ନୂଆଦିଲ୍ଲୀ : ପୂର୍ବତନ କୋଇଲା ମନ୍ତ୍ରୀ ଦିଲ୍ଲୀପ ରାୟ ଦୋଷୀ ସାବ୍ୟସ୍ତ । କୋଇଲା ଦୁର୍ନୀତି ମାମଲାରେ ରାୟ ଶୁଣାଇଲେ ସ୍ପେଶାଲ ସିବିଆଇ କୋର୍ଟ । କୋଇଲା ଦୁର୍ନୀତି ମାମଲାର ପ୍ରଥମ ମନ୍ତ୍ରୀ ଭାବେ ଦିଲ୍ଲୀପ ରାୟ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ସ୍ପେଶାଲ ସିବିଆଇ କୋର୍ଟ ଏ ନେଇ ରାୟ ଶୁଣାଇଛନ୍ତି । ଆସନ୍ତା ୨୪ ତାରିଖରେ ଦଣ୍ଡାଦେଶ ନେଇ ହେବ ଶୁଣାଣି ।
୧୯୯୯ରେ ବାଜପେୟୀ ସରକାରରେ କୋଇଲା ମନ୍ତ୍ରୀ ଥିଲେ ଦିଲ୍ଲୀପ ରାୟ । କୋଇଲା ବ୍ଲକ୍ ଆବଣ୍ଟନରେ ବ୍ୟାପକ ଅନିୟମିତତା ହୋଇଥିଲା । ଯାହାର ତଦନ୍ତ କରୁଛି ସିବିଆଇ । ୧୯୯୯ ମସିହାରେ ଝାଡଖଣ୍ଡ କୋଲ୍ ବ୍ଲକ୍ ଆବଣ୍ଟନରେ ଅନିୟମିତତା ନେଇ ଦିଲୀପଙ୍କ ବିରୋଧରେ ଅଭିଯୋଗ ହୋଇଥିଲା । ୧୯୯୯ରେ ଝାଡଖଣ୍ଡରେ ବ୍ରହ୍ମଡିହା କୋଇଲା ଖଣି କାଷ୍ଟର୍ଣ୍ଣ ଟେକ୍ନୋଲୋଜି ଲିମିଟେଡକୁ ଦିଆଯାଇଥିଲା ।
ଝାଡଖଣ୍ଡର ଗିରିଡିହିରେ ଥିବା ବ୍ରହ୍ମଡିହା କୋଲ୍ ବ୍ଲକ୍ ଆବଣ୍ଟନରେ ଅନିୟମିତତା ନେଇ ସିବିଆଇ ଚାର୍ଜସିଟ୍ ଦାଖଲ କରିଥିଲା । ସେତେବେଳେ ଦିଲୀପ ରାୟଙ୍କ ସମେତ ୫ ଜଣଙ୍କୁ ସ୍ପେସାଲ ସିବିଆଇ କୋର୍ଟ ସମନ କରିଥିଲେ । ତତ୍କାଳୀନ କୋଇଲା ମନ୍ତ୍ରାଳୟର ଅତିରିକ୍ତ ସଚିବ ପ୍ରଦୀପ କୁମାର ବାନାର୍ଜୀ, ଆଡଭାଇଜର ନିତ୍ୟାନନ୍ଦ ଗୌତମ, କାଷ୍ଟର୍ଣ୍ଣ ଟେକ୍ନୋଲୋଜି ଲିମିଟେଡର ନିର୍ଦ୍ଦେଶକ ମହେନ୍ଦ୍ର କୁମାର ଅଗ୍ରୱାଲ ଏବଂ କାଷ୍ଟର୍ଣ୍ଣ ମାଇନିଂକୁ ସମନ କରିଥିଲେ ସ୍ବତନ୍ତ୍ର ସିବିଆଇ କୋର୍ଟ ।
ଅଭିଯୁକ୍ତଙ୍କ ବିରୋଧରେ ଆଇପିସି ଧାରା ୧୨୦ (ବି) ଅପରାଧିକ ଷଡଯନ୍ତ୍ର, ୪୨୦ ଅର୍ଥାତ୍ ଠକେଇ, ୪୦୯ ଅର୍ଥାତ୍ ବିଶ୍ବାସ ଭଙ୍ଗ ଏବଂ ପ୍ରିଭେକ୍ସନ ଅଫ୍ କରପସନ୍ ଆକ୍ଟର ବିଭିନ୍ନ ଧାରା ଲଗାଥିଲେ କୋର୍ଟ ।
Comments are closed, but trackbacks and pingbacks are open.