଦାଧିକାରୀ ଓ ପୁଲିସ ପହଞ୍ଚି ଆଲୋଚନା କରିଥିଲେ । ମୃତକଙ୍କ ପରିବାରକୁ ୧୩ ଲକ୍ଷ ୬୦ ହଜାର ୨୭୫ ଟଙ୍କାର କ୍ଷତିପୂରଣ ସହ ଜଣଙ୍କୁ ଠିକା ସଂସ୍ଥାରେ ନିଯୁକ୍ତି ମିଳିବ ବୋଲି ପ୍ରତିଶ୍ରୁତି ପରେ ଆନେ୍ଦାଳନ ପ୍ରତ୍ୟାହୃତ ହୋଇଥିଲା । ଅପରାହ୍ନରେ କୋଲିୟରୀ ପୁଲିସ ଶବ ବ୍ୟବଚ୍ଛେଦ ପାଇଁ ତାଳଚେର ସରକାରୀ ଡାକ୍ତରଖାନାକୁ ପଠାଇଥିଲା । ଏ ସଂକ୍ରାନ୍ତରେ ଥାନାରେ ଏକ ଅପମୃତୁ୍ୟ ମୋକଦ୍ଧମା ରୁଜୁ କରି ପୁଲିସ ତଦନ୍ତ ଚଳାଇଛି । ବାରମ୍ବାର କୋଇଲା ଖଣିରେ ବିଦୁ୍ୟତ୍ ଜନିତ ଦୁର୍ଘଟଣାରେ ଶ୍ରମିକ ମୃତାହତ ହେଉଥିବାରୁ ଶ୍ରମିକ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି ।

ରିପୋର୍ଟ ବିଶ୍ୱବିଜୟୀ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons